Saturday, March 21, 2026
32.6 C
Odisha

    ଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା; ଶ୍ରେଷ୍ଠ ପ୍ରଦର୍ଶନ ପାଇଁ‘ଓଡ଼ିଶା ମଣ୍ଡପ’କୁ ରୌପ୍ୟ ପଦକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪’ରେ ‘ଓଡ଼ିଶା ମଣ୍ଡପ’କୁ ମିଳିଛି ରୌପ୍ୟ ପଦକ । ଏହି ବିଶାଳ ବାଣିଜ୍ୟ ମେଳାରେ ଥିମାଟିକ୍‌ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ଏହି ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ ଆୟୁକ୍ତ ଶ୍ରୀଯୁକ୍ତ ବିଶାଲ ଗଗନ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

    ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ପୁରସ୍କାର ଗ୍ରହଣ ସମୟରେ ‘ଓଡ଼ିଶା ମଣ୍ଡପ’ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଶ୍ୱିନୀ ଭୋଇ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ, ପ୍ରଦର୍ଶନୀ ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ସାହୁ, ସୂଚନା ଅଧିକାରୀ ଶ୍ରୀଯୁକ୍ତ ହରପ୍ରସାଦ ମହାପାତ୍ର, ଅତିରିକ୍ତ ସେକ୍ସନ ଅଫିସର ଶ୍ରୀଯୁକ୍ତ ନିହାର ରଞ୍ଜନ ଘଡ଼େଇଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

    ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ ୨୭ ତାରିଖରେ ଶେଷ ହୋଇଛି । ଚଳିତ ବର୍ଷକୁ ମିଶାଇ ଓଡ଼ିଶା ଲଗାତାର ଭାବେ ତୃତୀୟ ଥର ପାଇଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ପୁରସ୍କାର ପାଇଛି । ‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ଥିମରେ ଚଳିତ ବର୍ଷ ‘ଓଡ଼ିଶା ମଣ୍ଡପ’ର ଡିଜାଇନ ପ୍ରସ୍ତୁତ କରାଯାଇଥିଲା ।  ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହୋଇଥିଲା । ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ମୁଖଶାଳା ମୁକ୍ତେଶ୍ୱର ତୋରଣ, କୋଣାର୍କ ମନ୍ଦିରର ପ୍ରତିରୂପ, ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ ଓ ଶିଳ୍ପ ପ୍ରଗତିର ଚିତ୍ର ଓଡ଼ିଶା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିଥିଲା ।

    ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଶା ପାଭିଲିୟନରେ ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ୍ ସ୍ଥାନ ପାଇଥିଲା । ଏହା ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଓରମାସ୍ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ମିଶନ ଶକ୍ତି ମା’ଙ୍କ ହାତ ତିଆରି ଜିନିଷ, ଜନଜାତି କଳାକୃତି ଏବଂ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଦେଶ ବିଦେଶର ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ସେହିପରି ଫୁଡକୋର୍ଟରେ ଓଡ଼ିଶାର ସ୍ୱତନ୍ର୍ର ଖାଦ୍ୟରୁଚି ଦିଲ୍ଲୀ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।

    କ୍ରୁରତା ହୀନ ଏବଂ କୃତ୍ରିମ ରଙ୍ଗହୀନ ଉପାୟରେ ପ୍ରସ୍ତୁତ କରୁଣା ସିଲ୍କ ଓଡ଼ିଶା ମଣ୍ଡପର ଅନ୍ୟତମ ଆକର୍ଷଣ ସାଜିଥିଲା । ତା’ ସହ ହସ୍ତତନ୍ତ ଓ ହସ୍ତକଳା, ପଟ୍ଟଚିତ୍ର, ତାରକସି କାରୁକାର୍ଯ୍ୟ ଆଦିର ଲାଇଭ୍ ଡେମନଷ୍ଟ୍ରେସନ୍ ନୂଆଦିଲ୍ଲୀ ବାଣିଜ୍ୟ ମେଳାରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ପ୍ରମାଣିତ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ