Friday, October 2, 2026
29.9 C
Odisha

    ବାହାରିଲା ନିଷ୍କର୍ଷ, ସନ୍ଧ୍ୟାରୁ ବାରିପଦା ଷ୍ଟାଣ୍ଡରୁ ଗଡ଼ିବ ବସ୍‌

    ଆଗକୁ ପଢନ୍ତୁ

    ବାହାରିଲା ନିଷ୍କର୍ଷ। ଆଜି ସନ୍ଧ୍ୟାରୁ ବାରିପଦା ବସ୍‌ ଷ୍ଟାଣ୍ଡରେ ଅନ୍ୟ ସହର ଅଭିମୁଖେ ଗଡ଼ିବ ବସ୍‌। ମୟୂରଭଞ୍ଜ ଏସ୍‌ପି ଏସ୍‌. ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ମାମଲାରେ ପୁଲିସ୍‌ ଦୁଇ ପକ୍ଷରୁ ମୋଟ୍‌ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

    ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସ୍‌ ଷ୍ଟାଣ୍ଡରେ ଦୁଇ ମାଲିକ ସଂଘ ମଧ୍ୟରେ ସଂଘର୍ଷ ହୋଇଥିଲା। ଆକ୍ରମଣ ଓ ପ୍ରତି ଆକ୍ରମଣରେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ସେହି ଘଟଣାକୁ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଜି ଧର୍ମଘଟ ଡାକରା ଦେଇଥିଲା ବାରିପଦା ଘରୋଇ ବସ୍‌ ମାଲିକ ସଂଘ। ଯେଉଁଥିପାଇଁ ବାରିପଦା ଷ୍ଟାଣ୍ଡରୁ କୌଣସି ବସ୍‌ ଗଡ଼ିନଥିଲା। ଯାହାଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ପଡ଼ିଥିଲେ। ଦୀର୍ଘ ସମୟ ଧରି ଲୋକମାନେ ରାସ୍ତାରେ ଛିଡ଼ା ହୋଇଥିଲେ।

    ବସ୍‌ ଚଳାଚଳ କରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେପଟେ ବସ୍‌ ଚଳାଚଳ କରୁନଥିବାରୁ ପ୍ରଶାସନର ନିଦ ହଜି ଯାଇଥିଲା। ବିବାଦର ସମାଧାନ ପାଇଁ ମୟୂରଭଞ୍ଜ ଏସ୍‌ପି ଏସ୍‌. ଶୁଶ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଆରଟିଓ ବିଶ୍ୱରାଜ ବେହେରା, ଏସ୍‌ଡିପିଓ ସୁଜିତ କୁମାର ପ୍ରଧାନ ଓ ଦୁଇ ବସ୍‌ ମାଲିକ ସଂର୍ଘ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଘଣ୍ଟେରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା। ଆଲୋଚନା ପରେ ଆଜି ସନ୍ଧ୍ୟାରୁ ଷ୍ଟାଣ୍ଡରୁ ବସ୍‌ ଗଡ଼ିବା ନେଇ ନିଷ୍ପତ୍ତି ହୋଇଥିବା ଏସ୍‌ପି କହିଛନ୍ତି।

    ବୈଠକ ପରେ ଏସ୍‌ପି ଏସ୍‌. ସୁଶ୍ରୀ କହିଛନ୍ତି, ବସ୍‌ ଟାଇମିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଦୁଇଟି ଅଭିଯୋଗ ହୋଇଥିଲା। ଦୁଇଟି ଗ୍ରୁପ୍‌ରୁ ୧୦ ଜଣଙ୍କୁ ଧରାଯାଇଛି। ଆର୍‌ଟିଓ ପକ୍ଷରୁ ଗାଡ଼ି ଗୁଡ଼ିକର ପରମିଟ୍‌ ଯାଞ୍ଚ କରାଯାଉଛି। ତା’ପରେ ଏକ ରିପୋର୍ଟ ପରିବହନ କମିଶନଙ୍କୁ ପ୍ରଦାନ କରାଯିବ। ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଏସ୍‌ପି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ