Tuesday, September 15, 2026
23.4 C
Odisha

    ଏଏସ୍‌ଆଇ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ: କାର୍ତ୍ତିକ ପରେ ମେଘନାଦ ପାଚେରିର ସମ୍ପୂର୍ଣ୍ଣ ମରାମତି

    ଆଗକୁ ପଢନ୍ତୁ

    ପୁରୀ: କାର୍ତ୍ତିକ ପରେ ଶ୍ରୀମନ୍ଦିର ମେଘନାଦ ପାଚେରିର ସ୍ଥାୟୀ ମରାମତି କରାଯିବ। ଭଗ୍ନ ପ୍ରସ୍ତର ବଦଳାଇ ନୂଆ ପ୍ରସ୍ତର ଲାଗିବ। ଗ୍ରାଉଟିଂ ସହ ଅନ୍ୟାନ୍ୟ କାମ ସଂପୂର୍ଣ୍ଣ କରାଯିବ। ଡ୍ରେନେଜ୍‌ ବ୍ୟବସ୍ଥାର ନବୀକରଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ମେଘନାଦ ପାଚେରି କିଭଳି ସମ୍ପୂର୍ଣ୍ଣ ସୁରକ୍ଷିତ ହେବ ସେ ଦିଗରେ ଆମେ ଯଥାସମ୍ଭବ ପଦକ୍ଷେପ ନେବୁ ବୋଲି ଡ. ପାଢ଼ୀ କହିଛନ୍ତି। ମେଘନାଦ ପାଚେରି ମରାମତି ସମ୍ପର୍କରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଡ. ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଏସ୍‌ଆଇର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ଇଂଜିନିୟରମାନେ ଉପସ୍ଥିତ ଥିଲେ। ମେଘନାଦ ପାଚେରିରେ ସୃଷ୍ଟି ହୋଇଥିବା ଫାଟର କାରଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ଆଜିର ବୈଠକରେ ମେଘନାଦ ପାଚେରି ଫାଟ ସହ ପାଣି ଗଳିବା ବନ୍ଦ କରିବା, ଶିଉଳି ଛଡ଼ା, କେମିକାଲ୍‌ ୱାସ୍, ଗ୍ରାଉଟିଂ ଆଦି ସମ୍ପର୍କରେ ପ୍ରାଥମିକ ଆଲୋଚନା ହୋଇଛି। ଶ୍ରୀମନ୍ଦିର ପରିସରରେ ୪/୫ଟି ଡ୍ରେନ୍‌ ଦେଇ ଶ୍ରୀମନ୍ଦିର ବାହାରକୁ ପାଣି ନିଷ୍କାସନ ହେଉଛି। ଏହି ସବୁ ଡ୍ରେନ୍‌ର ପୁନରୁଦ୍ଧାର କରାଯିବ। ଏହି ଡ୍ରେନ୍‌ରୁ ପାଣି ଆସି ମେଘନାଦ ପାଚେରି ଛିଦ୍ର ଦେଇ ଗଳୁଛି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ଡ୍ରେନ୍‌ଗୁଡ଼ିକର ପୂର୍ଣ୍ଣାଙ୍ଗ ମରାମତି କାମ ନିର୍ମାଣ ସେକ୍ସନ୍‌ ଜରିଆରେ ଆରମ୍ଭ ହୋଇସାରିଛି। ଏବେ ମେଘନାଦ ପାଚେରିରୁ ପାଣି ନ ଗଳିବା ପାଇଁ ଡ୍ରେନ୍‌ଗୁଡ଼ିକର ଅସ୍ଥାୟୀ ମରାମତି କରାଯାଉଛି। କାର୍ତ୍ତିକ ମାସ ପରେ ସ୍ଥାୟୀ ତଥା ବଡ଼ ଆକାରରେ ଡ୍ରେନ୍‌ କାମ ହେବ।

    ଏ ନେଇ ଟେଣ୍ଡର ହୋଇସାରିଛି। ଡ୍ରେନେଜ୍‌ ଓ ମେଘନାଦ ପାଚେରିର ସ୍ଥାୟୀ ସମାଧାନ ପାଇଁ ଏଏସ୍‌ଆଇ ଅଧିକାରୀମାନେ ବିସ୍ତୃତ ଆଲୋଚନା କରିଛନ୍ତି। ଅନେକ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟାଳୟ ପଦସ୍ଥ ଅଧିକାରୀଙ୍କୁ ବି ମେଘନାଦ ପାଚେରିର ଆବଶ୍ୟକ ମରାମତି ସମ୍ପର୍କିତ ବ୍ୟୟ ଅଟକଳ ପଠାଇଛନ୍ତି। ଯେଉଁ ଦୀର୍ଘସ୍ଥାୟୀ ମରାମତି ଓ ସଂରକ୍ଷଣ ବ୍ୟବସ୍ଥା କରାଯିବ, ତାହା ଏଏସ୍‌ଆଇ କରିବ। ଡ୍ରେନ୍‌ କାମ ଶ୍ରୀମନ୍ଦିର ପ୍ରଶାସନ କରିବ। କାର୍ତ୍ତିକ ମାସ ପରେ ସଂରକ୍ଷଣ କାମ ଆରମ୍ଭ ହେବ। ଏଏସ୍‌ଆଇ ପୂର୍ବରୁ ଏହି ପାଣି ଗଳିବା ସମ୍ପର୍କରେ ଆମକୁ ଚିଠି କରିଥିଲା। ଏହାର ମରାମତି ନେଇ ନିର୍ମାଣ ସେକ୍ସନ୍‌ ପକ୍ଷରୁ ଟେଣ୍ଡର ବିଜ୍ଞପ୍ତି ଜାରି କରିଥିଲୁ। କିନ୍ତୁ ଏଥିରେ କେହି ଅଂଶଗ୍ରହଣ କରିନଥିଲେ। ଏଣୁ ଦ୍ବିତୀୟ ଥର ଆମେ ଟେଣ୍ଡର ଡାକିଛୁ। ସ୍ଥାୟୀ ଭାବେ ଆମେ ଡ୍ରେନେଜ ବ୍ୟବସ୍ଥାର ପୁନରୁଦ୍ଧାର କାମ କରିବୁ। କାର୍ତ୍ତିକ ମାସ ପରେ ଏହି କାମ ଆରମ୍ଭ ହେବ। ବୈଷୟିକ ଦଳ ବି ଅନୁଧ୍ୟାନ କରି ସାରିଛନ୍ତି। ନିୟମିତ ଅନୁଧ୍ୟାନ କାମ ଜାରି ରହିଛି। ଏଏସ୍‌ଆଇ ଦଳ ଓ ଶ୍ରୀମନ୍ଦିର ବୈଷୟିକ ଦଳ ଯାହା ପରାମର୍ଶ ଦେବେ, ସେହି ଅନୁସାରେ ଆମେ କାମ କରିବୁ ବୋଲି ଡ. ପାଢ଼ୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.4 ° C
    23.4 °
    23.4 °
    89 %
    0.9kmh
    18 %
    Tue
    31 °
    Wed
    31 °
    Thu
    31 °
    Fri
    29 °
    Sat
    29 °

    ସମ୍ବନ୍ଧିତ