ନୂଆଦିଲ୍ଲୀ: ହରିୟାଣା ସସ୍ପେନ୍ସର ଅନ୍ତ ଘଟିଛି। ଦୁଇଟି ରାଜ୍ୟସଭା ଆସନରୁ ଗୋଟିଏ ବିଜେପି ପାଇଥିବା ବେଳେ ଅନ୍ୟଟିରେ ଅଳ୍ପ ବ୍ୟବଧାନରେ କଂଗ୍ରେସ ଜିତିବାରେ ସଫଳ ହୋଇଛି। ଭୋଟ୍ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ଅଚଳାବସ୍ଥା ଦେଖା ଦେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସମାଧାନ ହୋଇଥିଲା। ସର୍ବଶେଷ ରିପୋର୍ଟ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି)ର ସଞ୍ଜୟ ଭାଟିଆ ଓ କଂଗ୍ରେସର କରମବୀର ସିଂହ ବୌଧ ହରିୟାଣାରୁ ରାଜ୍ୟସଭା ଆସନକୁ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ନିର୍ବାଚନରେ ତୀବ୍ର ରାଜନୈତିକ ନାଟକ ଦେଖିବାକୁ ମିଳିଥିଲା, ଭୋଟ୍ ଗୋପନୀୟତା ଉଲ୍ଲଂଘନ ନେଇ ଉଭୟ ବିଜେପି ଓ କଂଗ୍ରେସର ଅଭିଯୋଗ ହେତୁ ପ୍ରାୟ ୫.୫ ଘଣ୍ଟା ବିଳମ୍ବ ପରେ ଭୋଟ୍ ଗଣନା ଆରମ୍ଭ ହୋଇଥିଲା। ମୂଳତଃ ଅପରାହ୍ଣ ୪ଟାରେ ମତଦାନ ଶେଷ ହେବା ପରେ ଅପରାହ୍ଣ ୫ଟାରେ ଗଣତି ହେବା କଥା। କିନ୍ତୁ ବିଳମ୍ବରେ ଗଣତି ହୋଇ ଶେଷରେ ରାତ୍ରି ପ୍ରାୟ ୨ଟା ସମୟରେ ଫଳାଫଳ ଘୋଷଣା କରାଯାଇଥିଲା। ଭାଟିଆଙ୍କ ବିଜୟ ମୁଖ୍ୟତଃ ନିଶ୍ଚିତ ବୋଲି ଦେଖାଯାଉଥିବାବେଳେ ଦ୍ୱିତୀୟ ଆସନ ପାଇଁ କଡ଼ା ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ବୌଦ୍ଧ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ସତୀଶ ନନ୍ଦଲଙ୍କ ବିରୋଧରେ ଅଳ୍ପ ବ୍ୟବଧାନରେ ବିଜୟ ହାସଲ କରିଥିଲେ।
