Sunday, September 13, 2026
27.6 C
Odisha

    ଯାଜପୁରକୁ ଅନୁଦାନ ବର୍ଷା, ୫ବର୍ଷରେ ୬୫୬୬ କୋଟି: ବିଭିନ୍ନ ପାଣ୍ଠିରୁ ବିନିଯୋଗ ହୋଇଛି ବିପୁଳ ଅର୍ଥ

    ଆଗକୁ ପଢନ୍ତୁ

    ଯାଜପୁର: ଯାଜପୁର ବିକାଶର ଅସଲ ଚିତ୍ର ଏବେ ସାମ୍ନାକୁ ଆସିଛି। ବିଭିନ୍ନ ପାଣ୍ଠି ବା ଯୋଜନାରୁ ଯାଜପୁରକୁ କିଭଳି ଅନୁଦାନ ବର୍ଷା କରାଯାଉଥିଲା ତା’ ଉପରୁ ପରଦା ହଟିବା ଆରମ୍ଭ କରିଛି। ଗତ ୫ବର୍ଷରେ ରାଜ୍ୟ ରାଜନୀତିର ହଟସ୍ପଟ୍‌ ଯାଜପୁର ଜିଲ୍ଲାକୁ ବିଭିନ୍ନ ପାଣ୍ଠିରୁ ୬୫୬୬ କୋଟି ଟଙ୍କାର ଅନୁଦାନ ଆସିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା(ସିଏମ୍‌ଏସ୍‌ଏ), ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି (ଡିଏମ୍‌ଏଫ), ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ(ଓମ୍‌ବାଡ୍‌ସି)ରୁ ଏହି ଅନୁଦାନ ମଞ୍ଜୁର କରାଯାଇଛି। ସେହିଭଳି ଖଣି ଓ ଶିଳ୍ପାନୁଷ୍ଠାନଗୁଡ଼ିକର ପାରିପାର୍ଶ୍ବିକ ବିକାଶ ବା ସିଏସ୍‌ଆର ପାଣ୍ଠି ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସ୍ବତନ୍ତ୍ର ରିଲିଫ୍ କମିସନ(ଏସ୍‌ଆର୍‌ସି)ଙ୍କ ସହାୟତାରେ ବିଭିନ୍ନ ପ୍ରକଳ୍ପକୁ ସାମିଲ କରାଯାଇଛି। ହେଲେ ଏତେ ବଡ଼ ପରିମାଣର ଅନୁଦାନ, ଜିଲ୍ଲାର କେଉଁଠି ବିନିଯୋଗ ହୋଇଛି, ଏହାର ସୁଫଳ ଲୋକେ ପାଉଛନ୍ତି ନା ନାହିଁ, ତାହା ଅନୁସନ୍ଧାନ ସାପେକ୍ଷ। ଯେଉଁ କଥାଟି ଏବେ ଚର୍ଚ୍ଚାର ବିଷୟ ହୋଇଛି, ତାହା ହେଲା, ଅନେକ ପ୍ରକଳ୍ପର ପତ୍ତା ନାହିଁ। ଅର୍ଥାତ୍ ଗୁପ୍ତ ପ୍ରକଳ୍ପ ନାମରେ ଯାଜପୁରକୁ ମିଳୁଥିବା ଏହି ଅର୍ଥକୁ କିଏ ଚଳୁ କରୁଥିଲେ ତା’କୁ ନେଇ ତଦନ୍ତର ଆବଶ୍ୟକତା ରହିଛି। ଯାଜପୁରକୁ ଆସୁଥିବା ଅନୁଦାନ ସମ୍ପର୍କରେ ବିଜେପି ବିଧାୟକମାନଙ୍କ ବିଧାନସଭାରେ ପ୍ରଶ୍ନ ଓ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି।
    ଆଜି ବଡ଼ଚଣା ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଗତ ୩ବର୍ଷରେ ଯାଜପୁରକୁ ୧୭୩୫ଟି ପ୍ରକଳ୍ପ ବାବଦରେ ୩୦୭୪କୋଟି ଟଙ୍କା ମଞ୍ଜୁର ହୋଇଛି। କାର୍ଯ୍ୟ କରୁଥିବା ସଂସ୍ଥାକୁ ଜିଲ୍ଲା ପ୍ରଶାସନ ୩୦୦୮କୋଟି ୩୮ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ସେଥିରୁ ୧୦୩୭ଟି ପ୍ରକଳ୍ପ ଆରମ୍ଭ ହୋଇନାହିଁ। ଅନୁରୂପ ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, ଗତ ୫ବର୍ଷରେ ୧୩୯୧କୋଟି ୯୪ଲକ୍ଷ ଟଙ୍କା ଡିଏମ୍‌ଏଫ୍‌ ବାବଦରେ ଆଦାୟ ହୋଇଥିଲା। ସେଥିରୁ ୧୦୩୨କୋଟି ୫୪ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ୬୧୨କୋଟି ୫ଲକ୍ଷ ଟଙ୍କା ବିନିଯୋଗ ନ ହୋଇ ରହିଛି। ଏହିଅର୍ଥରେ ୩୫୯୯ଟି ପ୍ରକଳ୍ପକୁ ସାମିଲ କରାଯାଇଛି। ପ୍ରକଳ୍ପ ପାଇଁ ୨୦୦୨କୋଟି ୮୫ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି। ସେହିପରି ସୂଚନା ଅଧିକାର ତଥ୍ୟରୁ ଜଣାପଡ଼ିଛି ଯେ, ଓମ୍‌ବାଡ୍‌ସିରେ ୧୪୮୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ୭୭୯.୯୩୧ କୋଟି ଟଙ୍କା ବ୍ୟୟ ହୋଇଛି। ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ଷଠିପୁର ଠାରୁ ଯାଜପୁର ସହର ପର୍ଯ୍ୟନ୍ତ ବିପୁଳ ଅର୍ଥ ବ୍ୟୟରେ ବହୁ ପ୍ରକଳ୍ପ ନିର୍ମାଣ ଚାଲିଛି। ହେଲେ ଏସବୁର କୌଣସି ସୂଚନା ଫଳକ ଲଗାଯାଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ