ସୋର: ଏମିତି ଜଣେ ଅଧ୍ୟାପକ, ଯାହାଙ୍କ ପାଖରେ ନା ଅଛି ମଟର ସାଇକେଲ, ନା ଅଛି ମୋବାଇଲ । ଏମିତି କି ଚାକିରି କରୁଥିବା ସମୟରେ କେବେ ବି ଛୁଟିରେ ରହି ନାହାନ୍ତି । ଏବେ ସେହି ଅଧ୍ୟାପକ ଜଣଙ୍କ କଲେଜରୁ ଅବସରରେ ନେଇଛନ୍ତି । ସେ ହେଉଛନ୍ତି ଖଇରା ଅଞ୍ଚଳର ରମାକାନ୍ତ ରାଉତ । ସେ ପ୍ରତ୍ୟେକ ଦିନ ସାଇକେଲ ଧରି ଖଇରା ବ୍ଳକର ନିଜ ଗାଁ ବଳଭଦ୍ରପୁର ସିମୁଳିଆ କଲେଜକୁ ଯାଅ ଆସ କରନ୍ତି । ଶିକ୍ଷାଦାନକୁ ନିଶା ଭାବେ ଗ୍ରହଣ କରିଥିବା ରମାକାନ୍ତ ଆଜି ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।
ସିମୁଳିଆ କଲେଜ ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ରମାକାନ୍ତ ରାଉତଙ୍କୁ ବୟସ ୬୦ । ଖଇରା ବ୍ଲକ, ଗୋବିନ୍ଦପୁର ପଞ୍ଚାୟତ ବଳଭଦ୍ରପୁର ଗାଁରେ ସାରଙ୍କ ଘର । ସରକାରଙ୍କ ନିୟମ ଅନୁସାରେ, ୨୫୫ ବର୍ଗ ବ୍ଲକ ଗ୍ରାଣ୍ଟ ଅଧ୍ୟାପକ ହୋଇଥିବାରୁ ତାଙ୍କୁ ସରକାରୀ ପେନସନ କିମ୍ବା ଅନ୍ୟ ସହାୟତା ମଧ୍ୟ ନାହିଁ । ତେବେ ଅବସର ପରେ ମଧ୍ୟ ପୂର୍ବ ପରି ସେ ନିୟମିତ କଲେଜକୁ ଆସୁଛନ୍ତି । ଏହାକୁ ନେଇ ସହକର୍ମୀମାନେ ତାଙ୍କୁ ମଜା ଥଟ୍ଟା କରନ୍ତି । ହେଲେ, ଏହା ମୋର କର୍ମ ଭୂମି, ଘରେ ରହିଲେ ଅସୁସ୍ଥ ହୋଇପଡିବି, ତେଣୁ ମୁଁ ପଢ଼ାଇବାକୁ ଆସୁଛି । ସାଇକେଲରେ ୪୮ କିମି ଯାତ୍ରା, ମୋବାଇଲ ନାହିଁ, ଛୁଟି ବି ନିଅନ୍ତି ନାହିଁ । କେବଳ ବାପାଙ୍କ ଶୁଦ୍ଧିକ୍ରିୟାରେ ଛୁଟି ନେଇଥିଲେ ବୋଲି କହନ୍ତି ରମାକାନ୍ତ ସାର । ସାର ଦିନକୁ ୪୮ କି.ମି ବାଟ ସାଇକେଲ ଚଳାଇ ଯାଉଥିବାରୁ ସେ ସର୍ବଦା ସୁସ୍ଥ ରହିଛନ୍ତି ବୋଲି କହିଛନ୍ତି। ପ୍ରତିଦିନ କଲେଜରେ ସେ ହିଁ ପ୍ରଥମେ ପହଞ୍ଚିଥାନ୍ତି । ନିଜ ଚାକିରି ଜୀବନରେ ସେ କେବଳ ନିଜ ବାପାଙ୍କ ଶୁଦ୍ଧିକ୍ରିୟା ବେଳେ ଛୁଟି ନେଇଥିଲେ ।
ଆଶ୍ଚର୍ଯ୍ୟର କଥା ହେଉଛି, ରମା ସାରଙ୍କର ମୋବାଇଲ ଫୋନ ନାହିଁ । ସେ ଓ ଅନ୍ୟ ଚାରି ଭାଇ ସମସ୍ତେ ଏକାଠି ରୁହନ୍ତି । ଚାକିରି ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଜର ସମସ୍ତ ଦରମା ତାଙ୍କ ବଡ଼ ଭାଇ କମଳାକାନ୍ତଙ୍କୁ ପ୍ରଦାନ କରିଛନ୍ତି । ରମା ସାରଙ୍କ ସ୍ତ୍ରୀ ନମିତାଙ୍କର ଏଥିରେ କୌଣସି ଆପତ୍ତି ନଥାଏ। ନିଜର ଦୁଇ ଝିଅ ମାଧବିକା ଓ ଜନ୍ମିତାଙ୍କ କଥା ମଧ୍ୟ ତାଙ୍କ ବଡ଼ ଭାଇ ବୁଝନ୍ତି । ରମା ସାର କହନ୍ତି, ପରିବାରରେ କୌଣସି ଚାପ ନାହିଁ । କାମ ବାଣ୍ଟି ହୋଇଯାଏ । ତାଙ୍କର ଅନ୍ୟ ଦୁଇ ଭାଇ ମଧ୍ୟ ଶିକ୍ଷକ ଓ ଜଣେ ଭଉଣୀ ବିବାହିତା । ଘରର ୧୫ ଏକର ଜମିରୁ ୧୦ ଏକର ଜମିରେ ସେମାନେ ଚାଷ କରନ୍ତି । ତାଙ୍କ ମତରେ, ପରିବାରର ସଦସ୍ୟ ଓ କର୍ମକ୍ଷେତ୍ରରେ ସହଯୋଗୀମାନେ ଭଲରେ ରହିଲେ ଆମେ ଭଲରେ ରହିବା । ବର୍ତ୍ତମାନର ପରିସ୍ଥିତିରେ ନିଜେ ନିଜକୁ କେମିତି ପରିଚାଳନା କରିବେ, ତାହା ହିଁ ବଡ଼ କଥା ବୋଲି କହିଛନ୍ତି ରମା ସାର ।
ଅବସର ପରେ ତାଙ୍କର ଅବଶିଷ୍ଟ ଜୀବନ ଛାତ୍ରଛାତ୍ରୀମାନଙ୍କ ଗହଣରେ ବିତାଇବେ ବୋଲି ସେ ପ୍ରକାଶ କରିଥିବାବେଳେ ଶିକ୍ଷାଦାନରେ ଯେଉଁ ଆନନ୍ଦ, ତାହା ଭାଷାରେ ପ୍ରକାଶ କରିହେବ ନାହିଁ ବୋଲି କହିଛନ୍ତି ।

