Wednesday, August 12, 2026
25.1 C
Odisha

    ଦ୍ବିତୀୟ ପାଳିରେ ଲଢ଼ିଲା ଭାରତ: ୯୦୦୦ ରନ୍‌ କ୍ଲବ୍‌ରେ କୋହଲି

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରିଥିବା ଭାରତୀୟ ଦଳ ୩୫୬ ରନ୍ ପଛୁଆ ରହିଥିଲା। ତଥାପି ରୋହିତ ଶର୍ମାଙ୍କ ଦଳ ଦ୍ବିତୀୟ ପାଳିରେ ଭଲ ଲଢ଼ିଛି। ଦ୍ରୁତ ରନ୍ ସଂଗ୍ରହ କରି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ପ୍ରତିପକ୍ଷର ଅଗ୍ରଣୀ ବ୍ୟବଧାନକୁ ୧୨୫ ରନ୍‌କୁ ଖସାଇ ଆଣିଛି। ଶୁକ୍ରବାର ଷ୍ଟମ୍ପ୍ସ ବେଳକୁ ଭାରତ ଦିନର ଶେଷ ବଲ୍‌ରେ ବିରାଟ କୋହଲିଙ୍କ ୱିକେଟ୍ ହରାଇ ୨୩୧/୩ରେ ପହଞ୍ଚିଛି।
    ପ୍ରଥମ ଦିନ ଖେଳକୁ ବର୍ଷା ଧୋଇନେବା ପରେ ଗୁରୁବାର ଦ୍ବିତୀୟ ଦିବସରେ ବର୍ଷାସିକ୍ତ ପାଳିରେ ଘରୋଇ ଦଳ ମାତ୍ର ୪୬ ରନ୍ କରିଥିଲା। ଶୁକ୍ରବାର ନ୍ୟୁଜିଲାଣ୍ଡ୍‌ ଏହାର ଅସମାପ୍ତ ପାଳିକୁ ୧୮୦/୩ରୁ ଖେଳିବା ପରେ ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ୱିକେଟ୍‌ ବାହାର କରି ଭ୍ରମଣକାରୀ ଦଳକୁ ଚାପରେ ରଖିଥିଲେ। କିନ୍ତୁ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ପୁଣି ଭାରତ ପାଇଁ କଣ୍ଟା ସାଜିଥିଲେ। ଟିମ୍ ସାଉଦି (୭୩ ବଲ୍‌ରୁ ୬୫ ରନ୍‌)ଙ୍କ ସହ ମିଶି ରାଚିନ ରବୀନ୍ଦ୍ର (୧୫୭ ବଲ୍‌ରୁ ୧୩୪ ରନ୍) ଅଷ୍ଟମ ୱିକେଟ୍ ଭାଗୀଦାରିରେ ୧୩୭ ରନ୍ ଯୋଡ଼ିବା ନିର୍ଣ୍ଣାୟକ ହୋଇଥିଲା। ରାଚିନଙ୍କୁ ଆଉଟ୍ କରି କୁଲଦୀପ ନ୍ୟୁଜିଲାଣ୍ଡ ପାଳିକୁ ୪୦୨ରେ ଶେଷ କରିଥିଲେ। ଦୁଇ ବାମହାତୀ ସ୍ପିନର୍ କୁଲଦୀପ ୟାଦବ ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

    ୯୦୦୦ ରନ୍‌ କ୍ଲବ୍‌ରେ କୋହଲି
    ଭାରତୀୟ ବ୍ୟାଟର୍‌ ବିରାଟ କୋହଲି ଶୁକ୍ରବାର ନୂଆ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟ୍‌ରେ ସେ ୯୦୦୦ ଟେଷ୍ଟ୍‌ ରନ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଏହି କ୍ଲବ୍‌ରେ ‌ସାମିଲ ହେବାରେ କୋହଲି ଚତୁର୍ଥ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ଭାରତର ସୁନିଲ ଗାଭାସ୍କର (୧୦୧୨୨), ସଚିନ ତେନ୍ଦୁଲକର (୧୫୯୨୧) ଓ ରାହୁଲ ଦ୍ରାବିଡ଼ (୧୩୬୨୫) ଏହି କ୍ଲବ୍‌ରେ ସାମିଲ ହୋଇଥିଲେ। କୋହଲି ୧୯୭ ପାଳିରେ ୯୦୦୦ ଟେଷ୍ଟ୍‌ ରନ୍‌ ପୂର୍ଣ୍ଣ କରିବାରେ ଭାରତର ଚତୁର୍ଥ ଦ୍ରୁତତମ ଏବଂ ମୋଟ ଉପରେ ତ୍ରୟୋଦଶ ହୋଇଛନ୍ତି।
    ଭଲ ଖବର; ପନ୍ତ ବ୍ୟାଟିଂ ଅଭ୍ୟାସ କଲେ
    ଗୁରୁବାର କିପିଂ କରୁଥିଲା ବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ ଋଷଭ ପନ୍ତଙ୍କ ଆଣ୍ଠୁରେ ବାଜିଥିଲା। ତାଙ୍କ ଆଣ୍ଠୁରେ ପୂର୍ବରୁ ଅସ୍ତ୍ରୋପଚାର ହୋଇଥିବାରୁ ଏହା ଗମ୍ଭୀର ସ୍ଥିତିକୁ ଚାଲି ଯାଇଥିଲା। ଫଳରେ ସେ ଆଉ କିପିଂ କରି ନଥିଲେ। ଏପରିକି ଶୁକ୍ରବାର ପୂରାଦିନ ସେ ପଡ଼ିଆ ବାହାରେ ରହିଥିଲେ। ତାଙ୍କ ବଦଳରେ ଧ୍ରୁବ ଜୁରେଲ ୱିକେଟ୍‌ରକ୍ଷକ ଦାୟିତ୍ବରେ ରହିଥିଲେ। ତେବେ ଶୁକ୍ରବାର ପନ୍ତ ବ୍ୟାଟିଂ ଅଭ୍ୟାସ କରିଛନ୍ତି। ତେଣୁ ଶନିବାର ସେ ବ୍ୟାଟିଂ କରିବାର ସମ୍ଭାବନା ରହିଛି। ଯାହା ଭାରତ ପାଇଁ ଖୁସି ଖବର ଆଣିଛି। କାରଣ ବଦଳ ୱିକେଟ୍‌ରକ୍ଷକ ଜୁରେଲଙ୍କୁ ବ୍ୟାଟିଂ ପାଇଁ ଅନୁମତି ମିଳି ନଥାନ୍ତା।

    ଭାରତ ଦ୍ବିତୀୟ ପାଳିରେ ବଢ଼ିଆ ଆରମ୍ଭ କରିଥିଲା। ଚା’ପାନ ବିରତି ବେଳକୁ ବିନା କ୍ଷତିରେ ୫୭ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲା। ଗତ ଭାରତ ଗସ୍ତରେ ୧୦ ୱିକେଟ୍‌ ସଫଳତା ପାଇଥିବା ବାମହାତୀ ସ୍ପିନର୍ ଏଜାଜ ପଟେଲ୍ କିନ୍ତୁ ଯଶସ୍ବୀ ଜୟସ୍ବାଲ (୫୨ ବଲ୍‌ରୁ ୩୫ ରନ୍‌)ଙ୍କୁ ଷ୍ଟମ୍ପିଂ କରାଇ ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ। ଏହା ପରେ ରୋହିତ ଶର୍ମା (୬୩ ବଲ୍‌ରୁ ୫୨ ରନ୍) ମଧ୍ୟ ବୋଲ୍ଡ ‌ହୋଇ ଏଜାଜଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଏହି ସମୟରେ ଚିନ୍ନାସ୍ବାମୀ ପଡ଼ିଆ ମଝିରେ ଏକାଠି ହୋଇଥିବା ବିରାଟ କୋହଲି ଓ ସର୍ଫରାଜ ଖାନ୍ କିନ୍ତୁ ପ୍ରତି ଆକ୍ରମଣଭରା ଅର୍ଦ୍ଧଶତକ ହାସଲ କରି ଭାରତକୁ ବଡ଼ ଅଗ୍ରଣୀ ଦିଗରେ ବାଟ ଫିଟାଉଥିଲେ। ଦୁର୍ଭାଗ୍ୟଜନକ ଭାବେ କୋହଲି (୧୦୨ ବଲ୍‌‌ରୁ ୭୦ ରନ୍) ଦିନର ଶେଷ ବଲ୍‌ରେ ଗ୍ଲେନ୍ ଫିଲିପ୍ସଙ୍କ ଦ୍ବାରା କଟ୍ ବିହାଇଣ୍ଡ୍ ହୋଇ ଫେରିବାରୁ ଆଶା ଓ ଆଶଙ୍କାର ଲୁଚକାଳି ଖେଳ ଆଗକୁ ବଢ଼ିଛି। ଯୁବ ତାରକା ସର୍ଫରାଜ ୭୮ ବଲ୍‌ରୁ ୭୦* ରନ୍ ସଂଗ୍ରହ କରି ବ୍ୟାଟିଂ ଜାରି ରଖିଛନ୍ତି। ପ୍ରଥମ ପାଳିରେ ଭାରତ ବଡ଼ ରନ୍‌ ବ୍ୟବଧାନର ବୋଝ ବରଣ କରିବା ସତ୍ତ୍ବେ ସୁନ୍ଦର ଭାବେ ମ୍ୟାଚ୍‌କୁ ନିର୍ଣ୍ଣାୟକ ମୋଡ଼କୁ ନେଇଥିବାରୁ ପ୍ରଶଂସକ କିଛିଟା ଖୁସି ହୋଇଛନ୍ତି।

    ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୪୬ (ଋଷଭ ପନ୍ତ-୨୦,‌ ମ୍ୟାଟ୍ ହେନରି-୫/୧୫, ୱିଲିୟମ୍ ରୁରକୀ-୪/୨୨)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୪୦୨ (ରାଚିନ ରବୀନ୍ଦ୍ର-୧୩୪, ଡେଭନ୍ କନୱେ-୯୧, ଟିମ୍ ସାଉଦି-୬୫, ରବୀନ୍ଦ୍ର ଜାଡ଼େଜା-୩/୭୨, କୁଲଦୀପ ୟାଦବ-୩/୯୯, ମହମ୍ମଦ ସିରାଜ-୨/୮୪, ଯଶପ୍ରୀତ୍ ବୁମରା-୧/୪୧, ଆର୍ ଅଶ୍ବିନ-୧/୯୪)। ଭାରତ ଦ୍ବିତୀୟ ପାଳି: ୪୯ ଓଭରରେ ୨୩୧/୩ (ବିରାଟ କୋହଲି-୭୦, ସର୍ଫରାଜ ଖାନ୍-୭୦*, ରୋହିତ ଶର୍ମା-୫୨, ଯଶସ୍ବୀ ଜୟସ୍ବାଲ-୩୫, ଏଜାଜ ପଟେଲ୍‌-୨/୭୦, ଗ୍ଲେନ୍ ଫିଲିପ୍ସ-୧/୩୬)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    89 %
    1.1kmh
    100 %
    Tue
    25 °
    Wed
    31 °
    Thu
    29 °
    Fri
    27 °
    Sat
    28 °

    ସମ୍ବନ୍ଧିତ