Monday, August 24, 2026
24.2 C
Odisha

    ବାଲ୍ୟବିବାହକୁ ନିଷିଦ୍ଧ କରୁ ସଂସଦ: ଆଇନରେ ତ୍ରୁଟି ଯୋଗୁ ଅପରାଧୀ ଖସି ଯାଉଛନ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଲ୍ୟବିବାହ ନିଷେଧ ଆଇନ (ପିସିଏମ୍‌ଏ)କୁ ବ୍ୟକ୍ତିଗତ ଆଇନ (ପର୍ସନାଲ ଲ) ଦ୍ୱାରା ସୀମିତ କରାଯାଇ ପାରିବ ନାହିଁ। ବାଲ୍ୟବିବାହ ନିବାରଣ ଆଇନ, ୨୦୦୬ରେ ସଂଶୋଧନ କରି ବାଲ୍ୟବିବାହକୁ ନିଷିଦ୍ଧ କରିବା ଉପରେ ବିଚାର କରିବାକୁ ସୁପ୍ରିମ୍‌କୋର୍ଟ ସଂସଦକୁ ପରାମର୍ଶ ଦେଇଛନ୍ତି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ବାଳକ ବା ବାଳିକାଙ୍କ ସହ ଜଡିତ ବିବାହ ସେମାନଙ୍କ ଜୀବନସାଥୀ ଚୟନ କରିବାର ଅଧିକାରକୁ ଉଲ୍ଲଂଘନ କରୁଛି। ବ୍ୟକ୍ତିଗତ କିମ୍ବା ଧାର୍ମିକ ରୀତିନୀତି ଅପେକ୍ଷା ନାବାଳକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଜରୁରି ବୋଲି କୋର୍ଟ କହିଛନ୍ତି।
    ରାୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ ବାଲ୍ୟବିବାହ ରୋକିବା ଏବଂ ନାବାଳକଙ୍କୁ ଏହାର କ୍ଷତିକାରକ ପ୍ରଭାବରୁ ରକ୍ଷା କରିବା ପାଇଁ ପ୍ରଣୟନ କରାଯାଇଥିବା ପିସିଏମ୍ଏକୁ ବ୍ୟକ୍ତିଗତ ଆଇନ ଅତିକ୍ରମ କରିପାରିବ ନାହିଁ। ସୂଚନାଯୋଗ୍ୟ, ବିଭିନ୍ନ ବ୍ୟକ୍ତିଗତ ଆଇନ (ପର୍ସନାଲ ଲ)ରେ ବାଲ୍ୟବିବାହକୁ ଅନୁମତି ରହିଛି। ଏଭଳି ବିବାହ ନାବାଳକଙ୍କ ଜୀବନ ବାଛିବାର ସ୍ୱାଧୀନ ଇଚ୍ଛାକୁ ଉଲ୍ଲଂଘନ କରୁଛି। ଅଦାଲତ ଆଇନରେ ଥିବା ତ୍ରୁଟିକୁ ସ୍ୱୀକାର କରିଥିବା ବେଳେ ପିସିଏମ୍‌ଏର କାର୍ଯ୍ୟକାରିତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅନେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବାଲ୍ୟବିବାହ ରୋକିବା ଏବଂ ଅସୁରକ୍ଷିତ ନାବାଳକଙ୍କୁ ସୁରକ୍ଷା ଦେବା ଉପରେ କର୍ତ୍ତୃପକ୍ଷଙ୍କ ଧ୍ୟାନ ରହିବା ଉଚିତ। ଅପରାଧୀମାନଙ୍କୁ ଦଣ୍ଡିତ କରିବାଟା ଶେଷ ଉପାୟ ବୋଲି ଅଦାଲତ କହିଛନ୍ତି।

    ବାଲ୍ୟବିବାହ ନିଷେଧ ଆଇନରେ ତ୍ରୁଟି
    ସମଗ୍ର ଭାରତରେ ବାଲ୍ୟବିବାହକୁ ଉଚ୍ଛେଦ କରିବା ଲକ୍ଷ୍ୟରେ ୧୯୨୯ର ପୁରୁଣା ବାଲ୍ୟବିବାହ ନିୟନ୍ତ୍ରଣ ଆଇନକୁ ବଦଳାଇବା ପାଇଁ ବାଲ୍ୟବିବାହ ନିଷେଧ ଆଇନ, ୨୦୦୬ ପ୍ରଣୟନ କରାଯାଇଥିଲା। ତେବେ ଏହି ଆଇନର କାର୍ଯ୍ୟକାରିତାରେ ଏବେ ବି କିଛି ତ୍ରୁଟି ରହିଛି ବୋଲି ସୁପ୍ରିମ୍‌କୋର୍ଟ ସ୍ୱୀକାର କରିଛନ୍ତି। ଏହି ଅଭାବକୁ ଦୂର କରିବା ପାଇଁ ସଂସଦ ପଦକ୍ଷେପ ନେବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। ଏକ ‘ଗୋଷ୍ଠୀଭିତ୍ତିକ ଆଭିମୁଖ୍ୟ’ ସୁପାରିସ କରି ଖଣ୍ଡପୀଠ କହିଛନ୍ତି ଯେ ବାଲ୍ୟବିବାହକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ ବିଭିନ୍ନ ସମ୍ପ୍ରଦାୟ ଓ ଅଞ୍ଚଳ ପାଇଁ ପ୍ରତିଷେଧକ ବ୍ୟବସ୍ଥା କରାଯିବା ଉଚିତ। ଏହି ଆଇନର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ଆଇନ ପ୍ରବର୍ତ୍ତନ ଅଧିକାରୀମାନଙ୍କ ମଧ୍ୟରେ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ଲାଗି ଅଦାଲତ ବହୁକ୍ଷେତ୍ରୀୟ ସମନ୍ୱୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏକାଧିକ କ୍ଷେତ୍ରରେ ସମନ୍ୱୟ ରହିଲେ ହିଁ ଆଇନ ସଫଳ ହେବ ବୋଲି ଖଣ୍ଡପୀଠ କହିଛନ୍ତି। କୋର୍ଟ ଆହୁରି କହିଛନ୍ତି ଯେ ଏହାର ସମାଧାନ ପାଇଁ ଉଭୟ ସରକାରୀ ଏଜେନ୍ସି ଏବଂ ସ୍ଥାନୀୟ ସମୁଦାୟର ପ୍ରୟାସ ଆବଶ୍ୟକ।

    ଭାରତରେ ବାଲ୍ୟବିବାହର ସଂଜ୍ଞା
    ପିସିଏମ୍‌ଏ ଅନୁଯାୟୀ, ‘ବାଲ୍ୟବିବାହ’ ଏକ ବିବାହକୁ ବୁଝାଏ ଯେଉଁଠାରେ କୌଣସି ପକ୍ଷ ଏକ ‘ବାଳକ ବା ବାଳିକା’ ଅଟନ୍ତି। ଏହା ଲିଙ୍ଗ ଓ ବୟସ ଅନୁସାରେ ନିରୂପଣ କରାଯାଏ। ପୁରୁଷ କ୍ଷେତ୍ରରେ ୨୧ ବର୍ଷ ଏବଂ ମହିଳା କ୍ଷେତ୍ରରେ ୧୮ ବର୍ଷରୁ କମ୍ ହେଲେ ତାଙ୍କୁ ‘ବାଳକ’ ବା ‘ବାଳିକା’ ଭାବରେ ବିବେଚନା କରାଯାଏ। ଅଦାଲତ କ୍ରମାଗତ ଭାବରେ ରାୟ ଦେଇଛନ୍ତି ଯେ ପିସିଏମ୍‌ଏ ମୁସଲମାନଙ୍କ ସମେତ ସମସ୍ତ ଭାରତୀୟଙ୍କ ପାଇଁ ପ୍ରଯୁଜ୍ୟ। ଏହି ରାୟ ଏହି ଧାରଣାକୁ ଆହୁରି ଦୃଢ଼ କରିଛି ଯେ ବ୍ୟକ୍ତିଗତ ଆଇନ ବାଲ୍ୟବିବାହକୁ ଅନୁମତି ଦେଇପାରିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    97 %
    1.5kmh
    100 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ