Sunday, October 4, 2026
24.3 C
Odisha

    ଝାଡ଼ଖଣ୍ଡରେ ନିର୍ବାଚନ, ମୟୂରଭଞ୍ଜରେ ଉତ୍ସାହ

    ଆଗକୁ ପଢନ୍ତୁ

    ବାରିପଦା: ଝାଡ଼ଖଣ୍ଡରେ ନିର୍ବାଚନ, ହେଲେ ମୟୂରଭଞ୍ଜ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବିଶେଷ କରି, ଏହି ପଡ଼ୋଶୀ ରାଜ୍ୟର ନିର୍ବାଚନକୁ ନେଇ ବିଜେପି ଏବଂ ଜେଏମ୍‌ଏମ୍‌ର ନେତା ଅଧିକ ତତ୍ପର ଓ ଉତ୍ସାହିତ ହୋଇପଡ଼ିଛନ୍ତି। ଓଡ଼ିଆ ଭୋଟର୍‌ଙ୍କୁ ନିଜ ଦଳ ସପକ୍ଷରେ ଆଣିବା ପାଇଁ ଖୁବ୍‌ଶୀଘ୍ର ବିଜେପି ନେତା ସେଠାରେ ଡେରା ପକାଇବେ ବୋଲି ଜଣାପଡ଼ିଛି। ତେବେ, ଜିଲ୍ଲାର ବିଜେଡି ଓ କଂଗ୍ରେସ ନେତାଙ୍କ ଭୂମିକା ଏଯାଏଁ ସ୍ପଷ୍ଟ ହୋଇନାହିଁ।

    ଝାଡ଼ଖଣ୍ଡରେ ଓଡ଼ିଆ ଭାଷାଭାଷୀ ଭୋଟରଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ ଅର୍ଥାତ୍‌ ୧୮ ପ୍ରତିଶତ ରହିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଝାଡ଼ଖଣ୍ଡର ୧୮ଟି ନିର୍ବାଚନମଣ୍ଡଳୀ ଓଡ଼ିଶାକୁ ଲାଗିରହିଛି। ଶୁଣିବାକୁ ମିଳୁଛି ଯେ ଏହି ୧୮ଟି ନିର୍ବାଚନମଣ୍ଡଳୀର ଦାୟିତ୍ବ ଓଡ଼ିଆ ନେତାଙ୍କ ଉପରେ ନ୍ୟସ୍ତ କରିବା ପାଇଁ ଉଭୟ ବିଜେପି ଓ ଜେଏମ୍‌ଏମ୍‌ ଭଳି ଦଳ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଜେଏମ୍‌ଏମ୍‌କୁ ପରାସ୍ତ କରି କରି କ୍ଷମତାସୀନ ହେବା ପାଇଁ ବିଜେପିର ସ୍ବତନ୍ତ୍ର ରଣନୀତି ରହିଛି। ତଦନୁଯାୟୀ, ଓଡ଼ିଶା ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡର ୩ଟି ଜିଲ୍ଲାର ନେତାଙ୍କୁ ଏଥିରେ ସାମିଲ୍‌ କରିବାପାଇଁ ଦଳ ଯୋଜନା କରୁଛି। ଜିଲ୍ଲାର ୨ ଜଣ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ କୃଷ୍ଣଚନ୍ଦ୍ର ମହାପାତ୍ର, ୯ଜଣ ବିଧାୟକ, ସାଂସଦ ମମତା ମହନ୍ତ ଓ ନବଚରଣ ମାଝୀ ପ୍ରଚାର ପାଇଁ ଝାଡ଼ଖଣ୍ଡ ନିର୍ବାଚନ ମୈଦାନରେ ଓହ୍ଲାଇବେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍ କହିଛନ୍ତି, ଏଥର ଓଡ଼ିଶା ପରି ଝାଡ଼ଖଣ୍ଡରେ ମଧ୍ୟ ଡବଲ୍‌ ଇଞ୍ଜିନ ଆସିବ। ଆମେ ଗତ ପାଞ୍ଚ ବର୍ଷରେ ତୃଣମୂଳସ୍ତରକୁ ଯାଇ କାମ କରିଛୁ। ମୋଦୀଙ୍କ ହାୱାରେ ଆମେ ସବୁ ଆସନରେ ବିପୁଳ ଭୋଟରେ ବିଜୟୀ ହେବୁ।

    ଡେରା ପକାଇବାକୁ ପ୍ରସ୍ତୁତ ହେଲେଣି ନେତା
    ଓଡ଼ିଆ ଭୋଟର୍‌ଙ୍କ ଉପରେ ସବୁ ଦଳର ଆଖି

    ଝାଡ଼ଖଣ୍ଡରେ ରହିଥିବା ଓଡ଼ିଆଙ୍କ କଥା ଆମ ସରକାର ବୁଝିଛନ୍ତି, ତେଣୁ ସେମାନେ ଆମ ସପକ୍ଷରେ ମତଦାନ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ପୁଣିଥରେ ରାଜ୍ୟରେ ସରକାର ଗଠନ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏ ନେଇ ମୟୂରଭଞ୍ଜ ଜେଏମ୍‌ଏମ ନେତା ମଧ୍ୟ ପ୍ରଚାରରେ ସାମିଲ୍‌ ହେବେ ବୋଲି ଜଣାପଡ଼ିଛି। ଜେଏମ୍‌ଏମ୍‌ର ରାଜ୍ୟ ସଭାପତି ଅଞ୍ଜଳୀ ସୋରେନ୍ କହିଛନ୍ତି, ଝାଡ଼ଖଣ୍ଡରେ ବିଜେପିର କୌଣସି ହାୱା ନାହିଁ। ଲୋକେ ବିକାଶକୁ ଦେଖି ଆମକୁ ବାଛିବେ, ଆମେ ବିକାଶର ନାରାଦେଇ ରାଜ୍ୟରେ ପୁଣିଥରେ ଶାସନକୁ ଆସିବୁ। ଝାଡ଼ଖଣ୍ଡରେ ସବୁବେଳେ ମୟୂରଭଞ୍ଜର ଦବ୍‌ଦବା ରହି ଆସିଛି। ଆମେ ଏହି ଓଡ଼ିଆଙ୍କ ଶକ୍ତିକୁ ନେଇ ନିର୍ବାଚନ ବୈତରଣୀ ପାର୍‌ ହେବୁ ବୋଲି ସେ କହିଛନ୍ତି।

    ତେବେ, ଝାଡ଼ଖଣ୍ଡ ନିର୍ବାଚନ ନେଇ ମୟୂରଭଞ୍ଜ କଂଗ୍ରେସ ପକ୍ଷରୁ କୌଣସି ପ୍ରସ୍ତୁତି ହୋଇ ନଥିବା ପରିଲକ୍ଷିତ ହୋଇଛି। ୨୦୨୪ ନିର୍ବାଚନ ପରେ କଂଗ୍ରେସର ଜିଲ୍ଲା ସଭାପତି ଭାବେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ଅନ୍ୟ କମିଟି ମଧ୍ୟ ଗଠନ ହୋଇ ପାରିନି। ସେହିପରି, ମୟୂରଭଞ୍ଜ ଜିଲ୍ଲା ବିଜେଡି ଦଳୀୟ ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି। ନିର୍ଦ୍ଦେଶ ପାଇବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିଜ ନାମ ଗୋପନ ରଖି ଜଣେ ବିଜେଡି ନେତା ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ