Thursday, April 2, 2026
26 C
Odisha

    ଶ୍ରୀମନ୍ଦିରରେ ସବୁ ଭକ୍ତଙ୍କୁ ମିଳିବ ମହାପ୍ରସାଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ସବୁଭକ୍ତଙ୍କୁ ମିଳିବ ମହାପ୍ରସାଦ। ଦର୍ଶନ ସରିବାପରେ ସାଙ୍ଗରେ ମହାପ୍ରସାଦ ନେଇ ଘରକୁ ଯାଇପାରିବେ ଭକ୍ତ। ଏ ବାବଦରେ ଆଲୋଚନା ଆରମ୍ଭ ହୋଇଛି। ଜୟଦେବ ଭବନରେ ଆଜି ଆୟୋଜିତ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଥିସହିତ ପୁରୀକୁ ବିଶ୍ୱର ସର୍ବଶ୍ରେଷ୍ଠ ସହରରେ ପରିଣତ କରିବାଲାଗି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ସେ କହିଥିଲେ। ସେହିପରି ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ପୁରୀ ରଥଯାତ୍ରା ସହାୟତା ଯୋଗାଇ ଦିଆଯାଇଥିଲା। ଆସନ୍ତାବର୍ଷ କିନ୍ତୁ ସମସ୍ତ ରଥଯାତ୍ରାକୁ ଆଖିଦୃଶିଆ ଭାବରେ ସହାୟତା ଯୋଗାଇ ଦିଆଯିବା ପାଇଁ ଯୋଜନା କରାଯାଉଛି। ତିରୁପତି ବାଲାଜୀ ମନ୍ଦିର ଲଡୁରେ ବ୍ୟବହୃତ ଘିଅକୁ ନେଇ ବିବାଦ ଉପୁଜିବା ପ୍ରସଙ୍ଗ ଉଲ୍ଲେଖକରି ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ପାଇଁ ଚିନ୍ତା କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ରୋଷଶାଳାକୁ ରନ୍ଧନ ସାମଗ୍ରୀ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢ଼ା ବାହାରିବା ପରେ ତାହାର ମାନ ପରୀକ୍ଷା କରିବେ ଫୁଡ୍ ଇନ୍ସପେକ୍ଟର। ଏଥିପାଇଁ  ନିଯୋଗମାନେ ସହଯୋଗ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ।

    ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପରିଷଦର ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ, ବୈଜ୍ଞାନିକ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସୁଦର୍ଶନ ସାହୁ, ଶ୍ୟାମାମଣି ପଟ୍ଟନାୟକ, ନରେଶ ଚନ୍ଦ୍ର ଦାଶ, ସାରଙ୍ଗଧର ରାୟଗୁରୁ, ଶେଖ ମକବୁଲ ଇସଲାମ୍, ଧୀରେନ୍ଦ୍ର କୁମାର, ତନୁଶ୍ରୀ ଜେନା, ରାମକୃଷ୍ଣ ଦାସ ମହାପାତ୍ର, ଦୁର୍ଗା ଦାସ ଓ ଶରତ ଚନ୍ଦ୍ର ମହାନ୍ତିଙ୍କୁ  ‘ଶ୍ରୀ ପୁରୁଷୋତ୍ତମ ସମ୍ମାନ’ରେ ସମ୍ୱର୍ଦ୍ଧିତ କରାଯାଇଥିଲା। ଏଥିସହିତ ପରିଷଦର ମୁଖପତ୍ର, ସଭ୍ୟସଭ୍ୟାଙ୍କ ବିବରଣୀ ପୁସ୍ତିକା ସମେତ ସାରଙ୍ଗଧର ରାୟଗୁରୁଙ୍କ ଦ୍ବାରା ରଚିତ ‘ବାଙ୍କୀର ଇତିହାସ’ ଉନ୍ମୋଚିତ ହୋଇଥିଲା।

    ପରିଷଦର ଆଜୀବନ ସଦସ୍ୟ ସନ୍ତୋଷ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଦସ୍ୟ ସନତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବାର୍ଷିକ ସମ୍ମିଳନୀର ସାଧାରଣ ବୈଠକରେ ଉପଦେଷ୍ଟା ବାଳକୃଷ୍ଣ ପଣ୍ଡାଙ୍କ ଦ୍ୱାରା ପରିଷଦ କାର୍ଯ୍ୟ କାରିଣୀ ସମିତି ପକ୍ଷରୁ ଉପସ୍ଥାପନ କରାଯାଇଥିବା, ନୂତନ କର୍ମକର୍ତ୍ତା ଗ୍ରହଣ, ପୂର୍ବତନ ସଂପାଦକଙ୍କ ଇସ୍ତଫା ଅନୁମୋଦନ ପ୍ରଭୃତି ପ୍ରସ୍ତାବ ଗୃହୀତ ହୋଇଥିଲା। ସଭାରେ ଉପସଭାପତି ରବିନାରାୟଣ ମହାପାତ୍ର ଅନୁଷ୍ଠାନ ବିଷୟରେ ସୂଚନା ଦେଇଥିଲେ। ପରିଷଦର ଭାରପ୍ରାପ୍ତ ସମ୍ପାଦକ ଅଜୟ କୁମାର ହରିଚନ୍ଦନ ସମ୍ପାଦକୀୟ ବିବରଣୀ ଓ କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ର ବିବରଣୀ ପାଠ କରିଥିଲେ। ଦ୍ୱିତୀୟ ଅଧିବେଶନରେ ଓଡ଼ିଶା ଓ ଓଡ଼ିଶା ବାହାରୁ ଆସିଥିବା ଆଜୀବନ ସଭ୍ୟ ସଭ୍ୟାମାନେ ନିଜର ଅନୁଷ୍ଠାନର ବିକାଶ ନିମିତ୍ତ ପ୍ରସ୍ତାବ ଦେଇଥିଲେ। କାର୍ଯ୍ୟକ୍ରମରେ ଶାଶ୍ୱତ ଯୋଶୀ ଓ ତାଙ୍କ ଦଳ ଏବଂ କୁନି ନୃତ୍ୟଶିଳ୍ପୀ ଚୁନମୁନଙ୍କ ନୃତ୍ୟ ପରିବେଷଣ ପ୍ରମୁଖ ଆକର୍ଷଣ ସାଜିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ