Tuesday, September 8, 2026
25.2 C
Odisha

    ୪୯ ଟିକିଆ ଝାଡ଼ଖଣ୍ଡି ହାତୀପଲ କବଳରେ ୨ଗାଁ: ୧୭୫ପରିବାର ସଙ୍କଟରେ

    ଆଗକୁ ପଢନ୍ତୁ

    ବୈଶିଙ୍ଗା: ବେତନଟୀ ଅଞ୍ଚଳରେ ହାତୀ ଆତଙ୍କ ଥମିବାର ନାମ ଧରୁନି। କେତେବେଳେ ଜାତୀୟ ରାଜପଥ ୧୮କୁ ଅବରୋଧ କରୁଛନ୍ତି ତ କେତେବେଳେ ଏକର ଏକର ପାଚିଲା ଧାନ କ୍ଷେତ ଉଜାଡୁଛନ୍ତି, ପୁଣି କେତେବେଳେ ଗାଁରେ ଆତଙ୍କ ସୃଷ୍ଟି କରୁଛନ୍ତି ୪୯ ଟିକିଆ ଝାଡ଼ଖଣ୍ଡି ହାତୀପଲ। ଏହି ପଲରେ ୨ଟି ବିରାଟ ଦନ୍ତା ସହିତ ୮ରୁ ଅଧିକ ଶିଶୁହାତୀ ରହିଥିବା ଦେଖାଯାଉଛନ୍ତି।

    ତେବେ ବିଗତ ୩ଦିନ ଧରି ଏହି ହାତୀପଲ କ୍ଷୀରପଦା ସଂରକ୍ଷିତ ଜଙ୍ଗଲରେ ରହୁଛନ୍ତି। ପୂର୍ବାହ୍ନରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପାଚିଲା ଧାନ କ୍ଷେତରେ ଉତ୍ପାତ କରୁଥିବାବେଳେ ଅପରାହ୍ନ ହେଲେ ସ୍ଥାନୀୟ ପାଟୁଳିପୁରା ପଞ୍ଚାୟତର ସାନ କ୍ଷୀରପଦା ଓ କେନ୍ଦୁଆ ପଞ୍ଚାୟତର ଭୁଡୁ଼ରୁବଣି ଗ୍ରାମକୁ ଚାରିପଟୁ ଘେରି ଯାଉଛନ୍ତି। ଫଳରେ ହାତୀ ଆତଙ୍କରେ ଭୟଭୀତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ପ୍ରଚୁର ମାତ୍ରାରେ ଖାଦ୍ୟ ମିଳିଯାଉଥିବାରୁ ତଥା ରହିବାକୁ ସୁରକ୍ଷିତ ସ୍ଥାନ ମିଳି ଯାଉଥିବାରୁ ୩ଦିନ ପରେ ବି ସ୍ଥାନ ଛାଡି ଯିବାକୁ ନାଁ ଧରୁନାହାନ୍ତି ହାତୀପଲ।

    ହାତୀ ଭୟରେ ସନ୍ଧ୍ୟା ନ ହେଉଣୁ ତାଟି କବାଟ ପଡୁଛି । ସାରା ଗାଁ ଅନ୍ଧକାରମୟ ହେଉଛି। ସନ୍ଧ୍ୟା ନ ହେଉଣୁ ତାଟି କବାଟ ପକାଇ ଘର ଭିତରେ ଭୟଭୀତ ହୋଇ ରାତି କାଟୁଛନ୍ତି ଦୁଇ ଗ୍ରାମର ପ୍ରାୟ ୧୭୫ ପରିବାରର ୫୦୦ରୁ ଉର୍ଦ୍ଧ ଲୋକ। ଅନ୍ୟପଟେ ହାତୀପଲ ଥିବା ଯୋଗୁଁ ରାତି ସାରା ବିଦ୍ୟୁତ ସରବରାହ ବନ୍ଦ ରହୁଛି, ଯେଉଁଥିପାଇଁ ପୁରା ଗାଁ ଅନ୍ଧକାରମୟ, ଯାହା ସାଧାରଣ ଲୋକଙ୍କ ଭୟକୁ ଦ୍ବିଗୁଣିତ କରୁଛି।

    ନିଆଁ ହୁଳା ଦେଖାଇ ଗାଁ ଭିତରକୁ ସିନା ହାତୀ ପଲକୁ ପଶିବାକୁ ଦେଉନାହାନ୍ତି ଗ୍ରାମବାସୀ। ହେଲେ ଦିନ ତମାମ ତାଙ୍କ ପାଚିଲା ଧାନ କ୍ଷେତରେ ହାତୀ ଫସଲ ନଷ୍ଟ କରୁଛନ୍ତି। ବନବିଭାଗ ଓ ସ୍ଥାନୀୟ ସରପଞ୍ଚଙ୍କ ସୂଚନା ଅନୁଯାଇ ଏଯାବତ ୩ଦିନରେ ୫୦ଏକରରୁ ଉର୍ଦ୍ଧ ପାଚିଲା ଧାନ କ୍ଷେତକୁ ଖାଇବା ସହିତ ହାତୀପଲ  ଦଳି ଚକଟି ଉଜାଡି ଦେଲେଣି।

    ଏନେଇ ମମତା ନାଏକ, ସରପଞ୍ଚ, ପାଟୁଳିପୁରା ପଞ୍ଚାୟତ.କୁହନ୍ତି, ପ୍ରତିବର୍ଷ ଭଳି ଚଳିତ ବର୍ଷ ୪୯ଟିକିଆ ହାତୀପଲ ଆମ ସାନକ୍ଷୀରପଦା ଗାଁକୁ ଗତ ୩ଦିନ ଘେରି ରହିଥିବାବେଳେ ଭୟରେ ରାତି ଅନିଦ୍ରା ରହୁଛନ୍ତି ୧୩୫ପରିବାର। ବିଳମ୍ବିତ ରାତିରେ  ଗାଁରେ ପଶିବାକୁ ଉଦ୍ୟମ କରୁଥିବାବେଳେ ଅପରାହ୍ନରେ ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ। ତେବେ ହାତୀପଲ ଘଉଡାଇବାରେ ବିଫଳ ବନବିଭାଗ କେବଳ ଲୋକଙ୍କୁ ସଚେତନ କରୁଛି।

    ଏସମ୍ପର୍କରେ ମନମୋହନ ମାଝୀ, ସରପଞ୍ଚ, କେନ୍ଦୁଆ ପଞ୍ଚାୟତ କୁହନ୍ତି. ଆମ ଅଞ୍ଚଳରେ ହାତୀପଲ ରହି ବ୍ୟାପକ ଧାନ ଚାଷ ଜମିଗୁଡ଼ିକ ନଷ୍ଟ କରୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମଧ୍ୟାହ୍ନ ପରେ ଗାଁ ପାଖ ଜମିକୁ ଆସୁଥିବାବେଳେ ରାତି ହେଲେ ହାତୀପଲ ଗାଁକୁ ପଶିବାକୁ ଚେଷ୍ଟା କରୁଥିବା ଆମ ଗ୍ରାମବାସୀ କହୁଛନ୍ତି। ତେବେ ଭୁଡୁ଼ରୁବଣି ଗ୍ରାମର ୪୦ରୁ ଉର୍ଦ୍ଧ ପରିବାରର ଚାଷ ଜମିଗୁଡ଼ିକ ନଷ୍ଟ କରିଦେଥିବାରୁ ଚିନ୍ତାରେ ଏହି ପରିବାର ଲୋକେ ରହିଛନ୍ତି।

    ତେବେ ଯଥାଶୀଘ୍ର ଏହି ପରିବାର ଗୁଡିକର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ପାଇଁ ସେ ଦାବି କରିଛନ୍ତି। ଅନ୍ୟପଟେ ନୂଆ ସରକାରଙ୍କ ପକ୍ଷରୁ ଚଳିତ ବର୍ଷଠାରୁ ଧାନ କ୍ୱିଣ୍ଟାଲ ୩୧୦୦ଟଙ୍କା କରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ହାତୀ ଜନିତ କ୍ଷୟକ୍ଷତି ପାଇଁ ଏକ ଏକରକୁ ମିଳୁଥିବା ୨୦ହଜାର ଟଙ୍କା ପର୍ଯ୍ୟାପ୍ତ ନୁହଁ ‌ବୋଲି କହିଛନ୍ତି। ତେଣୁ ଉକ୍ତ ରାଶିକୁ ଯଥାଶୀଘ୍ର ବଢ଼ାଯାଉ ବୋଲି ସେ ଦାବି କରିଛନ୍ତି।

    ଏନେଇ ମନୁୱାର ଖାନ, ବେତନଟୀ ବନାଞ୍ଚଳ ଅଧିକାରୀ କୁହନ୍ତି, ହାତୀପଲ ଆସିବା ଦିନରୁ ଘଟଣା ସ୍ଥଳରେ ଆମ ବନ ବଭାଗର ଏକାଧିକ କର୍ମଚାରୀ ପହଞ୍ଚି ହାତୀ ବାହାରିଥିବା ଅଞ୍ଚଳରେ ଲୋକଙ୍କୁ ବୁଝାସୁଝା କରିଵା ସହିତ ହାତୀପଲ ଉପରେ ତୀକ୍ଷଣ ନଜର ରଖିଛନ୍ତି। ତେବେ ହାତୀଙ୍କୁ ଘୋଉଡ଼ାଇବା ଆଇନ ବିରୁଦ୍ଧ ହୋଇଥିବାରୁ ଆମେ ମଧ୍ୟ ନିରୁପାୟ। ତେବେ କ୍ଷୟକ୍ଷତି ହୋଇଥିବା ପରିବାରଙ୍କୁ କେମିତି ଯଥାଶୀଘ୍ର ଆର୍ଥିକ ସହାୟତା ଦିଆଯିବ ସେ ନେଇ ଆମେ ଚେଷ୍ଟା କରୁଛୁ। ତତସହିତ ଲୋକଙ୍କୁ ସଚେତନତା କରି ତାଙ୍କ ବହୁମୂଲ୍ୟ ଜୀବନକୁ କେମିତି ସୁରକ୍ଷା ଦିଆଯିବ ସେ ନେଇ ଆମେ ତତ୍ପର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    1.5kmh
    96 %
    Tue
    25 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ