ନୂଆଦିଲ୍ଲୀ : ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି । ଏହାରି ଭିତରେ ତାଙ୍କ ସ୍ବାସ୍ଥ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି । ୨୦ ଦିନ ଭିତରେ ୯ କିଲୋଗ୍ରାମ ଓଜନ କମିସାରିଲାଣି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେଉଛି । ଦୀଘର୍ଦିନରୁ ଭୋକିଲା ରହିବା ଯୋଗୁଁ ୱାଙ୍ଗଚୁକଙ୍କ ବିଭିନ୍ନ ଅଙ୍ଗ ଗୁରୁତର ଭାବେ ପ୍ରଭାବିତ ହୋଇପାରେ ବୋଲି ଡାକ୍ତର କହିଛନ୍ତି । ଦିଲ୍ଲୀ ହାଇକୋର୍ଟ ପ୍ରତିଦିନ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ୱାଙ୍ଗଚୁକ୍ ନିଜ ଜିଦରେ ଅଟଳ ରହିଛନ୍ତି ।
ଖବର ମୁତାବକ, ବିଭିନ୍ନ ପରୀକ୍ଷାରେ ଅନିୟମିତତା ତଥା ନିଟ୍ ପ୍ରଶ୍ନପତ୍ର ଲିକକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଅନଶନ କରିଛନ୍ତି ୱାଙ୍ଗଚୁକ୍ । କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଅନଶନ ଭାଙ୍ଗିବାକୁ ଅନୁରୋଧ କରିବା ସହିତ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେଉଥିବା କହିଛନ୍ତି ।
ଜୁନ୍ ୨୮ ତାରିଖରେ ଅନଶନ ଆରମ୍ଭ କରିବା ପରଠାରୁ ୱାଙ୍ଗଚୁକ୍ ୯ କିଲୋରୁ ଅଧିକ ଓଜନ ହ୍ରାସ ହୋଇଛି । ଏବେ ୱାଙ୍ଗଚୁକଙ୍କ ପାଇଁ ବିଭିନ୍ନ ମହଲରେ ସମର୍ଥନ ବଢ଼ିବାରେ ଲାଗିଛି ।
ସେପଟେ ସୋନମ ନିଜ ଜିଦ ଉପରେ ଅଡି ବଢିଛନ୍ତି । ସୋନମ ଏନେଇ ଆମରଣ ଅନଶନ କରୁଛନ୍ତି । କୋର୍ଟ ସୋନମଙ୍କ ଜୀବନ ବଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି । ସୋନମଙ୍କୁ ବଞ୍ଚାଇବା ପାଇଁ ସରକାର ମାନବାଧିକାର କର୍ମକର୍ତ୍ତା ଇରୋମ ଶର୍ମିଲାଙ୍କ ଉପାୟ ଆପଣାଇପାରେ । ସେ ୧୬ ବର୍ଷ ଧରି ଲଗାତାର ଆମରଣ ଅନଶନ କରିଥିଲେ ।
