ଫ୍ଲୋରିଡା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କିଙ୍କ ମଧ୍ୟରେ ହୋଇଥିବା ବୈଠକର ନିଷ୍କର୍ସ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲୁଥିବା ବେଳେ ଟ୍ରମ୍ପଙ୍କ ହାତରେ ଥିବା ମେକଅପ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ମେକ୍ଅପ୍ କରି ଟ୍ରମ୍ପ ନିଜ ହାତରେ ଥିବା ଏକ ଚିହ୍ନ ଅର୍ଥାତ କୌଣସି ରୋଗକୁ ଛୁପାଇବାକୁ ପ୍ରୟାସ କରୁଛନ୍ତି ବୋଲି କୁହାଯାଇଛି । ବୈଠକ ଅବସରରେ ଟ୍ରମ୍ପଙ୍କ ଡାହାଣ ହାତରେ ସ୍ପଷ୍ଟ ଭାବେ ମେକ୍ଅପ ଦେଖିବାକୁ ମିଳିଥିଲା । ଏ ନେଇ ହ୍ୱାଇଟହାଉସ୍ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । ଟ୍ରମ୍ପ ବହୁ ଲୋକଙ୍କୁ ଭେଟୁଛନ୍ତି ଓ ଲଗାତର ସେମାନଙ୍କ ସହ ହାତ ମିଳାଉଛନ୍ତି । ଏହି କାରଣରୁ ହାତରେ ଏଭଳି ଚିହ୍ନ ସୃଷ୍ଟି ହୋଇଛି ବୋଲି ହ୍ୱାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ କହିଛନ୍ତି । ୭୯ ବର୍ଷୀୟ ଟ୍ରମ୍ପ ପ୍ରତିଦିନ ଶହଶହ ଲୋକଙ୍କ ସହ ହାତ ମିଳାଉଛନ୍ତି ଓ ଏହି କାରଣରୁ ତାଙ୍କ ହାତର କୋମଳ ତ୍ୱଚାରେ ଚିହ୍ନ ସୃଷ୍ଟି ହୋଇଛି ବୋଲି ଡାକ୍ତରମାନେ କହିଛନ୍ତି । ପୁଣି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଟ୍ରମ୍ପ ଔଷଧ ସେବନ କରୁଛନ୍ତି । ଫଳରେ ତାଙ୍କ ରକ୍ତ ପତଳା ହୋଉଛି ଓ ସାମାନ୍ୟ ରଗଡି ହେଲେ ଚର୍ମରେ ଚିହ୍ନ ସୃଷ୍ଟି ହେଉଛି ବୋଲି ଲେଭିଟ୍ କହିଛନ୍ତି । କିନ୍ତୁ ଟ୍ରମ୍ପ ଏକ ଗମ୍ଭୀର ରୋଗ ଲୁଚାଉଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପୂର୍ବରୁ ଗତ ଫେବୃଆରୀରେ ମଧ ଟ୍ରମ୍ପଙ୍କ ହାତରେ ଏକ କଳା-ନୀଳ ଚିହ୍ନ ଦେଖିବାକୁ ମିଳିଥିଲା । ତେବେ ଟ୍ରମ୍ପ ସବୁଥର ଏହି ଚର୍ଚ୍ଚାକୁ ଅଣଦେଖା କରିଛନ୍ତି ।

