କିଛି ଦିନର ଆଶ୍ୱସ୍ତି ପରେ ପୁଣି ତାତିବ ଓଡ଼ିଶା । ଏବେ କାଳବୈଶାଖୀର କରାଳ ରୂପ କଲବଲ କରୁଥିବା ବେଳେ ମାତ୍ର ୨ ଦିନ ପରେ ପୁଣି ପ୍ରଚଣ୍ଡ ଖରା କଲବଲ କରିବ । ଅପରାହ୍ନ ହେଲେ ଏବେ କଳାହାଣ୍ଡିଆ ହୋଇ ମେଘ ଘୋଟି ଆସୁଛି । ଆଉ ପ୍ରବଳ କାଚୁଛି । କହିବାକୁ ଗଲେ ଏବେ ପାଗ ଏକ ପ୍ରକାରର ଥଣ୍ଡା ଅଛି । କିନ୍ତୁ ଆଗକୁ ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ ।୧୧ ତାରିଖରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୧ ତାରିଖରେ ୧୧ ଟି ଜିଲ୍ଲାରେ ଗରମ, ଗୁଳୁଗୁଳି ଓ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ତାତି ଅନୁଭୂତ ହେବ । ୧୫ ତାରିଖ ପର୍ଯ୍ୟନ୍ତ ଏ ସବୁ ଜିଲ୍ଲାରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି କଲବଲ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
