Sunday, March 22, 2026
20.3 C
Odisha

    ସିଙ୍ଗାପୁରରେ ହର୍ଷୋଲ୍ଲାସର ସହ ଉତ୍କଳ ଦିବସ ପାଳିତ

    ଆଗକୁ ପଢନ୍ତୁ

    ସିଙ୍ଗାପୁର: ସିଙ୍ଗାପୁରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଦ୍ବାରା ୮୯ତମ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଛି। ସିଙ୍ଗାପୁର ଓଡ଼ିଆ ସମାଜ ଏବଂ ସିଙ୍ଗାପୁରସ୍ଥିତ ଭାରତୀୟ ଦୂତାବାସର ମିଳିତ ସହଯୋଗରେ ଆୟୋଜିତ ଏହି ଭବ୍ୟ ମହୋତ୍ସବ ବିଦେଶ ଭୂମିରେ ଓଡ଼ିଶାର ସୌର୍ଯ୍ୟ, ସୌନ୍ଦର୍ଯ୍ୟ ଏବଂ ମାଧୂର୍ଯ୍ୟକୁ ପ୍ରଦର୍ଶନ କରାଯିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହି ଉପଲକ୍ଷେ ଉତ୍ସବ ସ୍ଥଳ ଗ୍ରାସରୁଟସ କ୍ଲବ ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବରେ ସଜ୍ଜାଯାଇ ଏହାକୁ ଏକ କ୍ଷୁଦ୍ର ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯାଇଥିଲା। ସମାରୋହରେ ୩୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣ, ସେମାନଙ୍କର ପରିବାରବର୍ଗଙ୍କ ସହିତ ଯୋଗ ଦେଇଥିବା ଦେଖାଦେଇଥିଲା। ଓଡ଼ିଶା ଦିବସ ପାଳନକୁ କେନ୍ଦ୍ର କରି ଉପସ୍ଥିତ ଆଗନ୍ତୁକ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଏବଂ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଶାର ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା। ଏହାପରେ ସମ୍ମାନିତ ଅତିଥି ସିଙ୍ଗାପୁର ଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଡଃ ଶିଳ୍ପକ ଅମ୍ବୁଲେ ମଞ୍ଚ ଉପରେ ଶୋଭା ପାଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ସାମ୍ନାରେ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଉଦଘାଟନ କରିଥିଲେ। ସିଙ୍ଗାପୁର ଓଡ଼ିଆ ସମାଜର ସଭାପତି ସୁବ୍ରତ ନାୟକ ଏବଂ ସମ୍ପାଦକ ହେମନ୍ତ ରାଉତ, ଡଃ ଅମ୍ବୁଲେଙ୍କୁ ଓଡ଼ିଶାର ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ସମାବେଶକୁ ସମ୍ବୋଧନ କରି ଡଃ ଅମ୍ବୁଲେ, ଓଡ଼ିଶାର ମହାନ ସାଂସ୍କୃତିକ ଐତିହ୍ୟକୁ ଭୁରୀଭୁରୀ ପ୍ରଶଂସା କରିଥିଲେ। ସିଙ୍ଗାପୁର ଓଡ଼ିଆ ସମାଜ, ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ବୈଭବକୁ ଆନ୍ତର୍ଜାତିକ ଦରବାରରେ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବାରେ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରୁଥିବା ଦର୍ଶାଇ ଡଃ ଅମ୍ବୁଲେ ସଂଗଠନର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ।

    ଉତ୍ସବର ବିଶେଷ ଆକର୍ଷଣ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ଵାରା ପରିବେଷିତ ଏକ ରଙ୍ଗାରଙ୍ଗ ସାଂସ୍କୃତିକ ଅଧିବେଶନ ଥିଲା। ଏଥିମଧ୍ୟରେ ଅନ୍ତର୍ଭୁକ୍ତ ଓଡ଼ିଶୀ ନୃତ୍ୟ ପରିବେଷଣ, କୁନି ପିଲାମାନଙ୍କ ଦ୍ଵାରା ମଞ୍ଚସ୍ଥ ରାମାୟଣ ନାଟକ ଏବଂ ସମ୍ବଲପୁରୀ ଓ ଓଲିଉଡ ସଙ୍ଗୀତ ଆଧାରିତ ନୃତ୍ୟ ପ୍ରଦର୍ଶନ ଖୁବ ମନୋରଞ୍ଜକ ଥିଲା ଏବଂ ଦର୍ଶକ ମାନଙ୍କ ଦ୍ଵାରା ବେଶ ଆଦୃତ ହୋଇଥିଲା। ଓଡିଶାରୁ ଆସିଥିବା ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଦୀପ ପଲାଇ ଓ ପ୍ରଜ୍ଞା ହୋତା ସେମାନଙ୍କର ଗୋଟିଏ ପରେ ଗୋଟିଏ ମନଲୋଭା ସଙ୍ଗୀତ ପ୍ରସ୍ତୁତ କରି ଉପସ୍ଥିତ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ପ୍ରେକ୍ଷାଳୟ ପରିସରରେ ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତକଳା ସାମଗ୍ରୀ ମାନଙ୍କୁ ନେଇ ଆୟୋଜିତ ଏକ ପ୍ରଦର୍ଶନୀ, ଆଗନ୍ତୁକ ମାନଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ବନିଥିଲା।

    ସଭାରେ ବ୍ୟାଡମିଣ୍ଟନ, ଚେସ, କୁଇଜ୍, ଯୁବ ପ୍ରତିଭା ଆଦି ପ୍ରତିଯୋଗିତାରେ ବିଜୟୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅନନ୍ୟ ଓ ଅବିସ୍ମରଣୀୟ ମହୋତ୍ସବର ସମାପନରେ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ଓଡ଼ିଶାର ପଟ୍ଟଚିତ୍ର ଏବଂ ପିପିଲି ଚାନ୍ଦୁଆ ଖଚିତ ଝୋଟ ବ୍ୟାଗ ଉପହାର ସ୍ବରୂପ ଦିଆଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ କୁ ଆଦିତି ମିଶ୍ର ଓ ଅଭିଶେକ ରାଉତରାୟ ସୁଚାରୁ ରୂପେ ସଂଯୋଜନା ଓ ଉପସ୍ଥାପନା କରିଥିଲେ।

    ଉତ୍କଳ ଦିବସକୁ ସଫଳତାର ସହିତ ଆୟୋଜନ କରିବାରେ ସିଙ୍ଗାପୁର ଓଡ଼ିଆ ସମାଜର ସଭାପତି ସୁବ୍ରତ ନାୟକ, ସମ୍ପାଦକ ହେମନ୍ତ ରାଉତ, ଉପସଭାପତି ରୂପକ ସାହୁ, ସହସମ୍ପାଦକ ଲୋପାମୁଦ୍ରା ବେହେରା, କୋଷାଧ୍ୟକ୍ଷ ସଞ୍ଜୀବ ସାହୁ, ସହ କୋଷାଧ୍ୟକ୍ଷ ସୌମ୍ୟ ପାଲ, କାର୍ଯ୍ୟକାରୀ କମିଟି ସଦସ୍ୟ ସ୍ୱାଗତିକା ବିଶ୍ଵାଳ, ଧର୍ମ ନିରଞ୍ଜନ ଆଚାର୍ଯ୍ୟ, ଦୀନେଶ ମହାପାତ୍ର, ଲଗ୍ନଜୀତ ପଟ୍ଟନାୟକ, ନିରଞ୍ଜନ ବିଶ୍ୱାଳ, ପ୍ରସନ୍ନ କୁମାର ଜେନା, ପ୍ରମୋଦ ସାହୁ, ରଞ୍ଜିତ ସାହୁ, ସିତାଂଶୁ ଗଡ଼ନାୟକ, ସୋମେଶ୍ୱର ଶର୍ମା, ଅଡିଟର ରଞ୍ଜନ ସାହୁ ଓ ତିରୁମୂଲା ପାତ୍ର, ଉପଦେଷ୍ଟା ବୃନ୍ଦ ଯଥା ଆଲୋକ ପଣ୍ଡା, ଶରତ ମହାନ୍ତି, ଶୁଭଦୀପ୍ତ ତ୍ରିପାଠୀ, ବସନ୍ତ ଦାଶ ଏବଂ ସବ୍ୟସାଚୀ ମିଶ୍ର ପ୍ରମୁଖଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ