Tuesday, March 24, 2026
35.6 C
Odisha

    ଇସ୍ରାଏଲର ବାୟୁ ପ୍ରତିରକ୍ଷା ଭାଙ୍ଗିବାକୁ ପ୍ରୟାସ

    ଆଗକୁ ପଢନ୍ତୁ

    ତେଲ ଅବିବ: ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଭାଙ୍ଗିବା ଲକ୍ଷ୍ୟରେ ଇରାନ ମଙ୍ଗଳବାର ଏହା ଉପରେ ନିଜର ହାଇପରସୋନିକ୍ ମଧ୍ୟମ ଦୂରତା ବିଶିଷ୍ଟ ଫତହ-୨ ସମେତ ୧୮୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଇସ୍ରାଏଲର ଏଫ୍-୩୫ ଲଢୁଆ ବିମାନ ମହଜୁଦ ଥିବା ନେଭାଟିମ୍ ଓ ତେଲ ନୋଫ୍ ବିମାନଘାଟି ସମେତ ଇସ୍ରାଏଲର ପ୍ରମୁଖ ସାମରିକ ପ୍ରତିଷ୍ଠାନ ଉପରେ ଏହି ଆକ୍ରମଣ ହୋଇଥିଲା। ଅନ୍ୟାନ୍ୟ ଟାର୍ଗେଟ ମଧ୍ୟରେ ନେଗେଭ ମରୁଭୂମିର ହାଟଜେରିମ୍ ବିମାନଘାଟି ଓ ତେଲ ଅବିବରେ ଥିବା ମୋସାଦ ମୁଖ୍ୟାଳୟ ଅନ୍ତର୍ଭୁକ୍ତ। ପ୍ରଥମ ଥର ପାଇଁ ବ୍ୟବହୃତ ଫତହ-୧ର ଉନ୍ନତ ସଂସ୍କରଣ ଫତହ-୨ ଇରାନର ବର୍ତ୍ତମାନର ସାମରିକ ସାମର୍ଥ୍ୟକୁ ସୂଚିତ କରୁଛି। ଇରାନ ଅଧିକାରୀଙ୍କ କହିବା ଅନୁସାରେ, ଏହା ଇସ୍ରାଏଲର ଆରୋ ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ କରିଥିଲା, ଯାହା କି ଦୀର୍ଘ ଦୂରତା ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଡିଜାଇନ କରାଯାଇଛି।

    ଫତହ-୨ର ବିଶେଷତ୍ବ
        ଫତହ-୨ ହାଇପରସୋନିକ୍ ଗ୍ଲାଇଡ୍ ଭେଇକିଲ୍ (ଏଚ୍‌ଜିଭି) ଯୁଦ୍ଧାସ୍ତ୍ରରେ ସଜ୍ଜିତ, ଯାହା କ୍ଷେପଣାସ୍ତ୍ରକୁ ମାକ୍ ୫ରୁ ୨୦ ମଧ୍ୟରେ ଦ୍ରୁତ ଗତିରେ ଯିବାକୁ ଅନୁମତି ଦେଇଥାଏ। ମାକ୍ ହେଉଛି ଏକ ଗତି ପରିମାପକ ଏକକ, ଯାହାକୁ ଶବ୍ଦର ଗତି ସହ ତୁଳନା କରାଯାଏ।
        ଫତହ-୨ର ରେଞ୍ଜ ୧୫୦୦ କିଲୋମିଟର, ଯାହା କି ଏହାର ପୂର୍ବବର୍ତ୍ତୀ ଫତହ-୧ଠାରୁ ସାମାନ୍ୟ ଅଧିକ।
        ପ୍ରତିରକ୍ଷା ବ୍ୟବସ୍ଥାରୁ ବର୍ତ୍ତିବା ପାଇଁ ଉଡ଼ାଣ ସମୟରେ ଏହା ଗୁରୁତ୍ୱପୂର୍ଣ୍ଣ ଗତିପଥ ପରିବର୍ତ୍ତନ କରିବାରେ ସକ୍ଷମ।
        ଉନ୍ନତ ଦିଗ ନିୟନ୍ତ୍ରଣ ପାଇଁ ଏହା ଗୋଲାକାର କଠିନ ଇନ୍ଧନ ଇଞ୍ଜିନ୍ ବ୍ୟବହାର କରେ ଯେଉଁଥିରେ ଏକ ଚଳତ୍‌ଶୀଳ ‘ନୋଜଲ୍’ ଥାଏ।
        ଫତହ-୨ର ପୁନଃପ୍ରବେଶ ଯାନ ହାଇଡ୍ରୋଜେନ ଇନ୍ଧନରେ ସଜ୍ଜିତ ଯାହା ବାୟୁମଣ୍ଡଳ ମଧ୍ୟରେ ଗତିକୁ ବୃଦ୍ଧି ଓ ହ୍ରାସ କରିବା ପାଇଁ ଉଦ୍ଦିଷ୍ଟ।
        ଏହି କ୍ଷେପଣାସ୍ତ୍ର ପୃଥିବୀର ବାୟୁମଣ୍ଡଳ ବାହାରେ ଦ୍ରୁତଗତିରେ ଗତି କରିପାରୁଥିବା ବେଳେ ଏହାର ଏରୋଡାଇନାମିକ୍ ନିୟନ୍ତ୍ରଣ-ପୃଷ୍ଠ ବାୟୁମଣ୍ଡଳ ଭିତରେ ଗତି ବଦଳାଇବା ପାଇଁ ଅନୁମତି ଦେଇଥାଏ।
        ମଙ୍ଗଳବାରର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇରାନର ରିଭଲ୍ୟୁସନରୀ ଗାର୍ଡସ ଦାବି କରିଛି ଯେ ସେମାନଙ୍କର ୯୦ ପ୍ରତିଶତ କ୍ଷେପଣାସ୍ତ୍ର ସଫଳତାର ସହ ସେମାନଙ୍କ ଟାର୍ଗେଟକୁ ମାଡ଼ କରିଛି। ତେବେ ଉଭୟ ଇସ୍ରାଏଲ ଓ ଆମେରିକା କହିଛନ୍ତି ଯେ ଇରାନର ଅଧିକାଂଶ କ୍ଷେପଣାସ୍ତ୍ରକୁ ରୋକିବା ଓ ନଷ୍ଟ କରିବାରେ ସେମାନଙ୍କ ସେନା ସଫଳ ହୋଇଥିଲା। ଇସ୍ରାଏଲରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଏହାକୁ ଇସ୍ରାଏଲ ଆକ୍ରମଣର ଦୃଢ଼ ଜବାବ ବୋଲି କହିଛନ୍ତି। ଏହାର ଜବାବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତେହେରାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ