Friday, March 13, 2026
28 C
Odisha

    ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ

    ଆଗକୁ ପଢନ୍ତୁ

    News State ରାଜ୍ୟ
    ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ
    May 19, 2025 Satya 0 Comments state
    ଭୁବନେଶ୍ୱର, ମେ ୧୯: ଦେଶର ଭବିଷ୍ୟତ ନିମନ୍ତେ ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ପରମାଣୁ ଶକ୍ତିର ଉପଯୋଗ କରିବା ଆବଶ୍ୟକ ବୋଲି ବିଶିଷ୍ଟ ପରମାଣୁ ବଜ୍ଞାନୀ ଡକ୍ଟର ଏ.କେ. ତ୍ୟାଗୀ କହିଛନ୍ତି। ବର୍ତମାନ ଜଳବାୟୁ ପରିବର୍ତନ ମଣିଷ ଜୀବନକୁ ବିଶେଷ ପ୍ରଭାବିତ କରିଥିବା ବେଳେ ପ୍ରଦୂଷଣକୁ ନିୟନ୍ତ୍ରିତ କରି ସ୍ୱଚ୍ଛ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପରମାଣୁ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ତ୍ୟାଗୀ କହିଛନ୍ତି । ବର୍ତମାନ ଟ୍ରୋମ୍ବେ ସ୍ଥିତ ହୋମି ଭାବା ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ର ଡିନ୍ ତଥା ସିନିୟର ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଡକ୍ଟର ତ୍ୟାଗୀ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି କ୍ୟାମ୍ପସ ପରିସରରେ ଇଣ୍ଡିଆନ୍ ନ୍ୟାସ୍‌ନାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍‌ଏଇ)ର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ବକ୍ତୃତାମାଳାର ପ୍ରଥମ ବକ୍ତୃତା ପ୍ରଦାନ କରି ସେ ଏହା କହିଥିଲେ । ୧୯୯୮ ମସିହା ମେ ୧୧ ଏବଂ ୧୩ ତାରିଖ ମଧ୍ୟରେ ପୋଖରାନ୍ ଠାରେ ଭାରତ କରିଥିବା ପରମାଣୁ ପରୀକ୍ଷାକୁ ସ୍ମରଣ କରି ଜାତୀୟ ଟେକ୍ନୋଲଜି ଦିବସ ପାଳନ ଅବସରରେ ଏହି ବକ୍ତୃତାମାଳାର ଆୟୋଜନ କରାଯାଇଛି। ପ୍ରଥମ ବକ୍‌ୃତାର ପ୍ରସଙ୍ଗ ‘ସଷ୍ଟେନେବୁଲ ଡେଭଲପମେଂଟ: ରୋଲ ଅଫ୍ ନ୍ୟୁକ୍ଲିୟର ସାଇନ୍ସ ଆଣ୍ଡ ଟେକ୍ନୋଲଜି’ ଉପରେ ବକ୍ତବ୍ୟ ରଖି ଡକ୍ଟର ତ୍ୟାଗୀ କହିଥିଲେ ଯେ ଭାରତରେ ବୃଦ୍ଧି ପାଉଥିବା ବିଦ୍ୟୁତ ଶକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ଜଳବାୟୁ ପରିବର୍ତନର ପ୍ରଭାବକୁ ଦୂର କରିବା ନିମନ୍ତେ ପରମାଣୁ ଶକ୍ତି ନିର୍ଭର ଯୋଗ୍ୟ ଏବଂ ଏହାକୁ ସ୍ଥାୟୀ ବ୍ୟବସ୍ଥା ଭାବେ ଗ୍ରହଣ କରାଯାଇପାରେ। ଡକ୍ଟର ତ୍ୟାଗୀଙ୍କୁ ଆଇଏନ୍‌ଏଇ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ସ୍ୱାଗତ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ବକ୍ତବ୍ୟ ରଖିଥିଲେ । ସୋଆର ସେଂଟର ଫର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା ବକ୍ତାଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ତ୍ୟାଗୀ କହିଥିଲେ ଯେ କୃଷି, ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ମ୍ୟାଟେରିଆଲ୍ ସାଇନ୍ସ କ୍ଷେତ୍ରରେ ପରମାଣୁ ବିଜ୍ଞାନର ପ୍ରଭୂତ ଆବଶ୍ୟକତା ରହିଛି । କ୍ୟାନ୍ସର ଚିକି୍‌ତ୍ସା କ୍ଷେତ୍ରରେ ରୋଗ ଚିହ୍ନଟ ଓ ଚିକିତ୍ସା ନିମନ୍ତେ ରେଡିଓଆଇସୋଟୋପ୍ସ ବ୍ୟବହାର ଏବଂ ଖାଦ୍ୟ ସଂରକ୍ଷଣ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଥବା ସେ କହିଥିଲେ । ଭାରତର ପରମାଣୁ କାର୍ଯ୍ୟକ୍ରମର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିବା ଡକ୍ଟର ତ୍ୟାଗୀ କହିଥିଲେ ଯେ ଗତ ୨୦୦ ବର୍ଷ ଧରି ପରିବେଶକୁ ଯେଉଁଭଳି ଭାବେ ବ୍ୟବହାର କରାଯାଇଛି ସେହି କାରଣରୁ ବିଶ୍ୱରେ ପରିବେଶ ଜନିତ ସମସ୍ୟା ଦେଖା ଦେଇଛି । ପରିବେଶରେ ଅଙ୍ଗାରକାମ୍ଳ ୩୨୦ ପାର୍ଟସ ପର ମିଲିୟନ୍ (ପିପିଏମ୍‌)ରୁ ୪୩୦ ପିପିଏମ୍‌କୁ ବୃଦ୍ଧି ପାଇଛି । ଯଦି ଏହା ୪୫୦ ପିପିଏମ୍ ଛୁଇଁବ ତେବେ ପରିସ୍ଥିତି ଭୟଙ୍କର ହେବ । ତେଣୁ ଗ୍ରୀନ୍ ହାଉସ ଗ୍ୟାସକୁ ହ୍ରାସ କରାଇବା ନିମନ୍ତେ ସମସ୍ତ ପଦକ୍ଷେପ ନେବା ଆବଶ୍ୟକ ଅଟେ । ଏହା ହିଁ ବିଶ୍ୱ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ବୋଲି ସେ କହିଥିଲେ । ଜାତି ସଂଘ ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଧାର୍ଯ୍ୟ କରିଥିବା ବେଳେ କେବଳ ପରମାଣୁ ଶକ୍ତି ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆଗଲେ ଏହା ମଧ୍ୟରୁ ୮ଟି ଲକ୍ଷ୍ୟ ହାସଲ କରିବା ସହଜ ହୋଇପାରିବ ବୋଲି କହିବା ସହ ଦୀର୍ଘ ସମୟ ଧରି ମାନବିକ କାର୍ଯ୍ୟଧାରା ଯୋଗୁଁ ହିଁ ପୃଥିବୀର ସନ୍ତୁଳନରେ ପରିବର୍ତନ ଘଟିଛି ବୋଲି ଡକ୍ଟର ତ୍ୟାଗୀ କହିଥିଲେ । କୋଇଲା ଏବଂ ଅନ୍ୟାନ୍ୟ ଇନ୍ଧନ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ ତଥା ଅନ୍ୟ ଶିଳ୍ପ ଦ୍ୱାରା ପ୍ରଦୂଷଣ ଜନିତ ସମସ୍ୟା ଉପୁଜୁଥିବା ବେଳେ ପରମାଣୁ ଶକ୍ତି ବ୍ୟବହାରରେ ଏଭଳି ସମସ୍ୟା ଦେଖାଦିଏ ନାହିଁ। ଏଥିନିମନ୍ତେ ଭାରତରେ ୟୁରାନିୟମ୍‌ର ଅଭାବ ଥିଲେ ମଧ୍ୟ ଯଥେଷ୍ଟ ଥୋରିୟମ୍ ଗଚ୍ଛିତ ଅଛି ଯାହାକୁ ବ୍ୟବହାର କରାଯାଇପାରିବ ବୋଲି ସେ କହିଥିଲେ
    ଏକ ସପ୍ତାହ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏ ବକ୍ତୃତାମାଳାକୁ ସୋଆ, ଆଇଆଇଟି ଭୁବନେଶ୍ୱର, ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ଏବଂ ନାଇଜର ଭୁବନେଶ୍ୱର ପକ୍ଷରୁ ସଂଚାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିବାକୁ ଥିବା ଅନ୍ୟ ବିଶିଷ୍ଟ ବକ୍ତାମାନେ ହେଲେ ଆଇଆଇଟି (ବିଏଚ୍‌ୟୁ)ର ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଚେୟାରମ୍ୟାନ ତଥା ଭାରତର ଲାଇଟ୍ କମ୍ବାଟ ଏୟାରକ୍ରାଫ୍‌ଟ (ଏଲ୍‌ଏସି)ର ଚିଫ୍ ଡିଜାଇନର ତଥା ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର କୋଟା ହରିନାରାୟଣ, ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚର୍ ଅର୍ଗାନାଇଜେସନ୍ (ଇସ୍ରୋ)ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ସିଷ୍ଟମ୍ (ଡିଆଇଡିଓ)ର ଡାଇରେକ୍ଟର ଜେନେରାଲ ଡକ୍ଟର ବିନୟ କୁମାର ଦାସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ