Sunday, October 4, 2026
24.3 C
Odisha

    ଘରୁ ବାହାରି ଆଶ୍ରୟସ୍ଥଳକୁ ଆସନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ଅନୁରୋଧ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି।

    ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଦାନା’ । ଏହାପରେ ଆଗାମୀ ୪୮ ଘଣ୍ଟା ବାତ୍ୟା ଆମକୁ କଷ୍ଟ ଦେବ, ଯନ୍ତ୍ରଣା ଦେବ । ମାତ୍ର ପରେ ଯନ୍ତ୍ରଣା ପ୍ରଶମିତ ହେବ, ଆମ କଷ୍ଟ ଲାଘବ ହେବ । ଓଡ଼ିଶାବାସୀ ବହୁ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି। ଆତଙ୍କିତ, ବିଚଳିତ ହୁଅନ୍ତୁ ନାହିଁ। ଘରେ କି ରାସ୍ତ ଉପରେ ରହୁନ୍ତୁ ନାହିଁ। ସବୁଠୁ ନିରାପଦ ସ୍ଥଳ ହେଉଛି ବାତ୍ୟା ଆଶ୍ରୟସ୍ଥଳ । ତେଣୁ ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳକୁ ଆସନ୍ତୁ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି।

    ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଗ୍ରାଉଣ୍ଡରେ ପହଞ୍ଚି ସାରିଛନ୍ତି ରେସକ୍ୟୁ ଟିମ୍। ପରବର୍ତ୍ତୀ ୪୮ ଘଣ୍ଟା ଆମକୁ କଷ୍ଟ କରିବାକୁ ପଡ଼ିବ। ସରକାର ଓ ପ୍ରଶାସନ ୧୩ ଜିଲ୍ଲାରେ ଆଲର୍ଟରେ ଅଛନ୍ତି ।

    ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଲୋକ ପ୍ରତିନିଧି ଓ ପୁଲିସ୍‌ ଫୁଲ୍‌ ଦମ୍‌ରେ ଲାଗିଛନ୍ତି। ସମୁଦାୟ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ରାଜ୍ୟରେ ମୋଟି ୬ହଜାର ୫ଶହ ରିଲିଫ ସେଣ୍ଟର ପ୍ରସ୍ତୁତ କରାଯାଇଛି। କିନ୍ତୁ, ପରନ୍ତୁ ଛାଡ଼ନ୍ତୁ, ଘରୁ ବାହାରି ଆଶ୍ରୟସ୍ଥଳକୁ ଆସି ଜୀବନ ସୁରକ୍ଷିତ କରିବାକୁ ରାଜସ୍ୱ ମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରିଛନ୍ତି।

    ରିଲିଫ ସେଣ୍ଟରରେ ଥିବା ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଉଛି। ସେଣ୍ଟରରେ ରହୁଥିବା ଲୋକଙ୍କୁ କେତେ ଦିନ ଖାଦ୍ୟ,ମେଡିସିନ ଦିଆଯିବ ତାହାର ନିଷ୍ପତ୍ତି ଜିଲ୍ଲାପାଳ ନେବେ। ଏଥିନିମନ୍ତେ ଖୋଲା ହାତରେ ଖର୍ଚ୍ଚ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି।

    ବାତ୍ୟା ପୂର୍ବରୁ ଗାଁକୁ ଖାଲି କରାଯାଉଥିବାରୁ ଗାଁରେ ପାଟ୍ରୋଲିଂ କରାଯାଉଛି। ସବୁଠି ପଇଁତରା ମାରୁଛି ପୁଲିସ୍‌ । ରିଲିଫ ସେଣ୍ଟରରେ ମହିଳା ପୁଲିସ୍‌ ଅଞ୍ଚନ୍ତି। ଏପରି ସ୍ଥିତିରେ ନିଜ ଘରଦ୍ୱାରା, ଜିନିଷର ସୁରକ୍ଷା କଥା ନ ଭାବି ନିଜ ସୁରକ୍ଷା କଥା ଭାବନ୍ତୁ। ତେଣୁ ମନରେ କିନ୍ତୁ, ପରନ୍ତୁ ଛାଡ଼ି ଘରୁ ବାହାରି ରିଲିଫ୍‌ ସେଣ୍ଟରକୁ ଆସନ୍ତୁ। ବାତ୍ୟା ଛାଡ଼ିଗଲେ ଆମେ ଲୋକଙ୍କୁ ରିଲିଫ ସେଣ୍ଟରରୁ ନେଇ ଘରେ ଛାଡ଼ିବୁ। ଆଉ କ୍ଷୟକ୍ଷତିର ଆକଳନ କରି ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ଦେବୁ। କାରଣ ସରକାର ଆପଣଙ୍କ ସୁରକ୍ଷା କବଚ ବୋଲି ମନ୍ତ୍ରୀ କହିଛନ୍ତି ।
    ଘର ଗୁହାଳରେ ଗାଈ, ଛେଳିଙ୍କୁ ବାନ୍ଧନ୍ତୁ ନାହିଁ। ସେମାନଙ୍କୁ ଖୋଲା ଛାଡ଼ନ୍ତୁ। ସେମାନେ ବିପଦ ଆସିଲେ ଆପେ ଆପେ ସୁରକ୍ଷିତ ସ୍ଥାନକୁ ଯାଇପାରିବେ। ନଚେତ ସେମାନଙ୍କୁ ଉଚ୍ଚ ସ୍ଥାନରେ ଛାଡ଼ନ୍ତୁ। କିମ୍ବା ସରକାରଙ୍କ ଦ୍ୱାରା ବିଭିନ୍ନ ପଞ୍ଚାୟତରେ ସ୍ଥାପନ କରାଯାଇଥିବା ପଶୁ ସମ୍ପଦ ଆଶ୍ରୟ ସ୍ଥଳୀରେ ଛାଡ଼ନ୍ତୁ। ସେଠାରେ ଗୋଖାଦ୍ୟ, ପାଣି ଆଦି ମହଜୁଦ ରଖାଯାଇଛି।

    ଅଧିକ ବେଗରେ ପବନ ହେଲେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବ । ଏହାପରେ ପୁଣି ଥରେ ସେବାକୁ ନିରବଚ୍ଛିନ ଭାବେ ଚାଲୁ କରିବାକୁ ତ୍ୱରାନ୍ୱିତ ଭାବେ କାମ କରାଯିବ । ତ୍ରୁଟିଶୂନ୍ୟ ବ୍ୟବସ୍ଥା ହୋଇଛି। ଏହାବାଦ ବି ନୂଆ ପରାମର୍ଶ ଆସିଲେ ଆମେ ଗ୍ରହଣ କରିକୁ। ତେଣୁ ଭୟଭୀତ, ଚିନ୍ତିତ କି ବିଚଳିତ ହୁଅନ୍ତୁ ନାହିଁ। ଆମେ ଏହି ବାତ୍ୟାକୁ ସଫଳତାର ସହ ମୁକାବିଲା କରିବା ଓ ସଫଳ ହେବା ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ