Thursday, May 14, 2026
36.7 C
Odisha

    ଆଜି ଖୋଲିବ ରତ୍ନଭଣ୍ଡାର: ଜାରି ହେଲା ଚୂଡ଼ାନ୍ତ ଏସ୍‌ଓପି

    ଆଗକୁ ପଢନ୍ତୁ

    ପୁରୀ: ୪୬ ବର୍ଷର ବ୍ୟବଧାନ ପରେ ଆସନ୍ତାକାଲି (ରବିବାର) ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏଥିପାଇଁ ଚୂଡ଼ାନ୍ତ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଏସମ୍ପର୍କରେ ଆଜି ସନ୍ଧ୍ୟାରେ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ଏହି ଏସ୍‌ଓପି ଆଧାରରେ ଶୁଭ ବେଳା ଦେଖି ରବିବାର ରତ୍ନଭଣ୍ଡାର ତାଲା ଖୋଲାଯିବ। ଦିନ ୧ଟାରୁ ସାଢ଼େ ୧ଟା ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା କରାଯାଇଛି। ଶନିବାର ବିଳମ୍ବିତ ରାତିରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସହ କମିଟିର ଅନ୍ୟ ସଦସ୍ୟମାନେ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
    ରତ୍ନଭଣ୍ଡାର ଯାଞ୍ଚ କମିଟି ସହିତ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ବି ଯିବେ। ରତ୍ନଭଣ୍ଡାର ଖୋଲାଯିବା ନେଇ ସମସ୍ତ ବ୍ୟବସ୍ଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଦାରଖ କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୨୪ ବର୍ଷର ସରକାର ରତ୍ନଭଣ୍ଡାର ଖୋଲିପାରିନଥିଲେ। ନୂଆ ସରକାର ଆସିବାର ମାସେ ପରେ ରତ୍ନଭଣ୍ଡାର ଖୋଲିବା ଭଳି ଏକ ବଡ଼ ନିଷ୍ପତ୍ତି ନେଇଛି। ଏଥିପାଇଁ ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପି ଦେଉଛୁ। ମହାପ୍ରଭୁ ନିଶ୍ଚିତ ଆମକୁ ସହାୟ ହେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଗୃହ ସଚିବ, ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି ପ୍ରମୁଖଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହୋଇଯାଇଛି।

    ବୈଠକରେ ରତ୍ନଭଣ୍ଡାର ଖୋଲିବାର ରୂପରେଖ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରବିବାର ମଧ୍ୟ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଆଉ ଏକ ବୈଠକ ହେବ। ପୂର୍ଣ୍ଣାଙ୍ଗ ଆଲୋଚନା ପରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଓ ବିଶେଷଜ୍ଞ ଦଳ ରତ୍ନଭଣ୍ଡାର ଭିତରକୁ ଯିବେ। ମହାପ୍ରଭୁ, ମହାଲକ୍ଷ୍ମୀ, ବାବା ଲୋକନାଥ ଓ ମା’ ବିମଳା ଆଶୀର୍ବାଦଙ୍କ ନେଇ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି। ରତ୍ନଭଣ୍ଡାର ଖୋଲିବା ସମୟରେ ଭଣ୍ଡାର ମେକାପ, ଦେଉଳକରଣ, ତଢ଼ଉକରଣ, ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି। ଠାକୁରଙ୍କ ଖଟଶେଜ ଘରକୁ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି। ଏଠାରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ମଣତି ପର୍ଯ୍ୟନ୍ତ ଗଚ୍ଛିତ ରଖାଯିବ ବୋଲି ଜଣାପଡ଼ିଛି।

    ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବା ସମୟରେ ପ୍ରତିଟି ଦିଗକୁ, ପ୍ରତିଟି କାର୍ଯ୍ୟକୁ ଅତ୍ୟନ୍ତ ଗୁରୁତ୍ବ ଓ ସତର୍କତାର ସହ ବିଚାରକୁ ନିଆଯିବ। ଏହାକୁ ମହାପ୍ରଭୁଙ୍କ ନୀତିକାନ୍ତି ଭଳି ମାନି ତର୍ଜମା କରାଯାଇଛି। ଅତ୍ୟନ୍ତ ନିଖୁଣ ଭାବେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି କରାଯିବ। ରତ୍ନଭଣ୍ଡାର ଯାଞ୍ଚ କମିଟି ପ୍ରତ୍ୟେକ ଦିଗକୁ ତର୍ଜମା କରିବା ପରେ ଅନେକ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାର ତାକୁ ଅନୁମୋଦନ କରିଛନ୍ତି। ଏହି ଏସ୍‌ଓପି ଆଧାରରେ ରବିବାର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଗଣତି ଓ ମଣତି ପ୍ରକ୍ରିୟାରେ ସ୍ବଚ୍ଛତା ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସହାୟତା ନେଇଛୁ। ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଉପସ୍ଥିତି ରହିବେ। ଏହି ପ୍ରକ୍ରିୟାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ମହାପ୍ରଭୁଙ୍କ ପ୍ରତିଟି ଅଳଙ୍କାରର ସଂଖ୍ୟା, ଓଜନ ଓ ଗୁଣାତ୍ମକ ମାନ ପରୀକ୍ଷା କରାଯିବ। ଡିଜିଟାଲ୍‌ ଫଟୋଗ୍ରୋଫି ଜରିଆରେ ଡିଜିଟାଲ୍‌ ଲାଇବ୍ରେରି କରାଯିବ। ଡିଜିଟାଲ୍‌ କାଟ୍‌ଲଗ୍‌ ପ୍ରସ୍ତୁତ ହେବ। ଏହି ଡିଜିଟାଲ୍‌ ଡକୁମେଣ୍ଟ ଆଗାମୀ ଦିନ ପାଇଁ ସହାୟକ ହେବ। ପ୍ରତିଟି କାର୍ଯ୍ୟ ପାଇଁ ସ୍ବତନ୍ତ୍ର ବିଧି ବ୍ୟବସ୍ଥା ଧାର୍ଯ୍ୟ ହୋଇଛି। ଏସ୍‌ଓପିର ସ୍ପଷ୍ଟ ଚିତ୍ର ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ପାଖରେ ରହିଛି। ସେହି ଆଧାରରେ ଗୋଟି ଗୋଟି କରି ପଦକ୍ଷେପ ନିଆଯିବ। ଅତ୍ୟନ୍ତ ସ୍ବଚ୍ଛ ଓ ନିଖୁଣ ଭାବେ କାର୍ଯ୍ୟ ସମ୍ପାଦନ କରାଯିବ। ଏଥିପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରାଯାଇଛି। ଯେଉଁଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ସଦସ୍ୟମାନେ ରହିବେ। ଭିନ୍ନ ଭିନ୍ନ କମିଟି ରହିଛି। ଏଥିରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି, ଏଏସ୍‌ଆଇ ପ୍ରତିନିଧି, ଶ୍ରୀମନ୍ଦିର ପରିଚାଳନା କମିଟି, ମନ୍ଦିର ସେବାୟତ, ଯାଞ୍ଚ କମିଟିର ପ୍ରତିନିଧିଙ୍କୁ ନେଇ ବିଭିନ୍ନ ଦଳ ଗଠନ କରାଯାଇଛି। କେତେବେଳେ ରତ୍ନଭଣ୍ଡାର ଖୋଲାଯିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମୟ ନିର୍ଘଣ୍ଟ କରିବେ। ରବିବାର ଚାବି ହସ୍ତାନ୍ତରଣ ପରେ ତାଲା ଖୋଲାଯିବ। ଯଦି ତାଲା ନ ଖୋଲିଲା, ତେବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯିବ।
    ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବା ବେଳେ ଯାଞ୍ଚ କମିଟିର ଦୁଇଜଣ ସଦସ୍ୟ ରହିବେ। ପରିଚାଳନା କମିଟିର କିଛି ସଦସ୍ୟ ଓ ଜିଲ୍ଲାପାଳ ରହିବେ। ଶ୍ରୀମନ୍ଦିରର ଭଣ୍ଡାର ମେକାପ, ଛତିଶାନିଯୋଗ ନାୟକ, ଦେଉଳକରଣ, ତଢ଼ଉକରଣ ରହିବେ। ତାଲା ଭଙ୍ଗା ଦଳ ରହିବେ। ଏଏସ୍‌ଆଇ ସଦସ୍ୟ ଓ ମେଡିକାଲ୍‌ ଟିମ ରହିବେ। ରବିବାର ରତ୍ନଭଣ୍ଡାର ଖୋଲିବା ପାଇଁ ଆମେ ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ଚାବି ଆସୁ ଅବା ନ ଆସୁ, ଆମେ ରତ୍ନଭଣ୍ଡାର ଖୋଲିବୁ। ବହୁଦିନ ହେବ ତାଲା ଖୋଲାଯାଇନି। ସିଲ୍‌ ହୋଇ ରହିଛି। କଳଙ୍କିର ବି ଆଶଙ୍କା ରହିଛି। ଏଣୁ ଆମେ ଚାବିକୁ ପ୍ରସଙ୍ଗ କରି ରଖିନୁ। ତାଲାର ଚାବି ମିଳୁ କି ନ ମିଳୁ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ। ଲକ୍‌ ବେକ୍ରିଂ ଗ୍ରୁପ ନିୟୋଜିତ ହୋଇଛନ୍ତି। ସ୍ନେକ ହେଲ୍‌ପ ଲାଇନ୍‌ର ବି ବ୍ୟବସ୍ଥା କରାଯାଇଛି। ସେମାନେ ଷ୍ଟାଣ୍ଡ୍‌ ବାଏ ରହିବେ। ଆବଶ୍ୟକ ପଡ଼ିଲେ, ଭିତରକୁ ଯିବେ। ଆମେ ନିଶ୍ଚିତ ମହାପ୍ରଭୁଙ୍କ ଆଶୀର୍ବାଦ ନେବୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ। ମା’ ଲକ୍ଷ୍ମୀ, ପ୍ରଭୁ ଲୋକନାଥ ଓ ମା’ ବିମଳାଙ୍କ ଆଶୀର୍ବାଦ ନେଇ ରତ୍ନଭଣ୍ଡାର ଖୋଲିବାକୁ ଯିବୁ। ଦିନ ୧ଟାରୁ ସାଢ଼େ ୧ଟା ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା କରାଯାଇଛି। ଯେହତୁ ରତ୍ନଭଣ୍ଡାରର ଅଳଙ୍କାର ବାକ୍ସ ବହୁଦିନରୁ ଖୋଲାଯାଇନି। ସ୍ଥିତି ଦେଖି ସିନ୍ଧୁକ ସବୁ ସିଲ୍‌ କରି ବାହାରକୁ ଅଣାଯିବ। ଶ୍ରୀମନ୍ଦିର ଭିତରେ ଷ୍ଟ୍ରଙ୍ଗ ରୁମ କରାଯାଇଛି। ଖଟଶେଜ ଘର ଅବା ଚାଙ୍ଗଡ଼ା ଘର ଷ୍ଟ୍ରଙ୍ଗରୁମ୍‌ ହୋଇପାରେ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.7 ° C
    36.7 °
    36.7 °
    35 %
    1.4kmh
    36 %
    Thu
    42 °
    Fri
    43 °
    Sat
    44 °
    Sun
    44 °
    Mon
    46 °

    ସମ୍ବନ୍ଧିତ