Wednesday, October 7, 2026
27.2 C
Odisha

    ନେପାଳ ହିଂସା: ଜେନ୍-ଜି ରାଗିଲେ କାହିଁକି?

    ଆଗକୁ ପଢନ୍ତୁ

    କାଠମାଣ୍ଡୁ: ସରକାରଙ୍କ ଦ୍ୱାରା ଲଗାଯାଇଥିବା ସୋସିଆଲ ମିଡିଆ ନିଷେଧାଦେଶକୁ ନେଇ ହଜାର ହଜାର ନେପାଳୀ ଯୁବକ ସୋମବାର ରାଜରାସ୍ତାକୁ ଓହ୍ଲାଇଥିଲେ, ଯାହାକୁ ଜେନ୍-ଜି (୧୯୯୫-୨୦୧୦ ମଧ୍ୟରେ ଜନ୍ମିତ) ବିପ୍ଳବ ଭାବରେ ଦେଖାଯାଉଛି। ଅନେକ ଯୁବ ବିକ୍ଷୋଭକାରୀଙ୍କ ପାଇଁ ଏହି ନିଷେଧାଦେଶ ସରକାରଙ୍କ ପ୍ରତି ଅସନ୍ତୋଷର ଏକ ଲମ୍ବା ତାଲିକାର ବ୍ରେକିଂ ପଏଣ୍ଟ ଥିଲା। ଅବରୁଦ୍ଧ ପ୍ଲାଟ୍‌ଫର୍ମକୁ ନେଇ ଅସନ୍ତୋଷରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦୁର୍ନୀତି, ଏକଚ୍ଛତ୍ରବାଦ ଓ ନେତୃତ୍ୱରେ ଉତ୍ତରଦାୟିତ୍ୱର ଅଭାବ ବିରୋଧରେ ସ୍ବର ଉତ୍ତୋଳନ କରିଛି। ୨୪ ବର୍ଷୀୟ ଛାତ୍ର ୟୁଜନ ରାଜଭଣ୍ଡାରୀ କହିଛନ୍ତି, କେବଳ ସୋସିଆଲ ମିଡିଆ ଉପରେ ନିଷେଧାଦେଶ ନୁହେଁ, ନେପାଳରେ ଚାଲିଥିବା ଦୁର୍ନୀତି ବିରୋଧରେ ଆମେ ପ୍ରତିବାଦ କରୁଛୁ।
    ଭାରତ-ନେପାଳ ସୀମାରେ ହାଇ ଆଲର୍ଟ
    ସୁରକ୍ଷା କଡ଼ାକଡ଼ି କଲା ଏସଏସ୍‌ବି
    ବିଶ୍ଳେଷକଙ୍କ ମତରେ ତଥାକଥିତ ‘ଜେନ୍‌ ଜି ବିପ୍ଳବ’ର ମୂଳରେ ଦୁର୍ନୀତି ଓ ଅର୍ଥନୈତିକ ଅସମାନତା ବୃଦ୍ଧିକୁ ନେଇ ଗଭୀର ନିରାଶା ରହିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅଣପଞ୍ଜୀକୃତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଉପରେ ନିଷେଧାଦେଶକୁ ସମର୍ଥନ କରି କହିଛନ୍ତି ଯେ, ଦେଶକୁ ଦୁର୍ବଳ କରିବାର କୌଣସି ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ। ଦେଶର ସ୍ୱାଧୀନତା ହାତଗଣତି ବ୍ୟକ୍ତିଙ୍କ ଚାକିରି ହରାଇବା ଅପେକ୍ଷା ଅଧିକ। ଆଇନ ଓ ସମ୍ବିଧାନକୁ ଅବମାନନା କରିବା ଏବଂ ଜାତୀୟ ସମ୍ମାନ, ସ୍ୱାଧୀନତା ଓ ସାର୍ବଭୌମତ୍ୱକୁ ଅସମ୍ମାନ କରିବା କିପରି ଗ୍ରହଣୀୟ ହୋଇପାରେ ବୋଲି ସେ ପ୍ରଶ୍ନ କହିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ପଞ୍ଜୀକରଣ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ଫେସ୍‌ବୁକ୍, ମେସେଞ୍ଜର, ଇନ୍‌ଷ୍ଟାଗ୍ରାମ୍‌, ୟୁଟ୍ୟୁବ୍‌, ହ୍ୱାଟ୍ସଆପ୍, ଟ୍ୱିଟର, ଲିଙ୍କ୍ଡଇନ୍, ସ୍ନାପଚାଟ୍, ରେଡିଟ୍, ଡିସ୍କର୍ଡ, ପିଣ୍ଟରେଷ୍ଟ, ସିଗ୍ନାଲ, ଥ୍ରେଡ୍ସ, ୱିଚାଟ୍, କୋରା, ଟମ୍ବଲର, କ୍ଲବ୍ ହାଉସ୍, ରମ୍ବଲ, ମି ଭିଡିଓ, ମି ଭାଇକ୍, ଲାଇନ୍, ଇମୋ, ଜାଲୋ, ସୋଲ୍ ଓ ହାମ୍ରୋ ପାତ୍ରୋ ସମେତ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ଅବରୋଧ କରାଯିବ।

    ଅଧିକାରୀଙ୍କ କହିବା ଅନୁସାରେ, ଅଗଷ୍ଟ ୨୮ତାରିଖରୁ ପଞ୍ଜୀକରଣ ଶେଷ କରିବା ପାଇଁ ମନ୍ତ୍ରଣାଳୟ ୭ ଦିନର ସମୟସୀମା ଧାର୍ଯ୍ୟ କରିଥିଲା। ସମୟସୀମା ଶେଷ ହୋଇଥିବା ବେଳେ ମେଟା (ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ୍‌, ହ୍ୱାଟ୍‌ସଆପ), ଆଲଫାବେଟ୍ (ୟୁଟ୍ୟୁବ୍), ଏକ୍ସ, ରେଡିଟ୍ କିମ୍ବା ଲିଙ୍କ୍ଡଇନ୍ ସମେତ କୌଣସି ବିଶ୍ୱସ୍ତରୀୟ ପ୍ଲାଟ୍‌ଫର୍ମ ଆବେଦନ ଦାଖଲ କରି ନ ଥିଲେ। କେବଳ ଟିକ୍‌ଟକ୍, ଭାଇବର, ୱିଟ୍କ, ନିମ୍ବଜ୍ ଓ ପୋପୋ ଲାଇଭ୍ ପଞ୍ଜୀକୃତ ଭାବରେ ତାଲିକାଭୁକ୍ତ ହୋଇଥିଲେ। ଟେଲିଗ୍ରାମ ଓ ଗ୍ଲୋବାଲ୍ ଡାଏରି ଅନୁମୋଦନ ପ୍ରକ୍ରିୟାରେ ଅଛି ବୋଲି ଅଧିକାରୀମାନେ କହିଛନ୍ତି। ପଞ୍ଜୀକୃତ ହୋଇ ନ ଥିବା ପ୍ଲାଟଫର୍ମକୁ ନିଷ୍କ୍ରିୟ କରିବାକୁ ମନ୍ତ୍ରଣାଳୟ ନେପାଳ ଟେଲିକମ୍ୟୁନିକେସନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛି। ମୁଖପାତ୍ର ଗଜେନ୍ଦ୍ର କୁମାର ଠାକୁର କହିଛନ୍ତି ଯେ ପଞ୍ଜୀକରଣ ସମାପ୍ତ କରୁଥିବା ଯେକୌଣସି ପ୍ଲାଟ୍‌ଫର୍ମ ସେହିଦିନ ପୁନଃସ୍ଥାପିତ ହେବ। ନେପାଳରେ ତୀବ୍ର ଆନ୍ଦୋଳନ ଓ ହିଂସା ପାଇଁ ଭାରତ ସୀମାରେ ହାଇ ଆଲର୍ଟ ଜାରି ହୋଇଛି। ଏସ୍‌ଏସ୍‌ବି (ସଶସ୍ତ୍ର ସୀମା ବଳ) ସୀମାରେ ସୁରକ୍ଷା କଡ଼ାକଡ଼ି କରିଛି । ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ସିକ୍କିମରେ ଭାରତ-ନେପାଳ ସୀମା ୧୭୫୧ କିମି ପର୍ଯ୍ୟନ୍ତ ବ୍ୟାପିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ