Saturday, September 12, 2026
23.8 C
Odisha

    ଶ୍ରୀ ରାମ ନବମୀ ଅବସରରେ ତୃତୀୟ ଜଗତସିଂହପୁର ପଦଯାତ୍ରା

    ଆଗକୁ ପଢନ୍ତୁ

    ପବିତ୍ର ଶ୍ରୀରାମ ନବମୀ ଅବସରରେ ତୃତୀୟ “ଜଗତସିଂହପୁର ଐତିହ୍ୟ ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଅଛି । ଏହି ପଦଯାତ୍ରାରେ ପ୍ରାୟ ୨୦ ଜଣ ଐତିହ୍ୟପ୍ରେମୀ ବନ୍ଧୁ ଯୋଗ ଦେଇଥିଲେ । ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ “ବିଲ ସାରଳା” ମନ୍ଦିରରେ ଐତିହ୍ୟ ପ୍ରେମୀମାନେ ଏକାଠି ହୋଇ, ଅଧିଷ୍ଠାତ୍ରୀ ଦେବୀ ଅଷ୍ଟଭୂଜା ମହିଷାମର୍ଦିନୀ ରୂପେ ପୂଜିତା ମା’ଙ୍କ ପୂଜାର୍ଚ୍ଚନା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

    ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଗୌରହରି ପଣ୍ଡା ମନ୍ଦିରର ଇତିହାସ ଓ ଐତିହ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । କିମ୍ବଦନ୍ତୀ କହେ, ଶୁଦ୍ରମୁନି ସାରଳା ଦାସ ନିଜ ବିଲରେ ହଳ କରୁଥିବା ସମୟରେ ଶ୍ରମଲାଘବ ପାଇଁ ଚଉତିଶା ଗାନ କରୁଥିବା ସମୟରେ ଦେବୀଙ୍କ ଆବିର୍ଭାବ ହୋଇଥିବାରୁ ସେହିଠାରେ ଦେବୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ମୁସଲମାନ ଆକ୍ରମଣ ସମୟରେ ଝଙ୍କଡ଼ ଶାରଳା ମନ୍ଦିର ଧ୍ଵଂସ ହେବା ପରେ ଦେବୀ ବିଗ୍ରହ ଏହିଠାରେ ରହି ପୂଜିତ ହେବାର ସୂଚନା ମଧ୍ୟ ମିଳିଥାଏ ।

    ଏହା ପରେ ଐତିହ୍ୟ ପ୍ରେମୀମାନେ, ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମରେ ପହଞ୍ଚି ବାବା ବଳିଆଙ୍କ ଆଶୀର୍ବାଦ ନେଇ, ମୂରାରୀ ଦାସ ମଠ ଓ ନାଗାମଠ ପରିଭ୍ରମଣ କରିଥିଲେ । ମୋଗଲ କାଳରେ ତଥାକଥିତ ଅଛବ ଜାତିରେ ଜନ୍ମିତ ସନ୍ଥ ମୂରାରୀ ଦାସଙ୍କ ଅଲୌକିକତାର ସୂଚନା ପାଇ ନାଗା ସାଧୁମାନେ ତାଙ୍କ ଦର୍ଶନ ନିମିତ୍ତ ଆସି ଏହିଠାରେ ଅବସ୍ଥାନ କରିଥିଲେ ।

    ଏହାପରେ ସମସ୍ତେ ପାଇକାନଦୀରେ ଥିବା କଳାପାହାଡ଼ ଘାଟ ପରିଦର୍ଶନ କରିଥିଲେ। ଏ ସମ୍ବଦ୍ଧରେ ଗବେଷକ ଶ୍ରୀକାନ୍ତ ସିଂହଙ୍କ ମତରେ ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ ଗୋହିରୀଟିକିରାଠାରେ ଓଡ଼ିଶାର ଶେଷ ସ୍ଵାଧୀନ ଗଜପତି ମହାରାଜା ମୁକୁନ୍ଦଦେବଙ୍କୁ ପରାଜିତ କରି ଯାଜପୁର, କଟକ, ପିପିଲି, ଓ ପ୍ରାଚୀ ଅବବାହିକାରେ ହିନ୍ଦୁ ମନ୍ଦିରମାନ ଧ୍ଵଂସ କରି ଅଧୁନା କେନ୍ଦ୍ରାପଡ଼ାର ଜମ୍ବୁଠାରେ ଥିବା ରାମଚଣ୍ଡୀ ମନ୍ଦିର ଧ୍ଵଂସ କରିବା ପାଇଁ ଯିବା ସମୟରେ ଏହିଠାରେ ଆଫଗାନ ସେନା ସହ ନଦୀ ପାର ହୋଇଥିବା କିମ୍ବଦନ୍ତୀ କହେ।

    ଏହି ପଦଯାତ୍ରାରେ “ଢେଙ୍କାନାଳ ଐତିହ୍ୟ ପଦଯାତ୍ରା”ର ପ୍ରତିଷ୍ଠାତା ସଦସ୍ୟ ବିଶ୍ଵ ରଞ୍ଜନ ଦେହୁରୀ, ଐତିହ୍ୟପ୍ରେମୀ ପ୍ରଭାଂଶୁ ସାମନ୍ତରାୟ, ଗ୍ରନ୍ଥ ମନ୍ଦିର ପ୍ରକାଶକ ଶ୍ରୀ ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇ ଐତିହ୍ୟର ସୁରକ୍ଷା, ସରକ୍ଷଣ ତଥା ପ୍ରସାର ପାଇଁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ପ୍ରଭୁଦତ୍ତ ଦାଶ, ସମ୍ବିତ ସିଂହ, ତ୍ରିଲୋଚନ ସ୍ୱାଇଁ, ପ୍ରଭୁଦତ୍ତ ରାଉତ, ଅମର ପାତ୍ର ଓ ଅନେକ ଯୁବ ଐତିହ୍ୟପ୍ରେମୀ ଯୋଗଦାନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    97 %
    1.7kmh
    98 %
    Fri
    24 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ