Saturday, October 10, 2026
27.9 C
Odisha

    ସୁପ୍ରିମ୍‌କୋର୍ଟଙ୍କ ପେଗାସସ୍ ମନ୍ତବ୍ୟରେ ପହଲଗାମ ସଙ୍କେତ: ‘ଜାତୀୟ ନିରାପତ୍ତା ପାଇଁ ସ୍ପାଇୱେର ବ୍ୟବହାର ଭୁଲ୍ ନୁହେଁ’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପେଗାସସ୍ ମାମଲା ସହ ଜଡ଼ିତ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଆଜି କହିଛନ୍ତି ଯେ, କେନ୍ଦ୍ର ସରକାର ଜାତୀୟ ନିରାପତ୍ତା ପାଇଁ ସ୍ପାଇୱେର ବ୍ୟବହାର କରିବା ଭୁଲ୍ ନୁହେଁ। ଗୁପ୍ତଚର ଅଭିଯୋଗର ତଦନ୍ତ ରିପୋର୍ଟ ଦେଶର ନିରାପତ୍ତା ଓ ସାର୍ବଭୌମତ୍ବ ସହ ଜଡ଼ିତ ଥିବାରୁ ଏହା ସାର୍ବଜନୀନ କରାଯାଇପାରିବ ନାହିଁ। ଆମେ ଯେଉଁ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛୁ ସେଥିପାଇଁ ସତର୍କତାର ଆବଶ୍ୟକତା ରହିଛି ବୋଲି ପହଲଗାମ ଆତଙ୍କବାଦୀ ଆକ୍ରମଣର ସଙ୍କେତ ଦେଇ କୋର୍ଟ ଉଲ୍ଲେଖ କରିଛନ୍ତି। ତେବେ ଇସ୍ରାଏଲର ସାଇବର କମ୍ପାନି ଏନ୍‌ଏସ୍‌ଓ ଗ୍ରୁପ୍ ଦ୍ୱାରା ବିକଶିତ ସ୍ପାଇୱେୟାର ପେଗାସସ୍ ବ୍ୟବହାର ଦ୍ବାରା ନିଜ ଉପରେ ଗୁଇନ୍ଦାଗିରି କରାଯାଇଥିବା ସନ୍ଦେହ କରୁଥିବା ବ୍ୟକ୍ତି ଅଦାଲତର ଦ୍ୱାରସ୍ଥ ହୋଇପାରିବେ ଏବଂ ତାଙ୍କୁ ଟାର୍ଗେଟ୍ କରାଯାଇଛି କି ନାହିଁ ସେ ନେଇ ଜବାବ ମାଗିପାରିବେ ବୋଲି କୋର୍ଟ କହିଛନ୍ତି।

    ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନ କହିଛନ୍ତି ଯେ, ସମ୍ପୂର୍ଣ୍ଣ ରିପୋର୍ଟ ସର୍ବସାଧାରଣରେ ଉପଲବ୍ଧ ହେବା ଦରକାର, ଜଷ୍ଟିସ ସୂର୍ଯ୍ୟକାନ୍ତ ଉତ୍ତର ଦେଇଥିଲେ, ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱକୁ ସ୍ପର୍ଶ କରୁଥିବା କୌଣସି ରିପୋର୍ଟକୁ ସ୍ପର୍ଶ କରାଯିବ ନାହିଁ। କିନ୍ତୁ ଯେଉଁମାନେ ଜାଣିବାକୁ ଚାହୁଛନ୍ତି ଯେ ସେମାନେ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି କି ନାହିଁ, ସେମାନଙ୍କୁ ସୂଚନା ଦିଆଯାଇପାରିବ। ପେଗାସସ୍ ନିର୍ମାତା ଏନ୍ଏସ୍ଓ ଗ୍ରୁପ୍‌କୁ ପ୍ରାୟ ୧୪୦୦ ଡିଭାଇସ୍‌କୁ ଟାର୍ଗେଟ୍ କରିବା ପାଇଁ ଦାୟୀ କରିଥିବା ଆମେରିକାର ଜିଲ୍ଲା ଅଦାଲତ ଗତ ବର୍ଷ ଦେଇଥିବା ରାୟକୁ ଆବେଦନକାରୀମାନେ ଉଲ୍ଲେଖ କରିବାରୁ ଅଦାଲତ କହିଥିଲେ, ଆମକୁ ସେ ରାୟ ଦେଖାନ୍ତୁ। ହଁ, ବ୍ୟକ୍ତିଗତ ଆଶଙ୍କାର ସମାଧାନ ହେବା ଦରକାର, କିନ୍ତୁ ଏହାକୁ ରାଜରାସ୍ତାରେ ଆଲୋଚନା ପାଇଁ ଏକ ଦସ୍ତାବିଜ ଭାବେ ବ୍ୟବହାର କରାଯାଇପାରିବ ନାହିଁ।
    ଯଦି ଦେଶ ସ୍ପାଇୱେର ବ୍ୟବହାର କରୁଛି ତେବେ ଭୁଲ୍ କ’ଣ? ସ୍ପାଇୱେର ରଖିବାରେ କୌଣସି ଅସୁବିଧା ନାହିଁ।

    କେତେକଙ୍କ ବିରୋଧରେ ଏହାକୁ ବ୍ୟବହାର କରାଯାଇପାରିବ… ଦେଶର ନିରାପତ୍ତା ସହ ବୁଝାମଣା କରିବା ଉଚିତ ନୁହେଁ। ଅବଶ୍ୟ ଯଦି ଏହାକୁ ନାଗରିକ ସମାଜର ବ୍ୟକ୍ତିଙ୍କ ବିରୋଧରେ ବ୍ୟବହାର କରାଯାଏ, ତେବେ ନିଶ୍ଚିତ ଭାବେ ତାହା ଉପରେ ବିଚାର କରାଯିବ ବୋଲି ଜଷ୍ଟିସ୍ ଏନ୍ କୋଟୀଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଶ୍ନ କରିଛନ୍ତି ଯେ ଆତଙ୍କବାଦୀଙ୍କ ବିରୋଧରେ ପେଗାସସ୍ ବ୍ୟବହାରକୁ ନେଇ ଆପତ୍ତି କ’ଣ ହୋଇପାରେ? ଆତଙ୍କବାଦୀଙ୍କ ଗୋପନୀୟତାର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି। ଏହି ବିବାଦ ଭିତରେ ସୁପ୍ରିମ୍‌କୋର୍ଟଙ୍କ ବୈଷୟିକ କମିଟି ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ କରିଥିଲା। କମିଟି ଯାଞ୍ଚ କରିଥିବା ୨୯ଟି ଫୋନରେ ପେଗାସସ୍‌ର କୌଣସି ପ୍ରମାଣ ପାଇନଥିଲେ ମଧ୍ୟ ସେଥିମଧ୍ୟରୁ ୫ଟିରେ ମାଲୱେୟାର ଥିବା ଜଣାପଡ଼ିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ