Friday, February 6, 2026
20.6 C
Odisha

    ଓଡ଼ିଶା ଉପରେ ଶିଳ୍ପପତିଙ୍କ ଆଖି: ମିତ୍ତଲ, ସଜ୍ଜନ, ଆଦାନିଙ୍କ କାରଖାନାକୁ ଅପେକ୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ଇସ୍ପାତ କାରଖାନା ସ୍ଥାପନ ଲାଗି ସର୍ବଦା ଏକ ଆକର୍ଷଣୀୟ ସ୍ଥାନ ହୋଇରହିଛି। ଟାଟା ଷ୍ଟିଲ୍, ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର, ଜିନ୍ଦଲ ‌‌ଷ୍ଟେନ୍‌ଲେସ୍‌ ଲିମିଟେଡ୍, ସେଲ୍‌ ଭଳି କମ୍ପାନି ରାଜ୍ୟରେ ବଡ଼ ବଡ଼ ଇସ୍ପାତ କାରଖାନା ସ୍ଥାପନ କରିଛନ୍ତି। ଏହା ବ୍ୟତୀତ ଅନେକ ଛୋଟ ଓ ମଧ୍ୟମ ଧରଣର ଇସ୍ପାତ କାରଖାନା ମଧ୍ୟ ରାଜ୍ୟରେ ରହିଛି। ଲକ୍ଷ୍ମୀ ଏନ୍ ମିତ୍ତଲଙ୍କ କମ୍ପାନି ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ (ଏଏମ୍‌ଏନ୍‌ଏସ୍‌) ଓ ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲୁ ଷ୍ଟିଲ୍ ରାଜ୍ୟରେ ଦୁଇଟି ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବାର ସ୍ବପ୍ନ ଦେଖାଇଛନ୍ତି। ସେହିପରି ଦେଶର ଦ୍ବିତୀୟ ବଡ଼ ଧନୀ ଗୌତମ ଆଦାନି ମଧ୍ୟ ରାଜ୍ୟରେ ଏକ ଆଲୁମିନିୟମ୍ କାରଖାନା ସ୍ଥାପନ କରିବାକୁ ଘୋଷଣା କରିଛନ୍ତି। ଏହି ତିନି ଶିଳ୍ପପତିଙ୍କ ପ୍ରକଳ୍ପର ଭାଗ୍ୟ କ’ଣ ହେବ ତାହା ଆଗକୁ ଜଣାପଡ଼ିବ।

    ଏଏମ୍ଏନ୍‌ଏସ୍‌ ୩୮ ହଜାର କୋଟି ଟଙ୍କା ନିବେଶରେ ବାର୍ଷିକ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯାଉଛି। ସେହିପରି, ‘ଜେଏସ୍‌ଡବ୍ଲୁ ଷ୍ଟିଲ୍‌’ ମଧ୍ୟ ରାଜ୍ୟରେ ୬୫,୦୦୦ ‌କୋଟି ଟଙ୍କା ନିବେଶରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବ। ଦକ୍ଷିଣ କୋରିଆର ଇସ୍ପାତ କମ୍ପାନି ‘ପୋସ୍କୋ’ ଲାଗି ଅଧିଗ୍ରହଣ କରାଯାଇଥିବା ଜମିରେ ଏହି କାରଖାନା ସ୍ଥାପନ ହେବ। ଯେହେତୁ ଇତି ମଧ୍ୟରେ ରାଜ୍ୟରେ କୌଣସି ବଡ଼ ଇସ୍ପାତ କାରଖାନା ନିର୍ମାଣ ହୋଇନାହିଁ, ତେଣୁ ଏହି ଦୁଇ ପ୍ରକଳ୍ପ ରାଜ୍ୟର ନିବେଶ-ଅନୁକୂଳ ପରିବେଶ ପାଇଁ ଏକ ପରୀକ୍ଷା ସଦୃଶ ହେବ। ‘ପୋସ୍କୋ’ ଚାଲିଯିବା ପରେ ରାଜ୍ୟର ଭାବମୂର୍ତ୍ତିରେ ଯେଉଁ ଦାଗ ଲାଗିଛି ତାହାକୁ ଲିଭାଇବାରେ ଏହି ଦୁଇ ପ୍ରକଳ୍ପ ପ୍ରମୁଖ ଭୂମିକା ନିର୍ବାହ କରିବେ ବୋଲି ଆଶା କରାଯାଉଛି। ଆଦାନି ଗ୍ରୁପ୍ ପକ୍ଷରୁ ରାୟଗଡ଼ାର କାଶିପୁରରେ ୪୧,୬୫୩ କୋଟି ଟଙ୍କା ନିବେଶରେ ଏକ ୪ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରି ଓ ୧୭୫ ମେଗାୱାଟ୍‌ର ଏକ କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି। ଏହି ପ୍ରକଳ୍ପରେ କମ୍ପାନି ୪୧,୬୫୩ କୋଟି ଟଙ୍କା ନିବେଶ କରିବ।
    ଓଡ଼ିଶା ଏକ ମାନୁଫାକ୍‌ଚରିଂ ହବ୍‌ ଭାବେ ଉଭା ହେବା ଲାଗି ଲକ୍ଷ୍ୟ ରଖିଥିବା ବେଳେ ପାରମ୍ପରିକ ଖଣି ଓ ଧାତବ ଶିଳ୍ପରୁ ଆଗକୁ ବଢ଼ି ପ୍ରତିରକ୍ଷା ଓ ଏରୋସ୍ପେସ୍ ଉପକରଣ ନିର୍ମାତା, ଇଲେକ୍ଟ୍ରିକ୍ ଯାନ କମ୍ପାନିଗୁଡ଼ିକୁ ଆକୃଷ୍ଟ କରିପାରିଛି। କଲ୍ୟାଣୀ ଷ୍ଟିଲ୍ ଲିମିଟେଡ୍ ଢେଙ୍କାନାଳର ଗଜମରାରେ ୨୬ ହଜାର କୋଟି ଟଙ୍କା ନିବେଶରେ ଏକ ଏରୋସ୍ପେସ୍ ଉପକରଣ କାରଖାନା ସ୍ଥାପନ କରିବାକୁ ଘୋଷଣା କରିଛି। ସେହିପରି, ଜେଏସ୍‌ଡବ୍ଲୁ ଗ୍ରୁପ୍ ପକ୍ଷରୁ ରାଜ୍ୟରେ ୪୦ ହଜାର କୋଟି ଟଙ୍କା ନିବେଶରେଏକ ଇଲେକ୍ଟ୍ରିକ୍ ଯାନ ଓ ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଘୋଷଣା କରାଯାଇଛି। ଏସବୁ ପ୍ରକଳ୍ପ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

    ନୂଆ ସରକାର ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଆହ୍ବାନ

    ଚକାଚକ୍‌ ରାସ୍ତା, ବିମାନବନ୍ଦର ହେବ

    ଭୁବନେଶ୍ବର: ଓଡ଼ିଶା ହେଉଛି ଏଭଳି ଏକ ରାଜ୍ୟ ଯାହା ବିଭିନ୍ନ ଜିନିଷ ଲାଗି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ସେଥିପାଇଁ ଏହାର ଖୁଚୁରା ମୁଦ୍ରାସ୍ଫୀତି ହାର ୭ ପ୍ରତିଶତରୁ ଅଧିକ ରହିଛି। ଅର୍ଥନୀତିଜ୍ଞମାନଙ୍କ ମତରେ ଅନେକ ସାମଗ୍ରୀରେ ଓଡ଼ିଶା ଆତ୍ମନିର୍ଭରଶୀଳ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଲୋକମାନଙ୍କୁ ଅନେକ ଜିନିଷ କିଣି ଖାଇବାକୁ ପଡ଼ୁଛି। ଯେହେତୁ ଲୋକମାନଙ୍କୁ ବହୁ ଜିନିଷ କିଣିବାକୁ ପଡ଼ୁଛି, ସେଥିପାଇଁ ଜାତୀୟ ହାର ତୁଳନାରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ଅଢ଼େଇ ପ୍ରତିଶତ ଅଧିକ ରହୁଛି। ସେହି ସ୍ଥିତିରେ ଉନ୍ନତି ଆଣିବା ନୂଆ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ ହେବ। ରାଜ୍ୟରେ କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନଙ୍କୁ ବହୁ ଜିନିଷ କିଣିବାକୁ ପଡ଼ୁଛି। ତେଣୁ ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆଣିବା ଉପରେ ଜୋର ଦେବାକୁ ହେବ। ଚାଷୀକୂଳ ପାଖରେ ଯେଭଳି ଅଧିକ ଟଙ୍କା ପହଞ୍ଚିବ ଏବଂ ସେମାନଙ୍କ ଆୟ ବଢ଼ିବ, ସେଦିଗରେ ନୂଆ ସରକାରଙ୍କୁ କାମ କରିବାକୁ ପଡ଼ିବ।

    ଭୁବନେଶ୍ବର: ଓଡ଼ିଶାରେ ଭୋଟରମାନେ ଡବଲ୍‌ ଇଞ୍ଜିନ ସରକାର ଲଗାଇ ଦେଇଛନ୍ତି। ବିଜେପିକୁ ଉଭୟ ଲୋକସଭା ଓ ବିଧାନସଭାରେ ବିଜୟୀ କରାଇଥିବାରୁ କେନ୍ଦ୍ରର ବିଶେଷ ଦୃଷ୍ଟି ଓଡ଼ିଶା ଉପରେ ରହିବ ବୋଲି ଆଶା କରାଯାଉଛି। ନିର୍ବାଚନ ପ୍ରଚାର ବେଳେ ପୁରୀ ଜିଲ୍ଲାରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟରେ ଅନେକ ପ୍ରକଳ୍ପ ସଂପର୍କରେ ଘୋଷଣା କରିଥିଲେ। ସେଗୁଡ଼ିକ ମଧ୍ୟରେ ଗୋପାଳପୁରରୁ ସାତପଡ଼ାକୁ ଦୁଇଲେନ୍‌ ରାସ୍ତା କାମ ଅନ୍ତର୍ଭୁକ୍ତ ରହିଛି। ଏଥିସହିତ ପାରାଦୀପରେ ୨ଶହ କୋଟି ଟଙ୍କା ଖର୍ଚ୍ଚରେ ଏକ ବିମାନବନ୍ଦର ନିର୍ମାଣ କରାଯିବ। ଏଥିସହ ରତନପୁର-ଦୀଘା ୧୭୧ କିଲୋମିଟର ଲମ୍ବ ୬ ଲେନ୍‌ ରାସ୍ତାର କାମ ଆରମ୍ଭ ହେବ। ୮ହଜାର ୫ଶହ କୋଟି ଟଙ୍କାରେ ରାମେଶ୍ବରରୁ ପୁରୀ, କୋଣାର୍କ, ପାରାଦୀପ ଓ ରତନପୁର ପର୍ଯ୍ୟନ୍ତ ୧୭୭ କିଲୋମିଟର ଲମ୍ବ ଚାରିଲେନ୍‌ ରାସ୍ତା ତିଆରି ହେବ। ଜାମୁଝାଡ଼ିଠାରୁ ଧାମରା ବନ୍ଦର ପର୍ଯ୍ୟନ୍ତ ୨ହଜାର କୋଟିରେ ୬୫ କିଲୋମିଟର ଲମ୍ବ ଚାରିଲେନ୍‌ ରାସ୍ତା ନିର୍ମାଣ ହେବ। ୨୩୭୦ କୋଟି ଟଙ୍କା ବିନିମୟରେ କଟକରୁ ପାରାଦୀପ ବନ୍ଦରକୁ ୮୭ କିଲୋମିଟର ଲମ୍ବ ଚାରିଲେନ୍‌ ରାସ୍ତା ନିର୍ମାଣ ହେବ। ସେହିଭଳି ୬ହଜାର ୨୫୩ କୋଟି ଟଙ୍କାରେ ଭୁବନେଶ୍ବରରେ ୧୧୧ କିମିର ୬ ଲେନ୍‌ ବିଶିଷ୍ଟ ରିଂରୋଡ୍‌ କାମ ଆରମ୍ଭ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.6 ° C
    20.6 °
    20.6 °
    38 %
    1.9kmh
    0 %
    Fri
    20 °
    Sat
    31 °
    Sun
    31 °
    Mon
    32 °
    Tue
    33 °

    ସମ୍ବନ୍ଧିତ