ଘରୁ ଗୋଡ଼ କାଢ଼ିଲେ ମୁହଁରେ ମାଆଙ୍କ ନାଁ । ଶୁଭ କାମ ହେଉ କି ଦୁଃଖର ସମୟ ମାଆ ଭୈରବୀଙ୍କୁ ସୁମରିଲେ ହିଁ ମନରେ ଆସେ ଭରସା। ବୌଦ୍ଧର ପୁରୁଣାକଟକରେ ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା ପାଉଛନ୍ତି ମାଆ ଭୈରବୀ। ଅଶ୍ୱିନ ମାସର ମୂଳାଷ୍ଟମୀରୁ ଆରମ୍ଭ ହୋଇଛି ମାଆଙ୍କ ଷୋଡଶ ଉପଚାର ପୂଜା। କିନ୍ତୁ ଏଠି ଭକ୍ତିର ରୂପ ଟିକେ ଭିନ୍ନ। ମନ୍ଦିର ଭିତରେ ପୂଜା ଚାଲିବ ହେଲେ ଭକ୍ତଙ୍କ ପାଇଁ ବନ୍ଦ ରହିବ ମାଆଙ୍କ ଦର୍ଶନ। ୧୬ ଦିନ ମାଆ ରହିବେ ଗୁପ୍ତ ପୂଜାରେ। ଦେହୁରୀ ଘରୁ ବାହାରିବ ପାଟଖଣ୍ଡା, ଛତ୍ର ଓ ବିଜେ ପ୍ରତିମା। ଢୋଲ ନିଶାନ ମହୁରୀ ଘଣ୍ଟ ବାଦ୍ୟର ତାଳେ ତାଳେ ମାଆଙ୍କୁ ନିଆଯିବ ମନ୍ଦିରକୁ। ତା’ପରେ ବନ୍ଦ ହୋଇଯିବ ମନ୍ଦିର ପରିସର। ଆଉ ଅର୍ଦ୍ଧରାତ୍ରିରେ ଚାଲିବ ମାଆଙ୍କ ଗୁପ୍ତ ପୂଜା।
କିନ୍ତୁ ମାଆଙ୍କ ଦର୍ଶନ ତ ମିଳୁନି ତାହେଲେ ଭକ୍ତ କରିବେ କ’ଣ? ଏଠି ରହିଛି ଆଉ ଏକ ଅଦ୍ଭୁତ ବିଶ୍ୱାସ। ମନ୍ଦିର ପରିସରରେ ରହିଛି ଶାହାଡ଼ା ଗଛ । ଏହି ୧୬ ଦିନରେ ମାଆଙ୍କ ଦର୍ଶନ ନପାଇ ଭକ୍ତମାନେ ଏହି ଗଛକୁ ଦର୍ଶନ କରନ୍ତି। ବିଶ୍ୱାସ ରହିଛି ଶାହାଡା ଗଛକୁ ଦର୍ଶନ କଲେ ମାଆଙ୍କ ଦର୍ଶନ ଭଳି ଆଶୀର୍ବାଦ ମିଳେ। ସାଧାରଣତଃ ଶକ୍ତିପୀଠରେ ଷୋଡଶ ପୂଜା ଆସିଲେ ମନ୍ଦିର ଚଳଚଞ୍ଚଳ ହୋଇଉଠେ। ମାଆଙ୍କ ବିଭିନ୍ନ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ଜମେ। କିନ୍ତୁ ବୌଦ୍ଧର ମାଆ ଭୈରବୀଙ୍କ ପୀଠରେ ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ। ଯେତେବେଳେ ଅନ୍ୟ ପୀଠରେ ଭକ୍ତଙ୍କ ଭିଡ଼ ବଢ଼େ ସେତେବେଳେ ଏଠି ମାଆ ରହନ୍ତି ଗୁପ୍ତ ପୂଜାରେ। ଏହି ନିଆରା ପରମ୍ପରା ହିଁ ମାଆ ଭୈରବୀଙ୍କ ପୀଠକୁ ଦେଇଛି ସ୍ୱତନ୍ତ୍ର ପରିଚୟ।
ଆଉ ସବୁଠୁ ରୋଚକ କଥା ରାତି ଅଧରେ ମାଆଙ୍କ ବାହନ ଆସି ଭୋଗ ଖାଇଯାଏ ବୋଲି ରହିଛି ବିଶ୍ୱାସ। ଦିନରେ ନିରବ ମନ୍ଦିର ରାତିରେ ଗୁପ୍ତ ପୂଜା । ଆଉ ମାଆଙ୍କ ପାଇଁ ସଜା ହୋଇଥିବା ଭୋଗ। ଏହି ସମସ୍ତ ପରମ୍ପରାକୁ ନେଇ ମାଆ ଭୈରବୀଙ୍କ ଷୋଡଶ ପୂଜା ହୋଇଛି ଆହୁରି ରହସ୍ୟମୟ ଓ ଆକର୍ଷଣୀୟ। ଯେଉଁଦିନ ଗୁପ୍ତ ପୂଜା ସରିବ ସେଦିନ ଖୋଲିବ ମାଆଙ୍କ ଦ୍ୱାର । ଆଉ ପୁଣି ଭକ୍ତଙ୍କୁ ଦର୍ଶନ ଦେବେ ମାଆ ଭୈରବୀ। ଏହି ନିଆରା ପରମ୍ପରା । ଏହି ଗଭୀର ବିଶ୍ୱାସ । ଆଉ ଏହି ଭକ୍ତି ହିଁ ମାଆ ଭୈରବୀଙ୍କ ପୀଠକୁ କରିଛି ସ୍ୱତନ୍ତ୍ର।
