Tuesday, September 29, 2026
23.8 C
Odisha

    ଡିଜିପି ସମ୍ମିଳନୀ: ଏହି ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ଭୁ‌ବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରଠାରେ ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ବଣ୍ଟନ କରିଛନ୍ତି। ତାଙ୍କର ଉଦଯାପନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସମ୍ମିଳନୀରେ ସୁରକ୍ଷା ଆହ୍ୱାନର ଜାତୀୟ ଏବଂ ଅନ୍ତର୍ଜାତୀୟ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି। ଏହି ସମ୍ମିଳନୀର ଆଲୋଚନାରୁ ବାହାରିଥିବା ମୁକାବିଲା ରଣନୀତି ଉପରେ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

    ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଡିଜିଟାଲ ଠକେଇ, ସାଇବର ଅପରାଧ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ପ୍ରଯୁକ୍ତି କାରଣରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦ, ବିଶେଷକରି ସାମାଜିକ ଏବଂ ପାରିବାରିକ ସମ୍ପର୍କକୁ ବ୍ୟାହତ କରିବା ପାଇଁ ଅବିକଳ ନକଲ ବା ଡିପ୍ ଫେକର  ବ୍ୟବହାର ଆଶଙ୍କା ଉପରେ ଚିନ୍ତା ପ୍ରକଟ କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ‘ଆକାଂକ୍ଷୀ ଭାରତ’କୁ ନେଇ ଦେଶର ଦ୍ୱିଗୁଣିତ ଏଆଇ ଶକ୍ତିକୁ ଉପଯୋଗ କରି ଏହି ଆହ୍ୱାନକୁ ସୁଯୋଗରେ ପରିଣତ କରିବାକୁ ସେ ପୁଲିସ ନେତୃତ୍ୱଙ୍କୁ ଆହ୍ୱାନ ଦେଇଥିଲେ।

    ସେ ସ୍ମାର୍ଟ ପୁଲିସ ପ୍ରଶାସନର ମନ୍ତ୍ରକୁ ଅଧିକ ବିସ୍ତାର କରିବା ସହ ପୁଲିସକୁ ରଣନୀତିକ, ନିଷ୍ଠାପର, ଅନୁକୂଳ, ବିଶ୍ୱସନୀୟ ଓ ସ୍ୱଚ୍ଛ ହେବାକୁ ଆହ୍ୱାନ ଦେଇଛନ୍ତି। ସହରାଞ୍ଚଳ ପୁଲିସ ବ୍ୟବସ୍ଥାରେ ଗ୍ରହଣ ଯାଇଥିବା ପଦକ୍ଷେପକୁ ପ୍ରଶଂସା କରି ଦେଶର ୧୦୦ଟି ସହରରେ ପ୍ରତ୍ୟେକ ପଦକ୍ଷେପକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ପୁଲିସ ବାହିନୀର କାର୍ଯ୍ୟଭାର ହ୍ରାସ କରିବା ନିମନ୍ତେ ପ୍ରଯୁକ୍ତିର ବ୍ୟବହାର ପାଇଁ ସେ ଆହ୍ୱାନ ଦେବା ସହ ଥାନାକୁ ସମ୍ବଳ ଆବଣ୍ଟନର କେନ୍ଦ୍ର ବିନ୍ଦୁ କରିବାକୁ ପରାମର୍ଶ ଦେଇଥିଲେ।

    ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପ୍ରତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅତୁଳନୀୟ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରାଳୟଠାରୁ ଆରମ୍ଭ କରି ଥାନାସ୍ତର ପର୍ଯ୍ୟନ୍ତ ସମଗ୍ର ସୁରକ୍ଷା ପ୍ରତିଷ୍ଠାନରେ ଆସନ୍ତା ବର୍ଷ ତାଙ୍କର ୧୫୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ପୁଲିସ ଭାବମୂର୍ତ୍ତି, ପେସାଦାର ମନୋଭାବରେ ସୁଧାର ଏବଂ ସାମର୍ଥ୍ୟ ବିକାଶ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ଓ ହାସଲ କରାଯାଇପାରିଲେ ସର୍ଦ୍ଦାର ପଟେଲଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ମିଳିପାରିବ। ‘ବିକଶିତ ଭାରତ’ର ପରିକଳ୍ପନା ସହ ନିଜକୁ ଆଧୁନିକୀକରଣ ଓ ପୁନର୍ଗଠନ କରିବାକୁ ସେ ପୁଲିସ ବାହିନୀକୁ ଆହ୍ୱାନ ଦେଇଥିଲେ।

    ଏହି ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ସାଇବର ଅପରାଧ, ଆର୍ଥିକ ନିରାପତ୍ତା, ପ୍ରବାସନ, ଉପକୂଳ ସୁରକ୍ଷା ଏବଂ ନିଶା କାରବାର ସମେତ ଜାତୀୟ ନିରାପତ୍ତା ସହ ଜଡ଼ିତ ବର୍ତ୍ତମାନ ଏବଂ ଭବିଷ୍ୟତର ଆହ୍ୱାନ ଉପରେ ଗଭୀର ଆଲୋଚନା ହୋଇଥିଲା। ବାଂଲାଦେଶ ଏବଂ ମିଆଁମାର ସୀମାରେ ଉପୁଜିଥିବା ନିରାପତ୍ତା ସମସ୍ୟା, ସହରାଞ୍ଚଳ ପୁଲିସର ଧାରା ଏବଂ ମନ୍ଦ ଉଦ୍ଦେଶ୍ୟପୂର୍ଣ୍ଣ ଗୁଜବ ସୃଷ୍ଟି ଭଳି ସମସ୍ୟାର ମୁକାବିଲା ପାଇଁ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହାବ୍ୟତୀତ ନୂତନ ଭାବେ ପ୍ରଣୟନ ହୋଇଥିବା ତିନୋଟି ପ୍ରମୁଖ ଅପରାଧିକ ଆଇନର କାର୍ଯ୍ୟକାରିତା, ପଦକ୍ଷେପ ଏବଂ ପୁଲିସରେ ସର୍ବୋତ୍ତମ ଅଭ୍ୟାସ ତଥା ପଡ଼ୋଶୀ ଅଞ୍ଚଳର ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ସମ୍ମିଳନୀର କାର୍ଯ୍ୟକାଳ ସମୟରେ ମୂଲ୍ୟବାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ ଏବଂ ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଥିଲେ।

    ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ର ମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ହାଇବ୍ରିଡ୍ ଫର୍ମାଟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକ ଏବଂ ସିଏପିଏଫ/ସିପିଓର ମୁଖ୍ୟମାନେ ବ୍ୟକ୍ତିଗତ ଭାବେ ଯୋଗ ଦେଇଥିଲେ। ଏହାବ୍ୟତୀତ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ବିଭିନ୍ନ ବରିଷ୍ଠ ପାହ୍ୟାର ପ୍ରାୟ ୭୫୦ରୁ ଅଧିକ ଅଧିକାରୀ ଆଭାସୀ ମାଧ୍ୟମରେ ସମ୍ମିଳନୀରେ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ