Sunday, September 13, 2026
27.6 C
Odisha

    ସେଞ୍ଚୁରି ମାରିଲା ଟମାଟୋ: ୧୦୦୦ ଟଙ୍କାରେ ବ୍ୟାଗ୍ ଭର୍ତ୍ତି ହେଉନି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଟମାଟୋ ଦର ସେଞ୍ଚୁରି ମାରିଛି। ଚାରି ପାଞ୍ଚ ଦିନ ତଳେ ଏହା କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ହଠାତ୍‌ ଏହା ୧୦୦ ଟଙ୍କାରେ ପହଞ୍ଚିଛି। ଦେଶରେ ବର୍ଷା ‌ଯୋଗୁଁ ଟମା‌ଟୋ ଯୋଗାଣ ଓଡ଼ିଶାକୁ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ଦରବୃଦ୍ଧି ଘଟିଥିବା ବ୍ୟବସାୟୀମାନେ ମତ ଦେଉଥିଲେ ମଧ୍ୟ ଖାଉଟିମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଓଡ଼ିଶାକୁ ଏବେ କେବଳ ବେଙ୍ଗାଲୁରୁରୁ ଟମାଟୋ ଆସୁଛି। ସେଠାରେ ମଧ୍ୟ ବର୍ଷା ପାଇଁ ଅମଳ ପ୍ରଭାବିତ ହୋଇଛି। ଭୁବନେଶ୍ବରର ଆଇଗିଣିଆ ଏବଂ ଏକ ନମ୍ବର ମାର୍କେଟକୁ  ପ୍ରତିଦିନ ପ୍ରାୟ ୧୦ ଗାଡ଼ି ଟମାଟୋ ଆସୁଛି। ବେଙ୍ଗାଲୁରୁରେ କିଣା ମୂଲ୍ୟ କେଜି ପିଛା୬୦ ଟଙ୍କା ପାଖାପାଖି ରହୁଛି। ଏଥିସହିତ ପରିବହନ ଖର୍ଚ୍ଚ ଅଛି। ପାଇକାରୀ ବଜାରରୁ ଖୁଚୁରା ବଜାରକୁ ଏହା ଚାରି ହାତ ହୋଇ ଗ୍ରାହକଙ୍କ ନିକଟରେ ପହଞ୍ଚୁଛି। ତେଣୁ ପ୍ରତି ପର୍ଯ୍ୟାୟରେ ୧୦ ଟଙ୍କା ଲେଖାଏଁ ରଖାଗଲେ ଦାମ ୧୦୦ ଟଙ୍କାରେ ପହଞ୍ଚି ଯାଉଛି। ଓଡ଼ିଶାକୁ ବର୍ତ୍ତମାନ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ନୂଆ ଟମାଟୋ ଆସିଯିବା କଥା। କିନ୍ତୁ ବର୍ଷା ଓ ବନ୍ୟା ପାଇଁ ତାହା ଆସିପାରୁନାହିଁ। ଏଥିପାଇଁ ବଜାରରେ ଦର ଅଧିକ ରହୁଛି ବୋଲି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି। ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଆଗକୁ କାର୍ତ୍ତିକ ମାସ ଆସୁଛି। ତେଣୁ ଯଦି ନୂଆ ଟମାଟୋ ନଆସେ ତା’ହେଲେ ଦର କମିବା ସମ୍ଭାବନା ନାହିଁ ବୋଲି ସେ ମତ ଦେଇଛନ୍ତି।

    କେବଳ ଟମାଟୋ ନୁହେଁ, ଅନ୍ୟାନ୍ୟ ପରିପରିବା ଦର ମଧ୍ୟ ଉଚ୍ଚା ରହିଛି। ବିନ୍ସ, ପୋଟଳ, ବାଇଗଣ ଆଦି ପରିବା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଆଳୁ, ପିଆଜ, ରସୁଣ ଦାମ୍‌ ମଧ୍ୟ ହାତ ପାଆନ୍ତାରେ ନାହିଁ। ଆଳୁ ୩୩ ଟଙ୍କା, ରସୁଣ ୩୪୦ ଟଙ୍କା, ଅଦା ୧୪୦ ଟଙ୍କା, ପିଆଜ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ବଜାରରେ ପରିବା ଦରଦାମ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ବଜାରକୁ ୧୦୦୦ ଟଙ୍କା ଧରିଗଲେ ମଧ୍ୟ ପରିବା ବ୍ୟାଗ ଭର୍ତ୍ତି ହେଉନାହିଁ। ପୂର୍ବରୁ ଡାଲି‌‌, ତେଲ ଆଦି ଦାମ ଉଚ୍ଚା ରହିଛି। ଗତ କିଛିଦିନ ମଧ୍ୟରେ ଖାଇବା ତେଲ ଦର ଲିଟର ପିଛା ୨୦ରୁ ୨୫ ଟଙ୍କା ବଢ଼ିଯାଇଛି।

    ଚାଷୀ ପାଉଛି ତିନି ଭାଗରୁ ଭାଗେ

    ବିଶେଷଜ୍ଞଙ୍କ କହିବାନୁଯାୟୀ,ସରକାରଙ୍କ ନିୟନ୍ତ୍ରଣ ଓ ସମନ୍ବୟ ଅଭାବରୁ ପନିପରିବା ଦରରେ ଅତ୍ୟଧିକ ବୃଦ୍ଧି ଦେଖାଦେଇଛି।  ଚାଷୀ, ବ୍ୟବସାୟୀ ଓ ଖାଉଟିଙ୍କ ପରାମର୍ଶ ସରକାର ଗ୍ରହଣ କରି ଉପଯୁକ୍ତ ନୀତି ପ୍ରସ୍ତୁତ କଲେ ଖାଉଟି ଉଚିତ ମୂଲ୍ୟରେ ପନିପରିବା ପାଇପାରିବେ। ଚାଷୀ ମଧ୍ୟ ତା’ର ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବ ଏବଂ ବ୍ୟବସାୟୀମାନେ ବି ଲାଭ ପାଇପାରିବେ। ବ୍ୟବସାୟୀ ଓ ଚାଷୀଙ୍କ ମଧ୍ୟରେ ସରକାର ସହଯୋଗ ଓ ସମନ୍ବୟ ରଖୁନଥିବାରୁ ଖାଉଟିଙ୍କ ପାଇଁ ଦରବୃଦ୍ଧି ଯନ୍ତ୍ରଣାଦାୟକ ହେଉଛି ବୋଲି ସେମାନେ ମତ ଦେଇଛନ୍ତି।

    ଓଡ଼ିଶା ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବାନୁଯାୟୀ, ଅଗଷ୍ଟ ମାସ ପରେ ପନିପରିବା ଦାମ୍‌ କମିବା କଥା। କିନ୍ତୁ ବର୍ଷା ଓ ବନ୍ୟା କାରଣରୁ ଉତ୍ପାଦନ ବ୍ୟାହତ ହୋଇଛି। ସେଥିପାଇଁ ଏହି ଦରବୃଦ୍ଧି ଦେଖାଦେଇଛି। ତଥାପି ଦରଦାମ ନିୟନ୍ତ୍ରଣ ପାଇଁ ସରକାର ବ୍ୟବସାୟୀମାନଙ୍କର ସହଯୋଗ ନେବା ଆବଶ୍ୟକ। ଆମେ ସହଯୋଗର ହାତ ବଢ଼ାଇଲେ ମଧ୍ୟ ସରକାର ନିରବ ରହୁଛନ୍ତି। ଚାଷୀ-ବ୍ୟବସାୟୀ-ଖାଉଟିଙ୍କ ମଧ୍ୟରେ ସମନ୍ବୟ ରହିଲେ ଏବଂ ସରକାର ଗ୍ରାହକ ‌ସଚେତନତା କାର୍ଯ୍ୟକ୍ରମ ଉପଯୁକ୍ତ ଭାବେ କରିପାରିଲେ ଦରଦାମରେ କିଛିଟା ନିୟନ୍ତ୍ରଣ ରହିପାରିବ ବୋଲି ସେ ମତ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ