Monday, September 28, 2026
24.7 C
Odisha

    ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ନିଷ୍ପତ୍ତି: ଆସନ୍ତା ସପ୍ତାହରେ ସମ୍ବିଧାନ ଉପରେ ବିତର୍କ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନେ ଆସନ୍ତା ସପ୍ତାହରେ ସମ୍ବିଧାନ ଉପରେ ବିତର୍କ ପାଇଁ ରାଜି ହୋଇଛନ୍ତି।  ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସହ ସର୍ବଦଳୀୟ ବୈଠକ ପରେ ଏହି ନିଷ୍ପତ୍ତି  ହୋଇଛି। ଡିସେମ୍ବର ୧୩ ଓ ୧୪ ତାରିଖରେ ଲୋକସଭାରେ ସମ୍ବିଧାନ ଉପରେ ବିତର୍କ ହେବ। ଏହାପରେ ଡିସେମ୍ବର ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ ହେବ ବୋଲି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଆଜି ସଂସଦ ବାହାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।  ରିଜିଜୁ କହିଛନ୍ତି, ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଆଦୌଁ ଠିକ୍‌ ନୁହେଁ।  ଆସନ୍ତାକାଲିଠାରୁ ସଂସଦ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଆମେ ବିରୋଧୀ ନେତାମାନଙ୍କୁ ଅନୁରୋଧ କରୁଛୁ।  ଉଲ୍ଳେଖଯୋଗ୍ୟ ଯେ ସମ୍ବିଧାନ ସଭା ଦ୍ବାରା ସମ୍ବିଧାନ ଗ୍ରହଣ କରାଯିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ବିରୋଧୀ ଦଳ ନେତାମାନେ ଉଭୟ ଗୃହରେ ସମ୍ବିଧାନ ଉପରେ ଆଲୋଚନା ପାଇଁ ଦାବି କରିଥିଲେ।

    ଶେଷରେ ବାଚସ୍ପତିଙ୍କ ସହ ସର୍ବଦଳୀୟ ବୈଠକ ପରେ ସମ୍ବିଧାନ ଉପରେ ବିତର୍କ ହେବ ବୋଲି ସ୍ଥିର ହୋଇଛି। ନଭେମ୍ବର ୨୫ରେ ଶୀତ ଅଧିବେଶନ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ଦିନ ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇପାରିନି।  ଆଜି ମଧ୍ୟ ଉଭୟ ଲୋକସଭା ଏବଂ ରାଜ୍ୟସଭା ଦିନକ ପାଇଁ ମୁଲତବୀ ରହିଛି। ଆଦାନୀ ଦୁର୍ନୀତି ମାମଲା, ଉତ୍ତରପ୍ରଦେଶରେ ସମ୍ଭଲ ହିଂସା ଏବଂ ଅନ୍ୟ ପ୍ରସଙ୍ଗରେ ବିରୋଧୀ ଦଳ ନେତାମାନେ ଆଜି ଗୃହରେ ହୋହଲ୍ଲା କରିଥିଲେ। ଲୋକସଭାରେ ଆଜି ବିରୋଧୀ ସାଂସଦମାନେ ଗୃହର ମଧ୍ୟ ଭାଗକୁ ଯାଇ ସ୍ଲୋଗାନ ଦେବା ସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ପ୍ରଶ୍ନକାଳ ପାଇଁ ଅନୁମତି ଦେବାକୁ ବାଚସ୍ପତି ଓମ୍‌ ବିର୍ଲା ଅନୁରୋଧ କରିଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରିନଥିଲେ।  ହୋହଲ୍ଲା ଜାରି ରହିବାରୁ ବାଚସ୍ପତି ବାଧ୍ୟ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଗୃହ‌ ମୁଲତବୀ ରଖିଥିଲେ।  ଗୃହକାର୍ଯ୍ୟ ଆରମ୍ଭ ହେବାପରେ ବିରୋଧୀ ସଦସ୍ୟମାନେ ପୁଣି ହୋହଲ୍ଲା କରିଥିଲେ। ହୋହଲ୍ଲା ମଧ୍ୟରେ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଦ୍ବାରା ଉପକୂଳ ଜାହାଜ ଚଳାଚଳ ବିଲ୍‌ , ୨୦୨୪  ଗୃହରେ ଆଗତ ହୋଇଥିଲା।  ଏହାପରେ ଦିନକ ପାଇଁ ଗୃହ କାର୍ଯ୍ୟ ମୁଲତବୀ ରଖିଥିଲା।

    ଆଜି ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା‌।  ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଧାରା ୨୬୭ ଅଧୀନରେ ୨୦ଟି ନୋଟିସ୍‌କୁ ବାତିଲ କରିଦେଇଛନ୍ତି।  ସାଂସଦମାନେ ଗୃହର ଶୃଙ୍ଖଳା ବଜାୟ ରଖିବାପାଇଁ ଧନଖଡ଼ ଅନୁରୋଧ କରିଛନ୍ତି।  ଗୃହକାର୍ଯ୍ୟରେ ବାରମ୍ବାର ବାଧା ଉପୁଜୁଥିବାରୁ ପ୍ରମୁଖ ବିଲ୍‌ ଆଗତ ହୋଇପାରୁନି କି ଆଲୋଚନା ହୋଇପାରୁନି।

    ସାଂସଦଙ୍କ ସହ ମୋଦୀ ଦେଖିଲେ ‘ଦ ସାବରମତୀ ରିପୋର୍ଟ’
    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ‌କ୍ୟାବିନେଟ୍‌ ମନ୍ତ୍ରୀଗଣ ଓ ସାଂସଦମାନେ ଆଜି ବହୁ ଚର୍ଚ୍ଚିତ ସାବରମତୀ ଏକ୍ସପ୍ରେସ୍‌ରେ ୫୯ଜଣ ‘କରସେବକ’ଙ୍କୁ ପୋଡ଼ିବା ଓ ପରବର୍ତ୍ତୀ ଦଙ୍ଗା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଦ ସାବରମତୀ ରିପୋର୍ଟ’କୁ ଦେଖିଛନ୍ତି। ସଂସଦ ଭବନର ଗ୍ରନ୍ଥାଗାରରେ ଥିବା ବାଲାଯୋଗୀ ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ସମୟରେ ଉପସ୍ଥିତ ଥିବା ବରିଷ୍ଠ ଅଭିନେତା ଜିତେନ୍ଦ୍ର ଓ ରାଶି ଖାନ୍ନା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେମାନେ ସାକ୍ଷାତ କରିଥିଲେ। ମୋଦୀ ସେମାନଙ୍କୁ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଦର୍ଶନ ବୋଲି କହିଥିଲେ। ଚଳଚ୍ଚିତ୍ରର ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଥିବା ବିକ୍ରାନ୍ତ ମେସି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକତ୍ରିତ ବସି ଚଳଚ୍ଚିତ୍ର ଦେଖିବା ଏକ ଭିନ୍ନ ଅନୁଭୂତି। ଏହାକୁ ଭାଷାରେ ବର୍ଣ୍ଣନା କରିହେବନାହିଁ। ଏହା ତାଙ୍କ ଅଭିନୟ ଜୀବନରେ ସବୁଠାରୁ ବଡ଼ ଉପଲବ୍ଧି। ପରେ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଚଳଚ୍ଚିତ୍ର ଦେଖା ପ୍ରସଙ୍ଗକୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚିତ କରିଛନ୍ତି। ସେ କହିଛନ୍ତି, ସେ ନିଜର ସାଥୀ ସାଂସଦଙ୍କ ସହ ସାବରମତୀ ଏକ୍ସପ୍ରେସ୍‌ ଦେଖିଛନ୍ତି। ସେ ଚଳଚ୍ଚିତ୍ର ନିର୍ମାତାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ