Tuesday, September 15, 2026
24 C
Odisha

    ପାକିସ୍ତାନ ଯିବନି ଭାରତ; ଦୁବାଇରେ ଖେଳିପାରେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବ୍ରୁଆରିରେ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି କ୍ରିକେଟ୍‌ ପ୍ରତି‌ଯୋଗିତାରେ ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବନାହିଁ। ଭାରତୀୟ ଦଳର ମ୍ୟାଚ୍‌ଗୁଡ଼ିକୁ କୌଣସି ନିରପେକ୍ଷ ସ୍ଥାନରେ ଖେଳାଯାଉ ବୋଲି ବିସିସିଆଇ ରୋକ୍‌ଠୋକ୍‌ ଜଣାଇ ଦେଇଛି। ଯଦିଓ ଏ ସଂକ୍ରାନ୍ତରେ କୌଣସି ବିଧିବଦ୍ଧ ଘୋଷଣା ହୋଇନି, ତଥାପି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତର ମ୍ୟାଚ୍‌ଗୁଡ଼ିକ ଦୁବାଇରେ ଆୟୋଜିତ ହୋଇପାରେ। ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ଚିଠା ଖେଳସୂଚୀକୁ ସମସ୍ତ ଅଂଶଗ୍ରହଣକାରୀ ବୋର୍ଡ ନିକଟକୁ ପୂର୍ବରୁ ପଠାଇ ଦିଆଯାଇଛି। ଯେଉଁଥିରେ ଭାରତର ମ୍ୟାଚ୍‌ଗୁଡ଼ିକ ଲାହୋ‌ରରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଏହି ଚିଠା ସୂଚୀ ଉପରେ କୌଣସି ଆଲୋଚନା ହୋଇ ନଥିଲା ବେଳେ ବିସିସିଆଇର ନିଷ୍ପତ୍ତି ପରେ ସେଥିରେ ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି।
    ପ୍ରାଥମିକ ଯୋଜନା ଅନୁସାରେ ସୋମବାର ସୁଦ୍ଧା ଚାମ୍ପିଅନ୍ସ ଟ୍ରଫି ପାଇଁ ଆଇସିସି ଏହାର ଚୂଡ଼ାନ୍ତ ଖେଳସୂଚୀକୁ ଘୋଷଣା କରିଥା’ନ୍ତା। ଏବେ ଏହା ଆହୁରି କିଛି ଦିନ ବିଳମ୍ବ ହୋଇପାରେ। ଯଦି ଦୁବାଇରେ ଭାରତର ମ୍ୟାଚ୍‌ ଖେଳାଯାଏ ତାହା ହେଲେ ଆଇସିସି ପାଇଁ କୌଣସି ସମସ୍ୟା ହେବ ନାହିଁ। କାରଣ କିଛି ଦିନ ପୂର୍ବରୁ ଏଠାରେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜିତ ହୋଇଥିଲା। ବାଂଲାଦେଶରୁ ଏହି ବିଶ୍ବକପ୍‌ ସ୍ଥାନାନ୍ତର ହୋଇ ୟୁଏଇକୁ ଚାଲିଯାଇଥିଲା। ସେହିପରି ଚାମ୍ପିଅନ୍ସ ଟ୍ରଫିରେ ଭାରତର ମ୍ୟାଚ୍‌ଗୁଡ଼ିକୁ ଆୟୋଜନ କରିବାରେ କୌଣସି ସମସ୍ୟା ରହିବନି ବୋଲି ଆଇସିସିର ଜଣେ ଅଧିକାରୀ କହିଛନ୍ତି। ଏଥିସହିତ ଦୁବାଇରେ ହୋଟେଲ୍‌, ଯାତାୟାତ, ରହଣି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ କୌଣସି ସମସ୍ୟା ନାହିଁ ବୋଲି ସଂପୃକ୍ତ ଅଧିକାରୀ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଚାମ୍ପିଅନ୍ସ ଟ୍ରଫି ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ପାକିସ୍ତାନର ତିନିଟି ଷ୍ଟାଡିୟମ୍‌ର ନବୀକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    88 %
    0.9kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ