Wednesday, July 22, 2026
23.3 C
Odisha

    ୨୧ରୁ ୨୮କୁ ବଢିପାରେ ଓଡିଶାର ଲୋକସଭା ଆସନ ସଂଖ୍ୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ ଲୋକସଭା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ଦ୍ବାରା ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକର ଲୋକସଭା ଆସନ ସଂଖ୍ୟା ହ୍ରାସ ପାଇବ ବୋଲି ଆଶଙ୍କା ବ୍ୟକ୍ତ କରିବା ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାକୁ ଖଣ୍ଡନ କରିଛନ୍ତି। ତେବେ ୨୦୨୬ରେ ସମ୍ଭାବ୍ୟ ଡିଲିମେଟସନ୍‌ ଦ୍ବାରା ଭାରତର ନିର୍ବାଚନ ନକ୍ସାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଥିବା ଏବେଠୁ ଆକଳନ କରାଯାଉଛି। ଜନଗଣନା ପରେ ଜନସଂଖ୍ୟା ଆଧାରରେ ଡିଲିମିଟେସନ୍‌ ହେବାର ନିୟମ ରହିଛି। ଜନଗଣନା ୫ ବର୍ଷ ବିଳମ୍ବିତ ହୋଇଥିବାବେଳେ ଚଳିତ ବର୍ଷ ଏହା ଅନୁଷ୍ଠିତ ହେବାର ସମ୍ଭାବନା ମଧ୍ୟ ଦେଖାଯାଉନାହିଁ। ଯଦି ଜନଗଣନା ହେବ; ତେବେ ତାହା ଅନ୍ୟୂନ ୨୦୨୬ରେ ଶେଷ ହେବ ଏବଂ ତା’ପରେ ଡିଲିମିଟେସନ୍‌ ପ୍ରକ୍ରିୟା ଆୟୋଜନ ହେବ। ଅପରପକ୍ଷରେ ପ୍ରଚଳିତ ନିୟମାନୁସାରେ ୨୦୨୬ରେ ଡିଲିମିଟେସନ୍‌ କରାଯିବା କଥା।ଦେଶରେ ଜନସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ୧୯୭୭ରୁ ଲୋକସଭା ଆସନ ସଂଖ୍ୟାରେ ପରିବର୍ତ୍ତନ ହୋଇନାହିଁ। ଜନସଂଖ୍ୟା ବୃଦ୍ଧି ଅନୁସାରେ ଡିଲିମିଟେସନ୍‌ ହେଲେ ଲୋକସଭା ସଦସ୍ୟ ସଂଖ୍ୟା ୫୪୩ରୁ ୭୫୩କୁ ବୃଦ୍ଧି ପାଇବାର ଆକଳନ କରାଯାଉଛି। ଏହି ସଂଖ୍ୟା ୮୪୬ରେ ମଧ୍ୟ ପହଞ୍ଚିପାରେ। କେନ୍ଦ୍ର ସରକାର ଲୋକସଭାରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ଆ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଡିଲିମିଟେସନ୍‌ରେ ଏହା କାର୍ଯ୍ୟକାରୀ ହେବ। ଅନ୍ୟାନ୍ୟ ସଂରକ୍ଷଣ ଅନୁପାତ ମଧ୍ୟ ବୃଦ୍ଧିପାଇବ। ଡିଲିମିଟେସନ୍‌ ହେଲେ ଉତ୍ତର ପ୍ରଦେଶ ଓ ବିହାର ଭଳି ଉତ୍ତର ଭାରତୀୟ ରାଜ୍ୟ ସର୍ବାଧିକ ଲାଭବାନ ହେ​‌ବେ ବୋଲି କୁହାଯାଉଛି; କାରଣ ଏହି ରାଜ୍ୟଗୁଡ଼ିକର ଜନସଂଖ୍ୟା ଦକ୍ଷିଣ ଭାରତୀୟ ରାଜ୍ୟ ତୁଳନାରେ ଅଧିକ। ଆକଳନ ଅନୁସାରେ କର୍ଣ୍ଣାଟକର ଲୋକସଭା ଆସନ ସଂଖ୍ୟା ୨୮ରୁ ୩୬କୁ ବୃଦ୍ଧିପାଇବ। ସେହିପରି ୧୭ରୁ ୨୦କୁ, ଆନ୍ଧ୍ର ପ୍ରଦେଶରେ ୨୫ରୁ ୨୮କୁ, ତାମିଲନାଡୁରେ ୩୯ରୁ ୪୧କୁ ବୃଦ୍ଧି ପାଇବା ସମ୍ଭାବନା ଥିଲାବେଳେ କେରଳରେ ୨୦ରୁ ୧୯କୁ ହ୍ରାସ ପାଇବା ସମ୍ଭାବନା ରହିଛି। ସେହିପରି ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା ୨୧ରୁ ୨୮କୁ ବୃଦ୍ଧି ପାଇପାରେ। ଅପରପକ୍ଷରେ ଉତ୍ତର ପ୍ରଦେଶରେ ୮୦ରୁ ୧୨୮କୁ, ବିହାରରେ ୪୦ରୁ ୭୦କୁ, ଝାଡ଼ଖଣ୍ଡରେ ୧୪ରୁ ୨୪କୁ, ମଧ୍ୟପ୍ରଦେଶରେ ୨୯ରୁ ୪୭କୁ, ଛତିଶଗଡ଼ରେ ୧୧ରୁ ୧୯କୁ, ଗୁଜରାଟରେ ୨୬ରୁ ୪୩କୁ, ମହାରାଷ୍ଟ୍ରରେ ୪୮ରୁ ୬୮କୁ, ରାଜସ୍ଥାନରେ ୨୫ରୁ ୪୪କୁ ଆସନ ସଂଖ୍ୟା ବୃଦ୍ଧିପାଇବା ସମ୍ଭାବନା ରହିଛି। ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପାଇଲେ ସରକାର ଗଠନର ମ୍ୟାଜିକ ସଂଖ୍ୟା ମଧ୍ୟ ବଦଳିଯିବ। ମୋଟ ଆସନ ସଂଖ୍ୟା ଯଦି ୮୪୬ ହୁଏ; ତେବେ ମ୍ୟାଜିକ ସଂଖ୍ୟା ୪୨୪ ହେବ। ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ, ହରିୟାଣା ଭଳି ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ମିଶିଲେ ୩୭୮ ହେବ। ଓଡ଼ିଶା ଓ ମହାରାଷ୍ଟ୍ର ମିଶିଗଲେ ଏହା ୪୮୨ରେ ପହଞ୍ଚିଯିବ। ସ୍ବାଭାବିକ ଭାବେ ଏହା କେନ୍ଦ୍ରରେ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟାକୁ ଅତିକ୍ରମ କରିବା ସହ ଏଥିପାଇଁ ଅଧିକ ଶକ୍ତି କରିବ।ଅପରପକ୍ଷରେ ଦାକ୍ଷିଣାତ୍ୟ ରାଜ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କେରଳ ଓ ପୁଡୁଚେରୀର ମୋଟ ପ୍ରତିନିଧିତ୍ବ ମାତ୍ର ୧୬୫ରେ ପହଞ୍ଚିବ। ତେଣୁ ଦେଶର ନିମ୍ନ ସଦନରେ ପ୍ରତିନିଧିତ୍ବ କ୍ଷେତ୍ରରେ ବ୍ୟାପକ ଅସମାନତା ଲକ୍ଷ୍ୟ କରାଯିବ ଏବଂ ଉତ୍ତର ଭାରତୀୟ ରାଜ୍ୟମାନେ ପ୍ରାଧାନ୍ୟ ଜାହିର କରିବେ। ଭବିଷ୍ୟତର ଏହି ସମ୍ଭାବ୍ୟ ବିପଦକୁ ଷ୍ଟାଲିନ୍‌ ଠିକ୍‌ ଆକଳନ କରିଥିବା କୁହାଯାଉଛି। ୨୦୦୨ରେ ପ୍ରଣୀତ ଡିଲିମିଟେସନ୍‌ ଆଇନାନୁସାରେ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ କ୍ଷେତ୍ରରେ ରାଜ୍ୟଗୁଡ଼ିକର ବିଶେଷ ଭୂମିକା ନଥାଏ। ନିର୍ବାଚନ ଆୟୋଗଙ୍କ ଡିଲିମିଟେସନ୍‌ କମିସନ୍‌ ଏହାକୁ ଜନଗଣନା ଅଧିକାରୀ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହାୟତାରେ ସ୍ଥିର କରିବେ। ଉପରୋକ୍ତ ହିସାବ ଅନୁସାରେ ଜନପ୍ରତିନିଧିତ୍ବ କ୍ଷେତ୍ରରେ ଅସଂଗତି ସୃଷ୍ଟି ହେବାର ଆଶଙ୍କା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.3 ° C
    23.3 °
    23.3 °
    98 %
    2.2kmh
    100 %
    Tue
    23 °
    Wed
    25 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ