କର୍ଣ୍ଣାଟକ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଫଟୋ ଉଠାଉଥିବା ବେଳେ ଚାଲିଗଲା ୫ ଜୀବନ । ଏଠାରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମୁଥାଠୀରେ କାବେରୀ ନଦୀ କୂଳରେ ଛିଡ଼ା ହୋଇ ଫଟୋ ଓ ସେଲଫି ଉଠାଇବା ନଦୀ ସ୍ରୋତରେ ଭାସି ଚାଲିଗଲା ୫ ଜୀବନ । ନଦୀର ପ୍ରଖର ସ୍ରୋତରେ ଭାସିଯାଇ ୪ ଜଣ ମହିଳାଙ୍କ ସମେତ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ବେଙ୍ଗାଲୁରୁ ନିକଟସ୍ଥ ଚନ୍ନପଟ୍ଟଣ ଅଞ୍ଚଳର ବୋଲି ଜଣାପଡ଼ିଛି ।
ପୋଲିସ ସୂଚନା ଅନୁଯାୟୀ, ଏହି ପରିବାର ବେଙ୍ଗାଲୁରୁରୁ ଏକ କାର୍ ଭଡ଼ାରେ ନେଇ ମାଣ୍ଡ୍ୟା ଜିଲ୍ଲାର ପ୍ରସିଦ୍ଧ ଅଞ୍ଜନେୟସ୍ୱାମୀ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ । ମନ୍ଦିର ଦର୍ଶନ ସାରି ସମସ୍ତେ କାବେରୀ ନଦୀ କୂଳକୁ ବୁଲିବାକୁ ଯାଇଥିଲେ । ସେଲଫି ନେବା ସମୟରେ ନଦୀ ସ୍ରୋତରେ ସମସ୍ତେ ଭାସିଯାଇଥିଲେ । ଫଳରେ ୫ ଜଣଙ୍କ ଜୀବନ ଚାଲିଯାଇଥିଲା । ସୂଚନା ପାଇଁ ତୁରନ୍ତ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲା ।
ନଦୀ କୂଳରେ ଫଟୋ ଉଠାଉଥିବା ସମୟରେ ପ୍ରଥମେ ୫୦ ବର୍ଷୀୟ ମହିଳା ବିଜୟମ୍ମାଙ୍କ ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ସେ ନଦୀର ଗଭୀର ପାଣିକୁ ଖସି ପଡ଼ିଥିଲେ । ବିଜୟମ୍ମାଙ୍କୁ ବୁଡ଼ିଯାଉଥିବାର ଦେଖି ପରିବାରର ବାକି ସଦସ୍ୟ ଏବଂ ସେମାନଙ୍କ କାର୍ ଡ୍ରାଇଭର ମଧ୍ୟ ତାଙ୍କୁ ରକ୍ଷା କରିବା ପାଇଁ ଜଣଙ୍କ ପରେ ଜଣେ ନଦୀକୁ ଡେଇଁ ପଡ଼ିଥିଲେ । ହେଲେ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣ ସ୍ରୋତରେ ଭାସିଯାଇଥିଲେ । ମୃତକଙ୍କ ପରିଚୟ ମିଳିଛି । ଚିତ୍ରା (୨୦), ପ୍ରିୟଙ୍କା (୨୮), ଶ୍ବେତା (୩୮), ବିଜୟମ୍ମା (୫୦) ଏବଂ ମହେଶ ବୋଲି ଜଣାପଡିଛି । ତେବେ ଅସାବଧାନତା ଯୋଗୁଁ ସମସ୍ତଙ୍କ ଜୀବନ ଚାଲିଯାଇଛି ।
