Sunday, September 13, 2026
27.6 C
Odisha

    ସିପାହୀ କନଷ୍ଟେବଳ ପଦରେ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ଜବାବ ତଲବ

    ଆଗକୁ ପଢନ୍ତୁ

    କଟକ: ସିପାହୀ/କ‌ନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ସଂକ୍ରାନ୍ତରେ ରହିଥିବା ସର୍ତ୍ତକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ଆଇଜି, ଷ୍ଟେଟ ସିଲେକ୍ସନ ବୋର୍ଡକୁ ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏହି ପଦବି ପାଇଁ ଆବେଦନକାରୀଙ୍କ ଦରଖାସ୍ତକୁ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍‌ଲାଇନ/ଅଫ୍‌ଲାଇନ ବ୍ୟବସ୍ଥାରେ ଆବେଦନକାରୀ ଦରଖାସ୍ତ ଦାଖଲ କରିବେ। ଆବେଦନକାରୀଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ। କିନ୍ତୁ କୋର୍ଟଙ୍କ ବିନା ଅନୁମତିରେ ଆବେଦନକାରୀଙ୍କ ଫଳ ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜ‌ଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିତ୍ତରଂଜନ ଦାସ ଓ ଅନ୍ୟ ୪୮ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୨କୁ  ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

    ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ପୁଲିସର ଓଏସଏପି, ଆଇଆର, ଏସଆଇଆର, ସ୍ପେଶାଲ ସିକ୍ୟୁରିଟି ବାଟାଲିଅନରେ ୧୩୬୦ଟି ସିପାହୀ/କନେଷ୍ଟବଳ ପଦ ପୂରଣ ପାଇଁ ‌ଷ୍ଟେଟ ସିଲେକ୍ସନ ବୋର୍ଡ ପକ୍ଷରୁ ୨୦୨୪, ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪, ଜାନୁଆରି ୧ରେ ପ୍ରାର୍ଥୀଙ୍କ ସର୍ବ ନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ହୋଇଥିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଅନ୍ୟପକ୍ଷରେ ଶେଷ ଥର ୨୦୧୮ରେ ଓଡ଼ିଶା ପୁଲିସରେ ସିପାହୀ/କ‌ନଷ୍ଟେବଳ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ତେଣୁ ୬ ବର୍ଷ ସର୍ବାଧିକ ବୟସସୀମା କୋହଳ ପାଇଁ କେତେକ ଆଶାୟୀ ପ୍ରାର୍ଥୀ ଦାବି କରିଥ‌ିଲେ। ଏହାପରେ ସର୍ବାଧିକ ବୟସସୀମା କୋହଳ ପାଇଁ ନୂଆ ନିୟମ କରାଯାଇଥିଲା। କିନ୍ତୁ ସିପାହୀ/କନଷ୍ଟେବଳ ପଦ ପାଇଁ ସରକାର ବୟସ ସୀମା କୋହଳ ନ କରିବା ଦ୍ବାରା ବହୁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ ହେବେ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି। ନିଯୁକ୍ତି ବିଜ୍ଞପ୍ତିରେ ସଂଶୋଧନ କରି ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ