Saturday, March 28, 2026
38.2 C
Odisha

    ନିର୍ଦ୍ଧାରିତ ସମୟରେ ଖୋଲାଗଲା ଭିତର ରତ୍ନ ଭଣ୍ଡାର

    ଆଗକୁ ପଢନ୍ତୁ

    ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍‌ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପୂର୍ବ ଥର ପରି ଏଥର ବି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ଜଣିଆ ହାଇଲେବଲ କମିଟି ଭିତର ରତ୍ନ ଭଣ୍ଡାରକୁ ଯାଇଛନ୍ତି।

    ଗତ ୧୪ ତାରିଖରେ ବାହାର ଭଣ୍ଡାର ତାଲା ଚାବିରେ ଖୋଲିଥିବାବେଳେ ଭିତର ଭଣ୍ଡାର ତାଲା ଭଙ୍ଗା ଯାଇଥିଲା। ଉକ୍ତ ଦିନ ବାହାର ରତ୍ନ ଭଣ୍ଡାରରେ ଥିବା ସବୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇଥିବା ବେଳେ ଆଜି ଭିତର ଭଣ୍ଡାରରେ ରାଜରାଜୁଡ଼ା ଅମଳର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁକୁ ସ୍ଥାନାନ୍ତର କରାଯିବ ।

    ଆଜି ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶୁଭ ସମୟ ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ମଧ୍ୟରେ ସ୍ଥିର କରାଯାଇଥିଲା।  ଏହାପୂର୍ବରୁ ପୂର୍ବାହ୍ନ ୯ଟା ବେଳେ କମିଟି ସଦସ୍ୟମାନେ ରଥ ଉପରେ ଥିବା ମହାପ୍ରଭୁଙ୍କୁ ପ୍ରଣିପାତ କରି ମନ୍ଦିର ଭିତରକୁ ପଶିଥିଲେ । ଏହାପରେ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତ ସମୟରେ ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଗଲା। ଏହାରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିବା ଜଣାଯାଇଛି। ଖଟଶେଯରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌କୁ ସବୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆଜି ସଂପୂର୍ଣ୍ଣ କରିବାକୁ ଆଶା ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି।

    କିନ୍ତୁ ଆଜି ସ୍ଥାନାନ୍ତର ପ୍ରକ୍ରିୟା ବେଳେ ASI ଟିମ୍‌ ରତ୍ନ ଭଣ୍ଡାରକୁ ଯାଇ ଭିତରର ସ୍ଥିତି ସମୀକ୍ଷା କରିବାକୁ ସୁଯୋଗ ପାଇ ପାରନ୍ତି। ଭିତର ରତ୍ନ ଭଣ୍ଡାରର ସ୍ଥିତି କ’ଣ ତାହା ସେମାନେ ପରଖି ପାରନ୍ତି ବୋଲି ଜଣାଯାଇଛି। ଏହାପରେ ASI ଟିମ୍‌ ନିଜ ମରାମତି କାମ ଆରମ୍ଭ କରିବ । ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଯେପରି ମରାମତି ଆବଶ୍ୟକ ନ ପଡ଼େ ସେପରି ଭାବେ ମରାମତି କରିବାକୁ ASI ଅଧିକାରୀଙ୍କୁ କୁହାଯାଇଛି।

    ତେବେ ସମସ୍ତ ଅଳଙ୍କାର ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ରତ୍ନ ଭଣ୍ଡାରକୁ ସମ୍ପୂର୍ଣ୍ଣ ରୂପେ ASIକୁ ହସ୍ତାନ୍ତର କରାଯିବନି । ପ୍ରତିଦିନ କାମ ସରିବା ପରେ ତାଲାକୁ ଜଉମୁଦ ଦିଆଯିବ ଓ ଚାବିକୁ ଟ୍ରେଜେରୀରେ ରଖାଯିବ ।

    ୫ ଦଶନ୍ଧି ପୂର୍ବରୁ ଗତ ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲା ଯାଇଥିବା ବେଳେ ୭୧ ଦିନ ଧରି ଗଣତିମଣତି ଚାଲିଥିଲା। ତେଣୁ ଏଥର କେତେ ଦିନ ଧରି ଏହି ପ୍ରକ୍ରିୟା ଚାଲିବ ତାହା ଜଣାଯାଇନି।

    ଗତ ରବିବାର ବାହାର ରତ୍ନଭଣ୍ଡାର ସହଜରେ ଖୋଲି ଯାଇଥିଲା। ହେଲେ ଭିତର ଭଣ୍ଡାର ତାଲା ଖୋଲିବାକୁ କମିଟି ସଦସ୍ୟଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । କାରଣ ପୁରୀ ଟ୍ରେଜେରିରୁ ଆସିଥିବା ଚାବିରେ ଭିତର ଭଣ୍ଡାରର କୌଣସି ଗୋଟିଏ ବି ତାଲା ଖୋଲି ନ ଥିଲା। ତେଣୁ ଏସଓପି ଅନୁସାରେ ସମସ୍ତ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲା ଯାଇଥିବା କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଗତ ଥର ପରି ଏଥର ବି  ସ୍ନେକ ହେଲପ ଲାଇନ୍ ସଦସ୍ୟଙ୍କ ସହ ଓଡ୍ରାଫ୍ ଟିମ୍, ଡାକ୍ତରୀ ଟିମ୍ ସଜାଗ ହୋଇ ରହିଛନ୍ତି।

    ରତ୍ନ ଭଣ୍ଡାର ଖୋଲାଯିବା ନିମନ୍ତେ ଆଜି ସକାଳ ୮ଟା ବେଳଠୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ା ଯାଉନି। ସିଂହଦ୍ୱାରକୁ ଛାଡ଼ି ବାକି ୩ ଦ୍ୱାର ବନ୍ଦ ରହିଛି। କେବଳ ଅଧିକୃତ ସେବକ ଓ ଅଧିକାରୀଙ୍କୁ ଭିତରକୁ ଛଡ଼ାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ