Tuesday, March 10, 2026
32.7 C
Odisha

    ୨୦୩୬ ସୁଦ୍ଧା ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବା ବେଳେ ଆଜିଠୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ହିଞ୍ଜିଳିର ସମରଝୋଳ ଓ ଶେରଗଡରେ ଦୁଇଟି ଜନସଭାକୁ ସମ୍ବୋଧନ କରିବା ସହ ଯୋଡି ଶଙ୍ଖରେ ଆଶୀର୍ବାଦ କରନ୍ତୁ ବୋଲି ଲୋକଙ୍କୁ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

    ବିଶାଳ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣ ମାନେ ଏତେ ଖରାରେ ଆସିଛନ୍ତି ସେଥିପାଇଁ ଧନ୍ୟବାଦ ଦେଉଛି । ଆପଣ ମାନେ ସବୁ ବେଳେ ମୋ ସହ ଅଛନ୍ତି, ଓଡ଼ିଶା ମା’ର ସେବା କରିବାର ସୁଯୋଗ ଆପଣ ମାନେ ମୋତେ ଦେଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସବୁବେଳେ କହି ଆସୁଛି ଓଡ଼ିଶାର ସାଢେ ୪ କୋଟି ଲୋକ ମୋ ପରିବାର । ମୁଁ ସବୁବେଳେ ଓଡ଼ିଶାର ବିକାଶ ପାଇଁ କାମ କରୁଛି ଓ ଶେଷପର୍ଯ୍ୟନ୍ତ କରିବି । ହିଞ୍ଜିଳି ଓ ଶେରଗଡ଼ ଆଜି ଦେଶରେ ବିକାଶର ମଡେଲ ସାଜିଛି । ୫ ଟି ରୂପାନ୍ତରଣ କାର୍ଯ୍ୟକ୍ରମ କ୍ରମରେ ସ୍କୁଲ ଓ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ହିଞ୍ଜିଳିରୁ ଆରମ୍ଭ ହୋଇଥିଲା । ଆପଣ ମାନଙ୍କ ସହଯୋଗରେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିଛି । ଆପଣଙ୍କ ସହଯୋଗ ପାଇଁ ମୁଁ ଚିରଉପକୃତ । ହିଞ୍ଜିଳିରୁ ସେବା କରିବା ପାଇଁ ସୁଯୋଗ ପାଇଥିବାରୁ ମୁଁ ଗର୍ବିତ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଆମ ସରକାର ନାରୀ ସଶକ୍ତିକରଣକୁ ସାର୍ଥକ କରିଛି। ମିଶନ ଶକ୍ତିର ମା’ମାନେ ଆଜି ଉଦ୍ୟୋଗୀ । ଆଜି ଓଡ଼ିଶାର ଚାଷୀମାନେ ଶୂନ ପ୍ରତିଶତ ସୁଧରେ ଋଣ ପାଉଛନ୍ତି । ମିଶନ ଶକ୍ତିର ମା’ମାନେ ବିନା ସୁଧରେ ଋଣ ପାଉଛନ୍ତି । ମୁଁ ବହୁତ ଖୁସି ଯେ, ଆମ ରାଜ୍ୟର ମା’ ମାନେ ୮ ହଜାର କୋଟି ଟଙ୍କାର ଋଣ ନେଇ ସାରିଲେଣି । ରାଜ୍ୟରେ ପାଖାପାଖି ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କରି ପାଖାପାଖି ୭୦ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି। ଏଥି ସହିତ ଜନସଭାରେ ନବୀନ ଓଡ଼ିଶାର ବିପର୍ଯ୍ୟୟ କଥା ମନେ ପକାଇ କହିଛନ୍ତି ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ଆମେ ବିପର୍ଯ୍ୟୟ ନିୟନ୍ତ୍ରଣ ମାମଲାରେ ଦେଶର ଅଗ୍ରଣୀ ରାଜ୍ୟ ହୋଇଛୁ। ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ସହ ନିବେଶ ମାମଲାରେ ମଧ୍ୟ ଓଡ଼ିଶା ଦେଶର ଆଗୁଆ ରାଜ୍ୟ ହୋଇପାରିଛି। ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୂରଣ କରିବ, ଆଉ ସେହି ସମୟ ବେଳକୁ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ଭାବେ ଉଭା ହୋଇଥିବ। ବିକାଶ ହେଉଛି ଆମର ପରିଚୟ, ଆଗକୁ ବିକାଶ କାମ ଜାରି ରହିବା ସହ ଓଡ଼ିଶା ଉନ୍ନତି କରିଚାଲିବ। ଏଣୁ ମୋର ବିଶ୍ୱାସ ଆପଣଙ୍କ ଆର୍ଶିବାଦରେ ବିଧାନସଭା ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ । ଯୋଡ଼ିଶଙ୍ଖକୁ ଆର୍ଶିବାଦ ଦିଅନ୍ତୁ ବୋଲି ନବୀନ ଲୋକଙ୍କୁ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.7 ° C
    32.7 °
    32.7 °
    41 %
    0.4kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ