Sunday, October 4, 2026
24.3 C
Odisha

    ନଭେମ୍ବର ୨୬ରୁ ମୋହନ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୋହନ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ଆସନ୍ତା ୨୬ ତାରିଖ ଠାରୁ ଆରମ୍ଭ ହେବ। ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇ ୩୫ ଦିନ ପରେ ଶେଷ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ। ଏହାରି ମଧ୍ୟରେ ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଗତ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଥିଲା। ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୩୧ ତାରିଖ ଯାଏ ଚାଲିଥିଲା। ଅଗଷ୍ଟ ୨୦ରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଥିଲା। ଏହି ଅଧିବେଶନରେ ଆଉ ଦୁଇଟି କାର୍ଯ୍ୟଦିବସ ବାକି ଥିଲା। ତେବେ ଗୃହରେ କୌଣସି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟ ନଥିବାରୁ ଅଧିବେଶନକୁ ଶେଷ କରିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ। ତାହା ବାଚନିକ ଭୋଟ୍‌ରେ ପାରିତ ହୋଇଥିଲା।

    ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କଲା ପରେ ଏହା ଥିଲା ପ୍ରଥମ ଅଧିବେଶନ। ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଦଳ ଆସନରେ ବସିଥିଲା। ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକ ଏଥର ବିରୋଧୀ ଦଳ ନେତାଙ୍କ ଆସନରେ ବସିଥିଲେ। ସେହିପରି ଗତ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଆସନରେ ବସିଥିବା ମୋହନ ଚରଣ ମାଝୀ ଏଥର ମୁଖ୍ୟମନ୍ତ୍ରୀଙ୍କ ଆସନରେ ବସିଥିଲେ। ଏହି ଅଧିବେଶନରେ ମୋଟ୍ ୨୫ଟି କାର୍ଯ୍ୟଦିବସ ରହିଥିଲା। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ୧୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ