Friday, October 2, 2026
29.9 C
Odisha

    ୫ ବର୍ଷରେ ୧୦ ଲକ୍ଷ କୋଟି ଋଣ ରାଇଟ୍‌ ଅଫ୍‌: ମାତ୍ର ୧.୮ ଲକ୍ଷ କୋଟି ଅସୁଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗତ ପାଞ୍ଚ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଋଣ ରାଇଟ୍‌ ଅଫ୍‌ କରିଛନ୍ତି। ସେଥିରୁ ମାତ୍ର ୧.୮ ଲକ୍ଷ କୋଟି ଟଙ୍କା ଅସୁଲ କରିବାରେ ସେମାନେ ସଫଳ ହୋଇଛନ୍ତି ଯାହା ମୋଟ୍‌ ରାଇଟ୍‌ ଅଫ୍‌ର ମାତ୍ର ୧୮ ପ୍ରତିଶତ। ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଦେଇଥିବା ସୂଚନା ଅନୁସାରେ ୨୦୧୯-୨୦ରେ ସର୍ବାଧିକ ୨.୩୪ ଲକ୍ଷ କୋଟି ଟଙ୍କାର ଋଣ ରାଇଟ୍‌ ଅଫ୍‌ କରାଯାଇଥିଲା। ୨୦୨୦-୨୧ରେ ୨.୦୨ ଲକ୍ଷ କୋଟି ଟଙ୍କା, ୨୦୨୧-୨୨ରେ ୧.୭୪ ଲକ୍ଷ କୋଟି ଟଙ୍କା, ୨୦୨୨-୨୩ରେ ୨.୦୮ ଲକ୍ଷ କୋଟି ଟଙ୍କା ଓ ୨୦୨୩-୨୪ରେ ୧.୭୦ ଲକ୍ଷ କୋଟି ଟଙ୍କାର ଋଣକୁ ବ୍ୟାଙ୍କଗୁଡ଼ିକ ରାଇଟ୍‌ ଅଫ୍‌ କରିଛନ୍ତି। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ରାଇଟ୍‌ ଅଫ୍‌ ଦ୍ବାରା ଋଣଗ୍ରହୀତାଙ୍କୁ କୌଣସି ଆଶ୍ବସ୍ତି ମିଳେ ନାହିଁ। ତାଙ୍କଠାରୁ ଋଣ ଅସୁଲ କରିବା ପ୍ରକ୍ରିୟ‌ା ଜାରି ରହିଥାଏ।
    ରାଇଟ୍‌ ଅଫ୍ ହେଉଛି ଏକ ବ୍ୟବସ୍ଥା ଯେଉଁଥିରେ ବ୍ୟାଙ୍କଗୁଡ଼ିକ ଦୀର୍ଘଦିନ ଧରି ଅସୁଲ ହୋଇପାରୁନଥିବା ଋଣକୁ ନିଜ ଖାତାରୁ ହଟାଇ ଦିଅନ୍ତି। କିନ୍ତୁ ସେଗୁଡ଼ିକୁ ଅସୁଲ କରିବା ଲାଗି ଉଦ୍ୟମ ଜାରି ରଖନ୍ତି। ଏହି ପ୍ରକ୍ରିୟାରେ ଋଣ ରାଶି ବୁଡ଼ିଯିବାର ଆଶଙ୍କା ଅଧିକ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡ୍‌ଲାଇନ୍ ଅନୁସାରେ ଅସୁଲ ହୋଇପାରୁନଥିବା ଯେଉଁ ଋଣ ପାଇଁ ବ୍ୟାଙ୍କଗୁଡ଼ିକ ପ୍ରୋଭିଜନିଂ କରିସାରିଛନ୍ତି ତାହାକୁ ସେମାନେ ରାଇଟ୍‌ ଅଫ୍‌ ଜରିଆରେ ବାଲାନ୍ସ ସିଟ୍‌ରୁ ହଟାଇପାରିବେ।
    ଏଥି ସହିତ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସିଡ୍ୟୁଲ୍‌ଡ କମର୍ସିଆଲ୍ ବ୍ୟାଙ୍କଗୁଡ଼ିକର ମୋଟ୍ ଏନ୍‌ପିଏ ୨୦୨୦ ମାର୍ଚ୍ଚ ବେଳକୁ ୮,୯୬,୦୮୨ କୋଟି ଟଙ୍କା ଥିଲା। ୨୦୨୪ ମାର୍ଚ୍ଚ ସୁଦ୍ଧା ତାହା ୪,୮୦,୬୮୭ କୋଟି ଟଙ୍କାକୁ ହ୍ରାସ ପାଇଛି। ସେ କହିଛନ୍ତି ଯେ ୨୦୧୭-୧୮ରେ ଏହି ବ୍ୟାଙ୍କଗୁଡ଼ିକର ମୋଟ କ୍ଷତି ୩୨,୪୩୭ କୋଟି ଟଙ୍କା ଥିଲା। ମାତ୍ର ୨୦୨୩-୨୪ରେ ସେମାନଙ୍କ ମୋଟ ଲାଭ ପରିମାଣ ୩,୪୧,୬୭୨ କୋଟି ଟଙ୍କା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ