Monday, September 28, 2026
27.5 C
Odisha

    ନଦୀ ଆର ପାର୍ଶ୍ୱରେ ୬ ପଞ୍ଚାୟତ, ବାଜିରେ ଲାଗିଛି ଜୀବନ

    ଆଗକୁ ପଢନ୍ତୁ

    ନଦୀ ଆର ପାର୍ଶ୍ୱରେ ରହିଛି ୬ ପଞ୍ଚାୟତ। ବାଜିରେ ଲାଗିଛି ପ୍ରାୟ ୧୫ଶହ ଲୋକଙ୍କ ଜୀବନ। ସରକାରୀ ଡଙ୍ଗା ଚାଲୁନଥିବାରୁ ପ୍ରତିଦିନ ଲୋକମାନେ ଦେଶୀ ଦଦରା ଡଙ୍ଗାରେ ବିପଦପୂର୍ଣ୍ଣ ଭାବେ ଜଳ ଯାତ୍ରା କରୁଛନ୍ତି। ଏଥିପାଇଁ ୬ ପଞ୍ଚାୟତର ଲୋକମାନେ କେତେ ହାରୀ ଗୁହାରୀ କଲେଣି। ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି। ବିକାଶର ଏପରି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ। ସିଲେରୁ ନଦୀ ଆର ପାର୍ଶ୍ୱରେ ରହିଛି ଜରାଗୁଡ଼ା, ନୂଆଗୁଡ଼, ଗୁନ୍ଥାଗୁଡ଼ା, କପାତୁଟି, ପପଲୁର ଓ କୁରୁମାନୁର ପଞ୍ଚାୟତ। ଲୋକ ସଂଖ୍ୟା ୧୫୦୦ରୁ ଅଧିକ ହେବ। ସମସ୍ତେ ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର। ଚାଷ ଓ କାମଦାମ କରି ଜୀବନ ନିର୍ବାହ କରନ୍ତି। କିନ୍ତୁ ଦୈନନ୍ଦିନ ଜୀବନ ଚର୍ଯ୍ୟା ପାଇଁ ସେମାନଙ୍କୁ ବ୍ଲକ୍‌ ସଦର ମହକୁମା ଚିତ୍ରକୋଣ୍ଡା ଉପରେ ନିର୍ଭର କରିବାକୁ ପଡ଼ୁଛି। କାରଣ ମେଡ଼ିକାଲ୍‌ଠାରୁ ଆରମ୍ଭ କରି ହାଟ, ବ୍ୟାଙ୍କ, ପୋଷ୍ଟ ଅଫିସ୍‌, ସ୍କୁଲ ଓ କଲେଜ ଆଦି ଚିତ୍ରକୋଣ୍ଡାରେ ରହିଛି। ତେଣୁ ଗାଁ ଲୋକଙ୍କୁ ପ୍ରାୟତଃ ପ୍ରତିଦିନ ଚିତ୍ରକୋଣ୍ଡା ଆସିବାକୁ ପଡ଼ୁଛି। ୧୦ରୁ ୧୫ ମିନିଟ୍‌ର ଜଳ ଯାତ୍ରା ପରେ ଲୋକମାନେ ଚିତ୍ରକୋଣ୍ଡାରେ ପହଞ୍ଚୁ ଥିଲେ। ପୂର୍ବରୁ ଚିତ୍ରକୋଣ୍ଡାରୁ ୬ ପଞ୍ଚାୟତକୁ ଯୋଡ଼ିବା ପାଇଁ ଗୋଟିଏ ସରକାରୀ ଡଙ୍ଗା ଚାଲୁଥିଲା। ସେହି ଡଙ୍ଗାରେ ଲୋକମାନେ ପ୍ରତିଦିନ ଯିବା ଆସିବା କରୁଥିଲେ। ହେଲେ ଗତ କିଛି ବର୍ଷ ହେଲା ସେହି ସରକାରୀ ଡଙ୍ଗା ଗାଏବ ହୋଇଯାଇଛି। କିଏ ନେଇଗଲା ନା ରକ୍ଷଣା ବେକ୍ଷଣା ଅଭାବରୁ ପାଣିରେ ବୁଡ଼ିଗଲା, ସେ ବିଷୟରେ କେହି କିଛି ଜାଣିନାହାନ୍ତି। ତେଣୁ ଲୋକମାନେ ବାଧ୍ୟ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ କାଠ ଡଙ୍ଗାରେ ନଦୀ ପାର ହେଉଛନ୍ତି। ଏଥିପ୍ରତି ପ୍ରଶାସନର ତିଳେ ମାତ୍ର ନଜର ନାହିଁ। ଏହାକୁ ନେଇ ୬ ପଞ୍ଚାୟତର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସେପଟେ ଦେଖିବାକୁ ଗଲେ ଉକ୍ତ ୬ ପଞ୍ଚାୟତରୁ ବ୍ଲକ ସଦର ମହକୁମା ଚିତ୍ରକୋଣ୍ଡାକୁ ଯିବା ଆସିବା ପାଇଁ ରାସ୍ତା ଅଛି। ହେଲେ ସମୟ ସାପେକ୍ଷ। ଅର୍ଥାତ୍‌ ସ୍ପିଲ୍‌ବାଇ ପପଲୁର ରୋଡ୍‌ ଦେଇ ପ୍ରାୟ ୧୬ କିମି ରାସ୍ତା ଅତିକ୍ରମ କଲେ ପଡ଼ୁଛି ଚିତ୍ରକୋଣ୍ଡା। ସେଠାରୁ ପ୍ରତିଦିନ ବସ୍‌, ଅଟୋ ଯିବା ଆସିବା କରୁଛି। ଏପରିକି ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାରେ ବସ୍‌ ମଧ୍ୟ ଚାଲୁଛି। ଅନ୍ୟ ପଞ୍ଚାୟତର ଲୋକମାନେ ସେହି ଗାଡ଼ିରେ ଯିବା ଆସିବା କରୁଛନ୍ତି। ହେଲେ ଏହି ୬ ପଞ୍ଚାୟତ ପାଇଁ ଏହି ଯାତ୍ରା ଦୁଃଖଦାୟକ।

    କମାରଗୁଡା ଗାଁର ଶନିଆ ମୁଦୁଲୁ କହିଛନ୍ତି, ନଦୀରେ ଡଙ୍ଗା ଚାଲୁନାହିଁ। ଯେଉଁଥିପାଇଁ ଆମେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛି। ଡଙ୍ଗା ଚଲାଇବା ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପାଖରେ କେତେ ଗୁହାରୀ କଲୁଣି। ଆମେ ଆଦିବାସୀ ହୋଇଥିବାରୁ ଆମ କଥା କେହି ଶୁଣୁନାହାନ୍ତି। ବାଧ୍ୟ ହୋଇ ଦେଶୀ ଡଙ୍ଗାରେ ନଦୀ ପାର ହେଉଛୁ ବୋଲି ଶ୍ରୀ ମୁଦୁଲି କହିଛନ୍ତି। ଦୋରାଗୁଡା ଗାଁର ଗୌରୀ ମାଝୀ କହିଛନ୍ତି, ଆମେ କୁଲି ମଜୁରୀ ଲାଗି ଚଳୁଛୁ। ସେଥିପାଇଁ ଚିତ୍ରକୋଣ୍ଡା ଆସିବାକୁ ପଡ଼ୁଛି। ହେଲେ ନଦୀ ପାଳର ହୋଇ ଆସିପାରୁନୁ। ଡଙ୍ଗା ଚାଲୁନଥିବାରୁ ନାନା ଅସୁବିଧା ହେଉଛି। ଆମ କଥା କେହି ଶୁଣୁ ନାହାନ୍ତି ବୋଲି ଗୌରୀ ମାଝୀ କହିଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ