Tuesday, March 17, 2026
22.9 C
Odisha

    ୧୦୦କୋଟି ଖର୍ଚ୍ଚ ହେଲେ ୫-ଟି ହଟିବ: ଏବେବି ବହୁ ସରକାରୀ ହୋର୍ଡିଂରେ ନବୀନ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନବୀନ ସରକାରରେ ୫-ଟି ଓ ମୋ ସରକାର ବ୍ୟବସ୍ଥା ଥିଲା। ବିଜେପି ୫-ଟିକୁ ଏକ ଅସାମ୍ବିଧାନିକ ବ୍ୟବସ୍ଥା କହି ଜୋର୍‌ଦାର ବିରୋଧ କରୁଥିଲା। ଏପରିକି ଏଥିରେ ଭି.କେ ପାଣ୍ଡିଆନଙ୍କ ନିଯୁକ୍ତି ନେଇ ବି ପ୍ରଶ୍ନ କରୁଥିଲା। ୫-ଟି ଅଧୀନରେ ହୋଇଥିବା କାମ ବେଆଇନ ବୋଲି କହୁଥିଲା। କିନ୍ତୁ ବିଜେପି ସରକାର ଗଠନ ହେବାର ତିନି ସପ୍ତାହ ପରେ ବି ସାରା ରାଜ୍ୟରେ ୫-ଟି ଲୋଗୋ ସେମିତି ଝଟକୁଛି। ସରକାରୀ କାର୍ଯ୍ୟାଳୟରୁ ଆରମ୍ଭ କରି କାନ୍ଥବାଡ଼, ହୋର୍ଡିଂ ପର୍ଯ୍ୟନ୍ତ ସବୁଠି ୫-ଟି ଲୋଗୋ ରହିଛି। ଏବେବି ବହୁ ହୋର୍ଡିଂରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳୁଛି।
    କୌତୂହଳର କଥା ହେଲା, ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାର ନାମ ବଦଳାଇ ମୋହନ ସରକାର ‘ମୁଖ୍ୟମନ୍ତ୍ରୀ ବସ୍‌ ଯୋଜନା’ କରିବାକୁ ଘୋଷଣା କରିଛନ୍ତି। ଏବେ ଏହି ବସ୍‌ରେ ଲାଗିଥିବା ସବୁଜ/ନୀଳ ରଙ୍ଗର ଷ୍ଟିକର ଉପରେ ଗେରୁଆ ରଙ୍ଗ ମରା ହେଉଛି। ଏପରି ପରିସ୍ଥିତିରେ ୫-ଟି ଲୋଗୋ ହଟାଇବାକୁ କେବେ ପଦକ୍ଷେପ ନିଆଯିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ଏପଟେ ରାଜ୍ୟରେ ସରକାର ବଦଳିବା ପରେ ଏବେ ବିଭିନ୍ନ ବିଭାଗକୁ ୫-ଟି ଓ ମୋ ସରକାର ଲେଖା ହଟାଇବା ଚିନ୍ତା ଘାରିଛି। କେବଳ ୫-ଟି ଲୋଗୋ ମାରିବାକୁ ବିଜେଡି ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏବେ ଏହାକୁ ହଟାଇବାକୁ ବିଜେପି ସରକାର ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ ବୋଲି ଆକଳନ କରାଯାଉଛି। ଏଣୁ ଏହି ଲୋଗୋ ହଟାଇବା ନିଷ୍ପତ୍ତି ଉପରେ ମୋହର ଲାଗିପାରୁନାହିଁ।

    recommended by

    HERBEAUTY
    कंगना रनौत से जुड़ा ये राज़ जान कर यकीन नहीं कर पाएंगे
    और जानें
    ୫-ଟି ଲୋଗୋ ବଦଳାଇବା ନିଷ୍ପତ୍ତି ହୋଇପାରୁନି
    ୫-ଟିକୁ ବିଜେପି ଅସାମ୍ବିଧାନିକ କହି ବିରୋଧ କରିଥିଲା
    ଏବେବି ବହୁ ସରକାରୀ ହୋର୍ଡିଂରେ ନବୀନ ମୁଖ୍ୟମନ୍ତ୍ରୀ

    ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳି ସରକାରରେ ସବୁ ବିଭାଗକୁ ୫-ଟି ଅଧୀନରେ ସାମିଲ୍ କରାଯିବା ସହ ସମସ୍ତ ସରକାରୀ ହୋର୍ଡିଂରୁ ଆରମ୍ଭ କରି ସ୍କୁଲ, ହସ୍ପିଟାଲ, ସରକାରୀ କାର୍ଯ୍ୟାଳୟରେ ୫-ଟି ଲେଖା ଚାଲିଲା। ଫାଇଲ୍‌ରେ ବି ରାଜ୍ୟ ସରକାରଙ୍କ ଲୋଗୋ ସହ ୫-ଟି ଲୋଗୋ ରହିଥିଲା। ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବିଜେପିର ଅଭିଯୋଗ ଅନୁଯାୟୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ସମସ୍ତ ସରକାରୀ ୱେବସାଇଟ୍‌ରୁ ୫-ଟି ଲୋଗୋ ହଟାଇ ଦେଇଥିଲେ। ହେଲେ ସରକାରୀ ହୋର୍ଡିଂ, ସରକାରୀ କାର୍ଯ୍ୟାଳୟ କାନ୍ଥ, ସ୍କୁଲ, କଲେଜ ସବୁଠି ଏବେବି ୫-ଟି ଲୋଗୋ ଅଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସବୁଠୁ ଅଧିକ ପ୍ରଚାର କରିଥିଲା। ଆଶ୍ଚର୍ଯ୍ୟର ବିଷୟ ୫-ଟି ଲୋଗୋ ଲଗାଇବା ପାଇଁ ନିର୍ବାଚନର ଦୁଇ ମାସ ପୂର୍ବରୁ ରାଜ୍ୟର ସହରାଞ୍ଚଳରେ ଥିବା‌ ପ୍ରାୟ ୨୧୦୦ ୱାର୍ଡରେ ନୂଆ ହୋର୍ଡିଂ ଲାଗିଥିଲା। ଏଥିରେ ମୋ ପୋଖରୀ, ଜାଗା ମିସନ୍, ମୁକ୍ତା ଯୋଜନା ପାଇଁ ପ୍ରାୟ ୨୦ହଜାର ହୋର୍ଡିଂ ଲାଗିଥିଲା। କେଉଁ ୱାର୍ଡରେ ୫ଟା ତ କେଉଁଠି ୨୦ଟା। ବଡ଼ ସହରରେ ତ ଗୋଟିଏ ଲେଖାଏ ୱାର୍ଡରେ ୨୫ରୁ ୩୦ଟା ଲେଖାଏ ହୋର୍ଡିଂ ଲାଗିଥିଲା। ଏଥିପାଇଁ ନଗର ଉନ୍ନୟନ ବିଭାଗ ୩୫ହଜାର ଟଙ୍କା ଧାର୍ଯ୍ୟ କରିଥିଲା। ଅର୍ଥାତ୍ ୨୦ହଜାର ହୋର୍ଡିଂ ପାଇଁ ପ୍ରାୟ ୭୦କୋଟି ଖର୍ଚ୍ଚ କରିଥିଲା। ଏହି ହୋର୍ଡିଂ ଷ୍ଟିକର ବଦଳାଇଲେ(୫-ଟି ହଟିବ, ନୂଆ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବ) ପ୍ରାୟ ୪ହଜାର ଟଙ୍କା‌ ଖର୍ଚ୍ଚ ହେବ ବୋଲି ଅଧିକାରୀମାନେ ଆକଳନ କରିଛନ୍ତି। ଏଥିପାଇଁ ପ୍ରାୟ ୮କୋଟି ଖର୍ଚ୍ଚ ହେବ। ସେହିପରି ୱାଟ୍‌କୋ ପକ୍ଷରୁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌ର ପ୍ରଚାର ପ୍ରସାର ପାଇଁ ନିର୍ବାଚନ ପୂର୍ବରୁ ୫-ଟି ଲୋଗୋ ଥାଇ ପ୍ରାୟ ୧୦ହଜାର ହୋର୍ଡିଂ ଲାଗିଥିଲା। ଏହାର ଷ୍ଟିକର ବଦଳାଇଲେ ଏବେ ୪ କୋଟି ଖର୍ଚ୍ଚ ହେବ। ବିଭିନ୍ନ ଅଫିସରେ ଲାଗିଥିବା ୫-ଟି ଓ ମୋ ସରକାର ଗୃହରୁ ଷ୍ଟିକର ହଟାଇବା, ରଙ୍ଗରେ ଲେଖା ହୋଇଥିବା ୫-ଟି ଲିଭାଇ ନୂଆ ରଙ୍ଗ ମାରିବାରେ ପ୍ରାୟ ଦୁଇରୁ ତିନି କୋଟି ଟଙ୍କା ଖର୍ଚ୍ଚ ହେବ। ଏହିପରି ନଗର ଉନ୍ନୟନ ବିଭାଗ କେବଳ ପ୍ରାୟ ୧୫କୋଟି ଟଙ୍କା ଖର୍ଚ୍ଚ କରିବ।

    ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ସାରା ରାଜ୍ୟରେ ଯେତିକି ସ୍ଥାନରେ ୫-ଟି ଲୋଗୋ ଲଗାଯାଇଛି ସେଗୁଡ଼ିକୁ ହଟାଇ ପୁଣି ରଙ୍ଗ ମାରିବାକୁ ପ୍ରାୟ ୫୦ରୁ ୬୦କୋଟି ଖର୍ଚ୍ଚ ହୋଇଯିବ। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍କୁଲ, ମେଡିକାଲରେ ଲାଗିଥିବା ହୋର୍ଡିଂର ଷ୍ଟିକର ବଦଳାଇବା, ରଙ୍ଗ ଉପରେ ପୁଣି ନୂଆ ରଙ୍ଗ ମାରିବାରେ ଏତିକି ଖର୍ଚ୍ଚ ହେବ। ହେଲେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରାୟ ୧ମାସ ସମୟ ଲାଗିଯିବ। ଏହାବାଦ୍ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ବିଭାଗର ବିଭିନ୍ନ ସ୍ଥାନରେ ଲାଗିଥିବା ରାସ୍ତା କାମ, ହୋର୍ଡିଂ, ସାଇନେଜ୍ ଆଦିରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ୫-ଟି ଲୋଗୋ ହଟାଇବାକୁ ପ୍ରାୟ ୧୫ କୋଟି ଲାଗିବ। ସେହିପରି ବିଭିନ୍ନ ବିଭାଗ ପକ୍ଷରୁ ପୂର୍ବରୁ ଲାଗିଥିବା ହୋର୍ଡିଂରେ ୫-ଟି ଲୋଗୋ ଲାଗିଥିବାବେଳେ ଏହାକୁ ଆଦର୍ଶ ଆଚରଣ ବିଧି ଲାଗୁ ହେବାପରେ ଘୋଡ଼ାଇ ଦିଆଯାଇଥିଲା। ସେଗୁଡ଼ିକୁ ବଦଳାଇଲେ ୧୦ରୁ ୧୨କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। ଏହିପରି ହିସାବ କଲେ ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    64 %
    3.3kmh
    85 %
    Tue
    24 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ