ଭୁବନେଶ୍ୱର : ସଡକ ଦୁର୍ଘଟଣା ହେଲେ ଆହତଙ୍କୁ ମିଳିବ ଚିକିତ୍ସା ବ୍ୟବସ୍ଥା । ଏନେଇ ଆଜି ବଡ ଘୋଷଣା କରିଛନ୍ତି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ମାର୍ଚ୍ଚ ସୁଦ୍ଧା ସରକାର ସଂଶୋଧିତ ଯୋଜନା ଆଣିବେ । ଏଥିରେ ସଡକ ଦୁର୍ଘଟଣାର ଶିକାର ହେଲେ ଆହତମାନଙ୍କୁ ମାଗଣା ଚିକିତ୍ସା ମିଳିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନେ ସାତଦିନ ପର୍ଯ୍ୟନ୍ତ ଦେଢ ଲକ୍ଷ ଯାଏଁ ଚିକିତ୍ସା ସୁବିଧା ପାଇପାରିବେ । ଏହି ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (NHA) ପୋଲିସ, ଡାକ୍ତରଖାନା ଏବଂ ରାଜ୍ୟ ସ୍ବାସ୍ଥ୍ୟ ଏଜେନ୍ସି ଇତ୍ୟାଦିର ସମନ୍ବୟରେ ଏହି କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟକାରୀକାରୀ ସଂସ୍ଥା ହେବ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଇ-ଡିଟେଲ୍ଡ ଆକ୍ସିଡେଣ୍ଟ ରିପୋର୍ଟ (eDAR) ଜରିଆରେ ଏକ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ଏକ ଆପ୍ଲିକେଶନ ଚାଲିବ । ତେବେ ଦୁର୍ଘଟଣାର ଶିକାର ହେବା ପରେ ଆପ ଜରିଆରେ ପ୍ରଥମେ ପଞ୍ଜିକରଣ କରିବାକୁ ହେବ । ଏହାପରେ ଏହାର ସୁବିଧା ପାଇପାରିବେ ।