ସରିଲା ଧର୍ମମାସ କାର୍ତ୍ତିକ । କାର୍ତ୍ତିକ ପୂର୍ଣ୍ଣିମାର ପରଦିନକୁ ଛାଡଖାଇ ପାଳନ କରାଯାଇଥାଏ I ମାସେଧିକ କାଳ ମୁହଁରେ ବାଜି ନଥିବା ଆମିଷ ମୁହଁରେ ବାଜିବ । ଛାଡଖାଇ- ଛାଡିଥିବା ଖାଦ୍ୟକୁ ପୁଣି ଖିଆଯିବ । ତେବେ ଚଳିତବର୍ଷ ଗତକାଲି ଅର୍ଥାତ ବୁଧବାରରେ ପଡିଥିଲା କାର୍ତ୍ତିକ ପୁର୍ଣ୍ଣିମା । ଆଜି ହେଉଛି ଛାଡ଼ଖାଇ I କିନ୍ତୁ ଆଜି ବାରଟି ଗୁରୁବାର ଥିବାରୁ ପ୍ରାୟ ସମସ୍ତଙ୍କ ଘରେ ଆମିଷ ନିଷେଧ ଥାଏ । ତେଣୁ ଏବର୍ଷ ଛାଡ଼ଖାଇରେ ଆମିଷ ବଜାର ମାନ୍ଦା ରହିଛି I ସେଥିପାଇଁ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଛାଡ଼ଖାଇ ପାଳନ ହେବ।ତେବେ ଚଳିତବର୍ଷ ୭ କୋଟି ଟଙ୍କାର ବେପାର ପାଇଁ ଆଶା ରଖିଛନ୍ତି ଆମିଷ ବେପାରୀ। ଗତବର୍ଷ ଛାଡଖାଇରେ ଟ୍ଵିନ ସିଟିରେ ୮ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଆମିଷ ବେପାର ହୋଇଥିଲା। ସେଥିମଧ୍ୟରୁ ଭୁବନେଶ୍ୱରରେ କେବଳ ୫ କୋଟିର ଆମିଷ ବେପାର ହୋଇଥିଲା। ଏଥରକ ଉଭୟ ସହରରେ ୧୦ କୋଟିର ବେପାର ହେବ ବୋଲି ଆକଳନ କରାଯାଇଛି।
ଛାଡଖାଇ ପ୍ରକୃତରେ କଣ: ହବିଷିଆଳି ମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି । ପୂର୍ଣ୍ଣମୀ ପରଦିନକୁ ଛାଡଖାଇ ଭାବରେ ପାଳନ କରନ୍ତି । ସେଦିନରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି । ଯାହାକୁ ଛାଡଖାଇ କୁହାଯାଏ । ଯେହେତୁ ଖାଇବା ଛାଡି ଦେଇଥାଆନ୍ତି, ସେଥିପାଇଁ ଛାଡଖାଇ କୁହାଯାଏ ।
ଛାଡ଼ଖାଇ : ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି । ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । ଛାଡ଼ଖାଇ ଶବ୍ଦଟି, ‘ଛାଡ଼’ ଓ ‘ଖାଇ’ ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଶେଷରେ ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିଛି ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟ ପାଖକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ ।

