Friday, September 18, 2026
25 C
Odisha

    ଦୂତି ବାହାନ ଓଷା: ଆଜି ଘରେ ଘରେ ମହକୁଛି ଘାଣ୍ଟର ବାସ୍ନା

    ଆଗକୁ ପଢନ୍ତୁ

    ଦୂତୀ ବାହନ ଓଷା, ଦୁତିଆ ଓଷା ବା ପୁଅ ଜିଉଁତିଆ ଓଷା ନାମରେ ମଧ୍ୟ ଜଣାଯାଏ। ଏହା ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁତିଆ” ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ “ଦୁତିଆ/ଦୂତୀଆ” ବା “ଦୂତୀ ବାହନ ଓଷା” ନାମରେ ପାଳିତ । ମା ମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ । ଏହି ଦିନ ମା’ମାନେ ସାରାଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି ।

    ଓଷା ପରଦିନ ଘରେ ଘରେ ଘାଣ୍ଟ ତରକାରୀ ତିଆରି ହୋଇଥାଏ । ଘାଣ୍ଟ ତରକାରୀର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବୀଙ୍କୁ ଅର୍ପଣ କରାଯାଏ। ଏହାସହ ଏହି ତରକାରୀକୁ ସାହିପଡ଼ିଶା ଓ ବନ୍ଧୁବାନ୍ଧବ ଘରେ ମଧ୍ୟ ବଣ୍ଟାଯାଏ। ଏହି ଘାଣ୍ଟ ତରକାରୀ ଦ୍ୱିତୀୟା ଓଷାର ଘାଣ୍ଟ ତରକାରୀ ଭାବେ ବେଶ ପ୍ରସିଦ୍ଧ। ପରମ୍ପରା ଅନୁଯାୟୀ ଏହି ଘାଣ୍ଟରେ କଞ୍ଚା କଦଳୀ, ଜହ୍ନି, କଖାରୁ, ସାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, ଚଣା, କାଙ୍କଡ଼, ବାଇଗଣ, ବିନ, ଗାଜର, ମାଟି ଆଳୁ, ଅମୃତଭଣ୍ଡା, ପରିବା ବ୍ୟବହାର କରାଯାଏ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଘାଣ୍ଟ ତରକାରୀ ସ୍ୱତନ୍ତ୍ର ମହକ ଥାଏ। ଘାଣ୍ଟ ପ୍ରସ୍ତୁତ ପରେ ଭଗବାନଙ୍କୁ ଅର୍ପଣ ପରେ ଅନ୍ୟମାନଙ୍କୁ ବଣ୍ଟା ଯିବା ପରେ ଘରର ସଦସ୍ୟ ଏକାଠି ବସି ଘାଣ୍ଟ ତରକାରୀର ମଜା ନେଇଥାଆନ୍ତି।

    ଏହି ପୂଜାକୁ କେବଳ ସଧବା ନାରୀମାନେ ଏହି ଓଷା କରିଥାନ୍ତି । ଜିଉଁତିଆର ପୂର୍ବ ଦିନ ଓଷା କାରିଣୀମାନେ ନଦୀ କିମ୍ବା ପୋଖରୀ ତୁଠକୁ ଭଲ ଭାବରେ ପରିଷ୍କାର କରିଦିଅନ୍ତି । ୧୦୮ ଅକ୍ଷତ ଅରୁଆ ଚାଉଳ, ୧୦୮ ଦୁବ, ନାନାପ୍ରକାରର ଫୁଲ ଓ ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ଗଜା ମୁଗ, ବଡ଼ଚଣା, ସୋଲା, ନାରଙ୍ଗ, ପାନ, କାକୁଡି, କମଳା, ଜହ୍ନି, କଖାରୁ ଆଦି୨୧ ପ୍ରକାରର ଫଳ ଓ ପରିବା ଆଣିଥାନ୍ତି । ସପ୍ତମୀ ରାତ୍ରିରେ ଚିଲ ଓ ଶିଆଳକୁ ମନେମନେ ସ୍ମରଣକରି ତା’ପରଦିନ ପ୍ରଭାତରୁ ତାଙ୍କୁ ଯାଇ ଭେଟିବାକୁ ହୁଏ । ସ୍ନାନ ଶେଷକରି ସେହି ଦିନଯାକ ନିର୍ଜଳା ଉପବାସ କରିବାକୁ ପଡ଼େ ।

    ସନ୍ଧ୍ୟା ସମୟରେ ପୂଜା ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ । ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦ୍ୱୀପପରି ଜଣାପଡ଼ିବ । ଏହି କୋଠି ଅତି କମରେ ଦୁଇହାତ ଲମ୍ବା ହେବା ଦରକାର । ତା’ମଝିରେ ତୁଳସୀଗଛ ଲଗାଯାଏ ଏବଂ କଦଳୀ ଗଛ ପୋତାଯାଏ । ଖୋଳାଯାଇ ଏକ ବିଲ ତିଆରି କରି ତହିଁରେ ବାଲି ଦେଇ ବେଦୀ ନିର୍ମାଣ କରାଯାଇଥାଏ । ବେଦୀର ପୂର୍ବ ପାଖରେ ସୂର୍ଯ୍ୟ ଓ ପଶ୍ଚିମ ପାଖରେ ଏକ କଦଳୀ ଗଛକୁ ଜିମୂତବାହନଙ୍କ ପ୍ରତୀକ ରୂପେ ପୂଜା କରାଯାଇଥାଏ ।

    ଓଷା ଶେଷରେ ଓଷାରେ ବ୍ୟବହୃତ ପୂଜା ସାମଗ୍ରୀକୁ ଓଷାକାରିଣୀମାନେ ଗିଳିବା ବା ଚୋବାଇବାର ପରମ୍ପରା ରହିଛି । ତା’ସହିତ ଧୂପଦୀପ ଦେଇ ତାଙ୍କୁ ପୂଜା କରନ୍ତି । ପୂଜା ଶେଷକରି ସୂର୍ଯ୍ୟଦେବତାଙ୍କୁ ନମସ୍କାର କରି ଏକମୁହାଁ ହୋଇ ଘରକୁ ଲେଉଟି ଆସନ୍ତି । ଓଷାର ପରଦିନ ସେମାନେ ନୂଆ ଲୁଗା ପିନ୍ଧି ଘରେ ପୂର୍ଣ୍ଣ କୁମ୍ଭ ବସାଇ ଗୋଟିଏ ସ୍ଥାନକୁ ଗୋବର ପାଣିରେ ଲିପି ପୋଛି ରନ୍ଧାବଢ଼ା କରିଥିବା ଜିନିଷକୁ ସେଇଠାରେ ଥୋଇ ଦିଅନ୍ତି । କୁମ୍ଭ ଆଗରେ ଦୀପ ଜାଳି ପୂଜା ସ୍ଥଳରେ ୧୦୮ ଚାଉଳ ଓ ୧୦୮ ଦୁବ ସହ ଏକ କଷି କାକୁଡ଼ିକୁ ଶାଳପତ୍ରରେ ବାନ୍ଧି ପୁଅମାନଙ୍କୁ ବନ୍ଦାଇଥାନ୍ତି । ତାକୁ ସେମାନେ ଦୂତୀବାହନଙ୍କୁ ନୈବେଦ୍ୟ ଦିଅନ୍ତି । ସେହି ସାମଗ୍ରୀକୁ ପୁଅମାନଙ୍କ ଆପାଦମସ୍ତକ ଛୁଆଁଇ ବ୍ରତ ବା “ଜିଉଁତିଆ”କୁ ସେମାନଙ୍କ ହାତରେ କବଚ ଭଳି ବାନ୍ଧି ଦେଇଥାନ୍ତି ଓ ବନ୍ଧୁବାନ୍ଧବ ପିଲା ସମସ୍ତଙ୍କୁ ପରସିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    88 %
    1kmh
    96 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ