Sunday, October 4, 2026
28.6 C
Odisha

    ବିଶ୍ୱ ଆଦିବାସୀ ଦିବସରେ ବିଶାଳ ସମାବେଶ

    ଆଗକୁ ପଢନ୍ତୁ

    ରାୟଗଡ଼ା: ବେଆଇନ ପ୍ରକ୍ରିୟାରେ ଦିଆଯାଇଥିବା ଖଣି ଲିଜ୍ ବାତିଲ୍ କର। ଜଳ, ଜମି ଓ ଜଙ୍ଗଲର ଲୁଟେରା କମ୍ପାନି ଭାରତ ଛାଡ଼। ଜନ ଆନ୍ଦୋଳନର ନେତା ଓ କର୍ମୀଙ୍କ ନାମରେ ଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ହେଉ। ପୂର୍ବ ସରକାରଙ୍କ ଦ୍ବାରା ପ୍ରାକୃତିକ ସମ୍ପଦର ଲୁଟ୍ ପ୍ରକ୍ରିୟାକୁ ନୂଆ ମୁଖ୍ୟମନ୍ତ୍ରୀ ବନ୍ଦ କରନ୍ତୁ। ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଉ।

    ଏଭଳି ୧୦ ଦଫା ଦାବିରେ ଆଜି ରାୟଗଡ଼ାରେ ବିଶାଳ ସମାବେଶ କରି ଗର୍ଜିଛନ୍ତି ଆଦିବାସୀ। ଦାବି କରିଛନ୍ତି ଯେ ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହୋଇଛି। ଆଦିବାସୀଙ୍କ ସମେତ ପୂର୍ବ ସରକାର ସମୟରେ ବଞ୍ଚିତ ଓ ଶୋଷିତ ବିଭିନ୍ନ ବର୍ଗର ଜନସାଧାରଣ ନୂଆ ସରକାରଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି। ଓଡ଼ିଶାରେ ହୀରାକୁଦ ଜଳଭଣ୍ଡାରଠାରୁ ଆରମ୍ଭ କରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ୍‌, କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ଏହା ପରେ ଗଢ଼ି ଉଠିଥିବା ଶିଳ୍ପ ଓ ଖଣି ଖନନ ଦ୍ୱାରା ହଜାର ହଜାର ପରିବାର ବିସ୍ଥାପିତ ହୋଇଛନ୍ତି। କିନ୍ତୁ ‌କାହାକୁ ବି ନିଜ ଅଧିକାର ମିଳିନି। ଅବିଭକ୍ତ କୋରାପୁଟ ସମେତ କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାର ମାଳି ପର୍ବତ, ବଳଦା, ସିଜିମାଳି, କୁଟ୍ରୁମାଳି, କେଟାମେଟା, ଉସ୍କଲଭାଗ, କର୍ଲାପାଟ ଓ ଗନ୍ଧଲପଦା ଜଙ୍ଗଲରେ ଦିଆଯାଇଥିବା ଖଣି ଲିଜ ବେଆଇନ ଏବଂ ଅସାମ୍ବିଧାନିକ। ଜଳବାୟୁ ପରିବର୍ତ୍ତନ ରୋକିବା ସହ ଆଦିବାସୀ ଅଧିକାର ଲାଗି ଖଣି ଭିତ୍ତିକ ବିକାଶ ନୀତିକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିବାକୁ ଆଦିବାସୀ ଆହ୍ବାନ ଦେଇଛନ୍ତି।

    ଏହି ଅବସରରେ ରାୟଗଡ଼ା ରେଳ ଷ୍ଟେସନରୁ ବାହାରିଥିବା ଶୋଭାଯାତ୍ରାରେ ହଜାର ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସାମିଲ୍ ହୋଇଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା। ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ୱୟ (ଏନ୍ଏପିଏମ୍) ଆହ୍ୱାନରେ ନିୟମଗିରି ସୁରକ୍ଷା ସମିତି, ମା’ ମାଟି ମାଳି ସୁରକ୍ଷା ମଞ୍ଚ, ମାଳି ପର୍ବତ ସୁରକ୍ଷା ସମିତି, ହାଲ୍ ବିସ୍ଥାପିତ ସଂଘ, ଖଡ଼ିମାଟି ସୁରକ୍ଷା ସମିତି, ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ, ଖଣ୍ଡୁଆଳମାଳୀ ସ୍ଥାୟୀ ସୁରକ୍ଷା ସମିତି, ଶାଶୂ ବୋହୂ ମାଳି ସୁରକ୍ଷା ସମିତି, ଚାଷୀ ମୂଲିଆ ଆଦିବାସୀ ସଂଘ ଓ ଚାଷୀ ମୂଲିଆ ସୁରକ୍ଷା ସମିତିର କର୍ମକର୍ତ୍ତା ସାମିଲ ହୋଇଥିଲେ। ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ୍ ସଭା ପରିଚାଳନା କରିଥିବାବେଳେ ଇନସାଫ୍ ତଥା ଏନ୍ଏପିଏମ୍ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ୧୦ ଦଫା ଦାବି ପତ୍ର ଉପସ୍ଥାପନ କରିଥିଲେ। ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଦଧି ସିକକା, କୃଷ୍ଣ ସିକକାଙ୍କ ସମେତ ବହୁ ନେତା ଓ ପରିବେଶବିତ୍ ସମାବେଶରେ ସାମିଲ୍ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ