Sunday, April 12, 2026
25.3 C
Odisha

    ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ

    ଆଗକୁ ପଢନ୍ତୁ

    ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଆଜି ରାତିରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ସେ ଭୁବ‌ନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ହେବା ପ୍ରଚାର ହେବା କ୍ଷଣି ପୋଲସରାରେ ଶୋକର ଛାୟା ଖେଳିଯାଇଛି। ୨୦୦୪ରେ ସେ ବିଜେଡିରୁ କୋଦଳା ବିଧାନସଭା ନିର୍ବାଚନମଣ୍ଡଳୀ ଓ ୨୦୦୯ରେ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଗାତାର ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୋଲସରା ବ୍ଲକ୍ ଘୋଡ଼ାପଲାଣ ଗ୍ରାମରେ ନିରଞ୍ଜନ ଜନ୍ମ ଗ୍ରହଣ କରିଥିଲେ। ବଳି ପ୍ରଧାନ ଓ ଧର୍ମୀ ଦେବୀଙ୍କ ପୁଅ ନିରଞ୍ଜନ ୧୯୫୭ ମସିହାରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଆସିକା ଟେକ୍ନିକାଲ୍ ହାଇସ୍କୁଲ ଓ ପୋଲସରା ଗୋପବନ୍ଧୁ ହାଇସ୍କୁଲ୍‌ରେ ସ୍କୁଲ୍ ଶିକ୍ଷା ସମାପ୍ତ କରିଥିଲେ। ୧୯୭୬ ମସିହାରେ ନର୍ମଦା ପ୍ରଧାନଙ୍କୁ ବିବାହ କରିବା ପରେ ୧୯୭୯ ମସିହାରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ରାଜନୈତିକ ଗୁରୁ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରେରଣାରେ ୧୯୮୦ ମସିହାରେ ଘୋଡ଼ାପଲାଣରୁ ସରପଞ୍ଚ ଭ‌ାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ପୋଲସରା ବ୍ଲକ୍ ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରିଥିଲେ।

    ଏହି ସମୟରେ ନିରଞ୍ଜନଙ୍କ ରାଜନୈତିକ ପତିଆରା ବୃଦ୍ଧି ପାଇଥିଲା। ୧୯୯୫ ମସିହାରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ କୋଦଳା ନିର୍ବାଚନମଣ୍ଡଳୀରୁ ସେ ତାଙ୍କ ରାଜନୈତିକ ଗୁରୁ ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣଙ୍କ ବିପକ୍ଷରେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ। ୨୦୦୪ରେ ପୁଣି କୋଦଳାରୁ ବିଜେଡି ଟିକେଟ‌୍‌ରେ ନିର୍ବାଚନ ଲଢ଼ି ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। ଆଉ ୨୦୦୯ରେ ନବଗଠିତ ପୋଲସରା ଆସନରୁ ପୁଣି ନିର୍ବାଚନ ଲଢ଼ି ବିଜୟଧାରା ବଜାୟ ରଖିଥିଲେ। ତେବେ ୨୦୧୯ରେ ବିଜେଡି ଟିକେଟ୍ ନ ମିଳିବାରୁ ବିଜେଡିରୁ ସେ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ପତ୍ନୀ ନର୍ମଦା ପ୍ରଧାନ ମଧ୍ୟ ଜିଲ୍ଲା ପରିଷଦ ସଭ୍ୟା ଓ ବୋହୂ ସଂଯୁକ୍ତା ପ୍ରଧାନ ବ୍ଲକ୍ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ରାଜ୍ୟ ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ