Friday, August 28, 2026
24.4 C
Odisha

    ୮ଟି ପ୍ରକଳ୍ପରେ ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ଵାକ୍ଷର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡିଶା ଗସ୍ତରେ ଏବେ ସିଙ୍ଗାପୁର ରାଷ୍ଟ୍ରପତି ଥିବାବେଳେ ତାଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଆଜି ୮ଟି ବୁଝାମଣାପତ୍ର ସ୍ଵାକ୍ଷର କରିଛନ୍ତି | ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ଵାକ୍ଷର କରାଯାଇଛି | ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଓଡ଼ିଶାର ଦକ୍ଷତା ଓ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବା ସହ ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍‍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ସୃଷ୍ଟି ହେବ।ରାଜ୍ୟ ଶକ୍ତି ବିଭାଗ, ସିଙ୍ଗାପୁରର ନାନୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭରସିଟି (ଏନଟିୟୁ) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ସହିତ ଆନୁଷ୍ଠାନିକ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ସିଙ୍ଗାପୁରର ମହାମହିମ ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମ୍ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଏହି ସହଯୋଗାତ୍ମକ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ନୂତନ ଏବଂ ଅକ୍ଷୟ ଶକ୍ତି ସମ୍ବନ୍ଧୀୟ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା। ଅକ୍ଷୟ ଶକ୍ତି ବିକାଶ ଦିଗରେ ଏହି ଏମଓୟୁ ଏକ ପରିବର୍ତ୍ତନକାରୀ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି । ଏହି ସହଭାଗିତା ବଳରେ ଓଡ଼ିଶାକୁ କାର୍ବନ ମୁକ୍ତ କରିବାରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏବଂ 2070 ମସିହା ସୁଦ୍ଧା ଦେଶର ନେଟ୍-ଜିରୋ ଲକ୍ଷ୍ୟ ସାଧନ ଅଧିକ ସହଜ ହେବ । ଅକ୍ଷୟ ଶକ୍ତିରେ କୁଶଳୀ ମାନବ ସମ୍ବଳ ଏବଂ ଉଚ୍ଚସ୍ତରୀୟ ବିଶେଷଜ୍ଞ ସୃଷ୍ଟି କରିବା ଦିଗରେ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଜଣାପଡିଛି । ଏଥିସହିତ ଏକ “ବିକଶିତ ଓଡ଼ିଶା” ଗଠନ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମତପ୍ରକାଶ ପାଇଛି ।

    ଏହି ସହଭାଗୀତାର ଉଦ୍ଦେଶ୍ୟ ହେଉଛି ଅକ୍ଷୟ ଶକ୍ତି ଉତ୍ସ ଯଥା ସୌର, ପବନ, ଜଳ ବିଦ୍ୟୁତ, ଏବଂ ଜୈବିକ ଶକ୍ତି ଆଦି କ୍ଷେତ୍ରରେ ଆବଶ୍ୟକ ହେଉଥିବା ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ଆଣିବା ସହିତ ଅତ୍ୟାଧୁନିକ, ଦକ୍ଷ ଏବଂ ସ୍ଥାୟୀ ଶକ୍ତି ସମାଧାନର ବିକାଶ କରିବା। ଏହା ଶିଳ୍ପ ଏବଂ ଦୈନନ୍ଦିନ ଜୀବନରେ ସୁରକ୍ଷା, ଦକ୍ଷତା ଏବଂ ବାସ୍ତବ ପ୍ରୟୋଗ ଉପରେ ଧ୍ୟାନ ଦେଇ ବ୍ୟାଟେରୀ ଶକ୍ତି ଷ୍ଟୋରେଜ୍ ସିଷ୍ଟମ୍ (ବିଇଏସ୍ଏସ୍), ପମ୍ପଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ (ପିଏସପି) ଏବଂ ହାଇଡ୍ରୋଜେନ୍ ଟେକ୍ନୋଲୋଜି ଷ୍ଟୋରେଜ୍ ଭଳି ନୂତନ ତଥା ସୃଜନାତ୍ମକ ଦିଗର ବିକାଶରେ ସହାୟକ ହେବ ।

    ଏହି ମିଳିତ ରାଜିନାମା ବଳରେ ମାଇକ୍ରୋ ଗ୍ରିଡ୍ ଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା, ଅକ୍ଷୟ ଶକ୍ତି ଏକୀକରଣ ପାଇଁ ଗ୍ରୀଡ୍ ପରିଚାଳନା ରଣନୀତିର ପ୍ରସ୍ତୁତି ଏବଂ ଜଳବାୟୁ ତଥା ପରିବେଶ ବିଜ୍ଞାନ କ୍ଷେତ୍ରରେ ଅଧିକ ଅଧ୍ୟୟନ ସମ୍ଭବପର ହେବ। ଏହି ସହଯୋଗ ଶକ୍ତି କ୍ଷେତ୍ରରେ ପେସାଦାର ମାନବସମ୍ବଳ ସୃଷ୍ଟି ଦିଗରେ ମଧ୍ୟ ଅଧିକ ସହାୟକ ହେବ ଏବଂ ଏହା ଅକ୍ଷୟ ଶକ୍ତି ଗବେଷଣା ଏବଂ ନବସୃଜନ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଏକ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବ ।

    ଏହି ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସିଙ୍ଗାପୁର ପରିବହନ ଏବଂ ଉପ-ଅର୍ଥମନ୍ତ୍ରୀ ଚି ହଙ୍ଗ୍ ଟାଟ୍, ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡ଼ାଙ୍କ ସହ ଏନଟିୟୁ, ସିଙ୍ଗାପୁର, ଆଇଆଇଟି, ଭୁବନେଶ୍ୱର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    94 %
    1.7kmh
    50 %
    Fri
    30 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ