କଟକ : ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଆଗକୁ ବଢାଇବା ପାଇଁ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରୟାସ ଜାରି ରହିଛି । ତା ଭିତରେ ସେ ନିଜ ଅନୁଷ୍ଠାନ ସମ୍ମାନିତା ଜରିଆରେ ଅନେକ କାର୍ଯ୍ୟକ୍ରମ କରି ଚାଲିଛନ୍ତି । ସେହି କ୍ରମରେ କଟକ ଶତାବ୍ଦୀ ଭବନରେ ଆୟୋଜିତ ହୋଇଥିଲା ରଜ ଉତ୍ସବ ୨୦୨୫ । ପ୍ରଥମେ ଆନୁଷ୍ଠାନିକ ଭାବେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହାପରେ ସଂସ୍କୃତି ନୃତ୍ୟ ଏକାଡେମୀ, ନୁପୁର ଡ୍ୟାନସ ଗ୍ରୁପ ଏବଂ ଜ୍ୟୋତି ଡ୍ୟାନ୍ସ ଗ୍ରୁପ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଭିନେତ୍ରୀ ଶ୍ରୁତି ଶୁଭଶ୍ରୀ ଓ ପିହୁଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। …ଡିସ୍କୋ ରେଡ୍ଡୀଙ୍କ ମିମିକ୍ରିକୁ ଭରପୁର କରତାଳି ମିଳିଥିଲା। କାର୍ଯ୍ୟକ୍ରମରେ ହସର ଛୁଙ୍କ ମାରିଥିଲେ ଅଭିନେତା ଋଷି ପଟ୍ଟନାୟକ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ତଥା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବା ୨୦ରୁ ଅଧିକ ପ୍ରତିଭାଙ୍କ ସମ୍ମାନିତ କରାଯାଇଥିଲା। ଖାସ୍ କରି ଦିବ୍ୟାଙ୍ଗମାନଙ୍କୁ ସମ୍ନାନିତ କରି ସେମାନଙ୍କୁ ଉତ୍ସାହିତ କରାଯାଇଥିଲା ।
ଏହି ରଜ ଉତ୍ସବରେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏଥିସହିତ ବର୍ଷ ବର୍ଷ ଧରି ସମାଜସେବାରେ ନିଜକୁ ନିୟୋଜିତ ରଖିଥିବା ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରଶଂସା କରିଥିଲେ । ବିଶେଷ ଅତିଥି ଭାବେ ମନୋଚିକିତ୍ସକ ଡାକ୍ତର ଅମିତ ପାଟ୍ଟଯୋଶୀ, ଡାକ୍ତର ପ୍ରଶାନ୍ତ ପରିଡା, ଅଭିନେତା ଚନ୍ଦନ, ବୁଦ୍ଧାଦିତ୍ୟ, ଉସଷୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ପ୍ରଯୋଜକ ସଞ୍ଜୟ ନାୟକ, ପ୍ରବଚକ ଗୋପାଳ କୃଷ୍ଣ ଦାସ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପାଇଁ ବର୍ଷା ଓ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଭିନେତ୍ରୀ ରାକ୍ଷୀ ଦାଶ । ଶେଷରେ ବର୍ଷା ପ୍ରିୟଦର୍ଶିନୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ମାନିତା ଲୋକଙ୍କ ପାଖରେ ପହଞ୍ଚି ତାର ସମାଜସେବା ଜାରି ରଖିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।