Saturday, November 1, 2025
28.7 C
Odisha

    ସୁନ୍ଦରଗଡ଼ରେ ଥମୁନି ହାତୀ-ମଣିଷ ଲଢ଼େଇ: ୬ ବର୍ଷରେ ହାତୀ ନେଇଛି ୧୧୮ ଜୀବନ

    ଆଗକୁ ପଢନ୍ତୁ

    ବଣଜଙ୍ଗଲଘେରା ସୁନ୍ଦରଗଡ଼ରେ ହାତୀପଲଙ୍କ ଉପଦ୍ରବ ଥମୁନି। ଅବାଧ ଜଙ୍ଗଲ କଟା ଓ ଅନ୍ୟ କାରଣରୁ ଖାଦ୍ୟ ଅନ୍ବେଷଣରେ ସହର, ଗାଁ ମୁହାଁ ହେଉଛନ୍ତି ହାତୀପଲ। ରୋକିପାରୁନାହାନ୍ତି ବନକର୍ମଚାରୀ ଓ ସ୍ଥାନୀୟ ଲୋକ। ଫଳରେ ବର୍ଷତମାମ ଜାରି ରହୁଛି ହାତୀ-ମଣିଷ ଲଢ଼େଇ। କେତେବେଳେ ହାତୀପଲ ମା’ ଆଗରେ ପୁଅ ଝିଅକୁ କଚାଡ଼ି ମାରୁଛି ତ ଅନ୍ୟ କେତେବେଳେ ଦଳି ଦେଉଛନ୍ତି। ପୁଣି ସୁନାରଫସଲ ଅମଳ କରିବା ପୂର୍ବରୁ  ହାତୀ ଆକ୍ରମଣରେ ଚାଷୀ ଜୀବନ ଚାଲିଯାଉଛି। ବନବିଭାଗ କେବଳ ମୃତକ ପରିବାରକୁ କ୍ଷତିପୂରଣ କାମ ସାରିଦେଉଛନ୍ତି। ସହର ଓ ବସ୍ତିମୁହାଁ ହେଉଥିବା ହାତୀପଲଙ୍କ ପଥ ରୋକିବାକୁ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ।

    ସୁନ୍ଦରଗଡ଼ରେ ତିନି ବନଖଣ୍ଡ ଯଥା ରାଉରକେଲା, ବଣାଇ ଓ ସୁନ୍ଦରଗଡ଼ରେ ଗତ ୬ ବର୍ଷ (୨୦୧୯ରୁ ୨୦୨୪) ମଧ୍ୟରେ ହାତୀ ଆକ୍ରମଣରେ ୧୧୮ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ, ମହିଳା, ବୃଦ୍ଧ ଓ ଚାଷୀ ରହିଛନ୍ତି। ଏଥିସହ ଆହତ ହୋଇଛନ୍ତି ୪୬ରୁ ଅଧିକ। କିଛି ଆହତ ସବୁଦିନ ପାଇଁ ପଙ୍ଗୁ ହୋଇଯାଇଛନ୍ତି। କିଛି ପରିବାର ଜୀବନ ବଞ୍ଚାଇବା ଭୟରେ ବସ୍ତି ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ ରାଉରକେଲା ବନଖଣ୍ଡରେ ହାତୀ ଆକ୍ରମଣରେ ୨୦୨୯ରେ ୪, ୨୦୨୦ରେ ୮, ୨୦୨୧ରେ ୬, ୨୦୨୨ରେ ୧୦, ୨୦୨୩ରେ ୮ ଓ ୨୦୨୪ରେ ୧୪ ଏମିତି ମୋଟ ୫୦ ଜଣଙ୍କର ମୃତ୍ୟୁ ହୋଇଛି। ଆହତ ଓ ଗୁରୁତର ହୋଇଛନ୍ତି ୨୭ରୁ ଅଧିକ। ବଣାଇ ବନଖଣ୍ଡରେ ୨୦୧୯ରେ ୩, ୨୦୨୨ରେ ୮, ୨୦୨୩ରେ୧୨ ଓ ୨୦୨୪ରେ ୧୨  ଜଣ ଏମିତି ମୋଟ ୩୩ ଜଣଙ୍କର ଜୀବନ ଯାଇଛି। ୧୮ରୁ ଅଧିକ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ବନଖଣ୍ଡରେ ହାତୀଆକ୍ରମଣରେ ୨୦୧୯ରେ ୮, ୨୦୨୦ରେ ୧, ୨୦୨୧ରେ ୭, ୨୦୨୨ରେ ୯, ୨୦୨୩ରେ ୬ ଓ ୨୦୨୪ରେ ୨, ଏମିତି ମୋଟ ୩୩ ଜଣଙ୍କର ଜୀବନ ଯାଇଛି। ୧୧ରୁ ଅଧିକ ଆହତ ଓ ଗୁରୁତର ହୋଇଛନ୍ତି। ସେପଟେ ରାଉରକେଲା ବନଖଣ୍ଡରେ ୧୨୩, ବଣାଇରେ ୫୯ ଓ ସୁନ୍ଦରଗଡ଼ରେ ୧୦ ଏମିତି ମୋଟ ୧୯୨ ହାତୀ ବିଭିନ୍ନ ଜଙ୍ଗଲରେ ରହୁଛନ୍ତି। ବଣାଇ ବନଖଣ୍ଡରେ ହାତୀପଲଙ୍କ ସହର ଓ ଗାଁ ଛାଡ଼ୁନାହାନ୍ତି। ହାତୀପଲଙ୍କୁ ଘଉଡ଼ାଇବାକୁ ବନକର୍ମଚାରୀ ସମସ୍ତ ଉଦ୍ୟମ ଫେଲ୍‌ ମାରୁଛି। ଚାଷୀଙ୍କ ଶହ ଶହ ଏକର‌  ଫସଲ ଉଜୁଡ଼ିଯାଉଛି। ସହର ଓ ଗାଁ ମୁହାଁ ହେଉଥିବା ହାତୀପଲଙ୍କ ପଥକୁ ରୋକି ନପାରିଲେ ବର୍ଷ ତମାମ ଏମିତି ନିରୀହ ଲୋକଙ୍କ ଜୀବନ ଯାଉଥିବ, ଏଥିରେ ଦ୍ବିମତ ନାହିଁ।

    ସୁନ୍ଦରଗଡ଼ରେ ହାତୀ ଆକ୍ରମଣରେ ମୃତକଙ୍କ ସ୍ଥିତି

    ବର୍ଷ        ମୃତ୍ୟୁ
    ୨୦୧୯        ୧୫
    ୨୦୨୦        ୦୯
    ୨୦୨୧        ୧୩
    ୨୦୨୨        ୨୭
    ୨୦୨୩        ୨୬
    ୨୦୨୪        ୨୮
    ମୋଟ        ୧୧୮

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.7 ° C
    28.7 °
    28.7 °
    67 %
    3.3kmh
    100 %
    Sat
    29 °
    Sun
    28 °
    Mon
    30 °
    Tue
    28 °
    Wed
    28 °

    ସମ୍ବନ୍ଧିତ