Saturday, March 21, 2026
19.7 C
Odisha

    ମହାନଗର ନିଗମର ମେୟରଙ୍କ ଦରମା ୫୦ ହଜାର, ପୌର ପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଭତ୍ତା ଓ ପାରିତୋଷିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମହାନଗର ନିଗମମାନଙ୍କର ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ  ୧୫ ହଜାର ଟଙ୍କାକୁ, ଉପାଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୨୦୦ ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏନ୍‌.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ ୧,୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୮୦୦ ରୁ ୭,୫୦୦ ଟଙ୍କାକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

    ମହାନଗର ନିଗମ କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦରେ ୭,୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନ୍‌.ଏ.ସି.ର କାଉନସିଲରଙ୍କ ଭତ୍ତା ୧୫୦ ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏତଦ୍‌ ବ୍ୟତୀତ ମହାନଗର ନିଗମର ଷ୍ଟାଣ୍ଡିଂ କମିଟିର ସଦସ୍ୟମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ।

    ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି। ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

    ଏହାଛଡା ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପା ସହାୟତା  ଲାଗୁ କରାଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓ ଆଂଶିକ ଅକ୍ଷମତା କ୍ଷେତ୍ରରେ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ରଖାଯାଇଛି।  ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି.ରେ ୧୬୯୬ କାଉନସିଲର ଏବଂ ମହାନଗର ନିଗମରେ ୨୪୪ଜଣ କର୍ପୋରେଟର ନିର୍ବାଚିତ ହୋଇ କାମ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    77 %
    3.2kmh
    100 %
    Fri
    20 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ