Wednesday, September 30, 2026
30.2 C
Odisha

    ସିଇସିଙ୍କ ବହିଷ୍କାର ସହ ମୋଦୀଙ୍କ ଇସ୍ତଫା ଦାବି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର) ବିବାଦକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ। ଜ୍ଞାନେଶ କୁମାରଙ୍କ ବହିଷ୍କାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ମଧ୍ୟ କଂଗ୍ରେସ ଦାବି କରିଛି। ଏସ୍‌ଆଇଆର ବିବାଦ ପରିପ୍ରେକ୍ଷୀରେ ମଙ୍ଗଳବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଏହି ଦାବି କରାଯାଇଛି। ବୈଠକ​‌ ପରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଓ ଜୟରାମ ରମେଶ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ ଜ୍ଞାନେଶ କୁମାରଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଚାପ ପକାଇବା ପୂର୍ବକ ମ୍ୟାଚ ଫିକ୍‌ସିଂ କରି ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେବା ଦରକାର। ଏହି ମ୍ୟାଚ ଫିକ୍‌ସିଂ କାର୍ଯ୍ୟରେ ମୋଦୀଙ୍କୁ ଶାହା ସହଯୋଗ କରିଥିବାରୁ ସେ ମଧ୍ୟ ଇସ୍ତଫା ଦେବା ଦରକାର। ଆଉ ଜ୍ଞାନେଶ ଏହି ଅନିୟମିତତାର ପ୍ରତ୍ୟକ୍ଷ ଦୋଷୀ ହୋଇଥିବାରୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବା ଦରକାର ବୋଲି କଂଗ୍ରେସ ଦାବି କରିଛି। ଏହା ବ୍ୟତୀତ ଏସ୍‌ଆଇଆର ପ୍ରକ୍ରିୟା ଯୋଗୁଁ ବାଦ୍ ପଡିଥିବା ୧୩କୋଟି ୫୦ଲକ୍ଷ ଭୋଟରଙ୍କ ନାମକୁ ପୁନର୍ବାର ଭୋଟର ତାଲିକାରେ ଯୋଡିବା ଓ ଏସ୍ଆଇଆର ପ୍ରକ୍ରିୟାକୁ ବାତିଲ କରିବାକୁ ସିଡବ୍ଲ୍ୟୁସି ପକ୍ଷରୁ ଆଗତ ପ୍ରସ୍ତାବରେ ଗୃହୀତ କରାଯାଇଛି। ଦୀର୍ଘ ଅଢେଇ ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦଳୀୟ ନେତାଙ୍କୁ ସମ୍ବୋଧନ କରିଥିଲେ। ବୈଠକରେ ରାହୁଲ କହିଥିଲେ ଯେ ମହାରାଷ୍ଟ୍ର, ହରିୟାଣା ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ସେ ଯେଉଁ ଦାବି କରୁଥିଲେ ତାକୁ ଅନେକ ବିଶ୍ବାସ କରୁ ନଥିଲେ। ମାତ୍ର ଏବେ ତା’ର ପ୍ରମାଣ ମିଳିଯାଇଛି। ସେ କହିଛନ୍ତି ଯେ ଦେଶରେ ହେଉଥିବା ନିର୍ବାଚନ ସ୍ବଚ୍ଛ ଓ ନିରପେକ୍ଷ ନୁହେଁ। ସମସ୍ତ ନିର୍ବାଚନକୁ ଫିକ୍‌ସିଂ କରାଯାଉଛି। ଏହି ଫିକ୍‌ସିଂ ନିର୍ବାଚନ ଆୟୋଗ ଓ ମୋଦୀ, ଶାହାଙ୍କ ମଧ୍ୟରେ ହେଉଛି। କଂଗ୍ରେସ ଦଳ କେବଳ ସରକାରଙ୍କ ବିରୋଧୀ ନୁହେଁ ବରଂ ଏହା ପ୍ରତିରୋଧୀ ଭାବେ ଉଭା ହୋଇଛି। ଆଜିର ବୈଠକରେ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଭଦ୍ରା ଗାନ୍ଧୀ, ଜୟରାମ ରମେଶ, କେସି ବେଣୁଗୋପାଳଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଏସ୍‌ଆଇଆର ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ନିର୍ବାଚନ ଆୟୋଗର ତିନି ସମସ୍ୟଙ୍କ ମଧ୍ୟରେ ମତଭେଦ ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପରେ ଦେଶର ରାଜନୀତି ସରଗରମ ହୋଇଛି। କଂଗ୍ରେସ ଏହାର ସିଡବ୍ଲ୍ୟୁସି ବୈଠକ ଡାକି ସରକାରଙ୍କୁ ଘେରିଥିବାବେଳେ ବୁଧବାର ବିରୋଧୀ ‘ଇଣ୍ଡି’ ମେଣ୍ଟର ବୈଠକ ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.2 ° C
    30.2 °
    30.2 °
    61 %
    3kmh
    54 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ