Friday, October 2, 2026
25.2 C
Odisha

    ରଥଯାତ୍ରାରେ ବଢ଼ିବ ଜୋତା ଓ ଗାଡ଼ି ପାର୍କିଂ ଫି: ମୋବାଇଲ୍‌, ଦୁଇଚକିଆ ପାଇଁ ଭକ୍ତ ଗଣିବେ ୨ଗୁଣା ଟଙ୍କା

    ଆଗକୁ ପଢନ୍ତୁ

    ପୁରୀ: ରଥଯାତ୍ରାରେ ଭକ୍ତ ଗଣିବେ ଦୁଇଗୁଣା ଫି। ମୋବାଇଲ ହେଉ ଅବା ହ୍ୟାଣ୍ଡ୍‌ବ୍ୟାଗ୍‌, ଦୁଇଚକିଆ ହେଉ ଅବା ଚାରିଚକିଆ ଗାଡ଼ି। ପୁଣି ସମୟ ଯେତେ ବଢ଼ିବ ଦୁଇଚକିଆ ଓ ଚାରିଚକିଆ ଯାନ ପାଇଁ ସେତେ ଅଧିକ ଫି ଆଦାୟ ହେବ। ଅର୍ଥାତ୍‌ ଚାରିଚକିଆ ଗାଡ଼ି ଦୁଇ ଘଣ୍ଟା ରଖିବା ପାଇଁ ୩୦ ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ୨୪ ଘଣ୍ଟା ରଖିଲେ ୧୦୦ ଟଙ୍କା ଗଣିବାକୁ ପଡ଼ିବ। ପୌରପାଳିକା ପକ୍ଷରୁ ଏଥର ପାର୍କିଂ ଫି’ ପାଇଁ ପରିବର୍ଦ୍ଧିତ ଦର ସ୍ଥିର କରାଯାଇଛି। ସ୍ଥାୟୀ ପାର୍କିଂ ବ୍ୟତୀତ ରଥଯାତ୍ରାରେ ହେବାକୁ ଯାଉଥିବା ଅସ୍ଥାୟୀ ପାର୍କିଂ ଓ ଜୋତା ଷ୍ଟାଣ୍ଡରୁ ଏଥର ପରିବର୍ଦ୍ଧିତ ଦର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କଠାରୁ ଅସୁଲ କରାଯିବ।

    ରଥଯାତ୍ରାରେ ଏଥର ମଧ୍ୟ ୫ଟି ସ୍ଥାନରେ ଜୋତାଷ୍ଟାଣ୍ଡ କରାଯିବ। ଗୁଣ୍ଡିଚାମନ୍ଦିର ନିକଟ ମୁଣ୍ଡିଆମରା, ପୁଲିସ ହଲିଡେ ହୋମ୍‌ ନିକଟ ଏବଂ ପୁଲିସ କଣ୍ଟ୍ରୋଲ ରୁମ୍‌ ନିକଟରେ ୩ଟି ଜୋତାଷ୍ଟାଣ୍ଡ କରାଯିବ। ଜୋତା ହଳ ପାଇଁ ଭକ୍ତମାନେ ପୂର୍ବ ଭଳି ୫ ଟଙ୍କା ଲେଖାଏଁ ଦେବେ। ମାତ୍ର ମୋବାଇଲ ପାଇଁ ଏଥର ୧୦ ଟଙ୍କା ପରିବର୍ତ୍ତେ ୨୦ ଟଙ୍କା ଫି ଦେବାକୁ ପଡ଼ିବ। ସେହିଭଳି ହ୍ୟାଣ୍ଡ‌୍‌ବ୍ୟାଗ୍‌ ରଖିବା ପାଇଁ ପୂର୍ବରୁ ୧୦ ଟଙ୍କା ଲେଖାଏଁ ଦେବାକୁ ପଡ଼ୁଥିବା ବେଳେ ଏଥର ଏହା ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ହେଲମେଟ୍‌ ରଖିବା ପାଇଁ ୧୦ ଟଙ୍କା ଦର ସ୍ଥିର କରାଯାଇଛି।

    ଦୁଇଚକିଆ ପାଇଁ ଭୋଳାନାଥ ସ୍କୁଲ ନିକଟ ଓ ଲୋକନାଥ ରୋଡ୍‌ରେ ପାର୍କିଂ ବ୍ୟବସ୍ଥା ରହିବ। ଦୁଇଚକିଆ ରଖିବା ପାଇଁ ପୂର୍ବରୁ ୧୦ ଟଙ୍କା ଅସୁଲ କରାଯାଉଥିଲା। ତେବେ ଏଥର ସମୟ ବ୍ୟବଧାନ ଅନୁଯାୟୀ ୫୦ ଟଙ୍କା ପର୍ଯ୍ୟନ୍ତ ଦର ଦେବାକୁ ପଡ଼ିବ। ସେହିଭଳି ଚାରିଚକିଆ ପାଇଁ ଏଥର ୯ଟି ଅସ୍ଥାୟୀ ପାର୍କିଂ ସ୍ଥାନ ସ୍ଥିର କରାଯାଇଛି। ଫ୍ଲୋରିସ୍‌ ଇଣ୍ଡିଆ, ନାଲିପଡ଼ିଆ, ଆଇଟିଆଇ କଲେଜ, ସଂସ୍କୃତ ବିଶ୍ବବିଦ୍ୟାଳୟ, ଭୂଦାନ ପାର୍କିଂ, ଇନ୍‌ଡୋର ଷ୍ଟାଡିୟମ୍‌, ସମଙ୍ଗ ପାର୍କିଂ, ହଲିଡେ ରିସୋର୍ଟ ପଛ ପାର୍ଶ୍ବ ପାର୍କିଂ ଓ ହର୍ଟିକଲଚରରେ ଚାରିଚକିଆ ଯାନ ପାର୍କିଂର ସୁବିଧା ମିଳିବ। ଏଥିଲାଗି ଚାରିଚକିଆ ଯାନକୁ ୩୦ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ିବ। ଅଟୋ ପାର୍କିଂ ପାଇଁ ମଧ୍ୟ ସମୟ ବ୍ୟବଧାନ ଅନୁଯାୟୀ ୩୦ ଟଙ୍କାରୁ ୬୦ ଟଙ୍କା ପର୍ଯ୍ୟନ୍ତ ଫି ଗଣିବାକୁ ପଡ଼ିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କେଉଁ ଭକ୍ତ କେତେ ଘଣ୍ଟା ଗାଡ଼ି ପାର୍କିଂ କରିବେ ତାହା ସେମାନଙ୍କ ଟିକେଟ୍‌ରେ ଲେଖି ଦିଆଯିବ ନା ସର୍ବାଧିକ ସମସ୍ତଙ୍କଠୁ ସର୍ବାଧିକ ଫି’ ଆଦାୟ କରାଯିବ ତାହା ସ୍ପଷ୍ଟ କରାଯାଇନାହିଁ। ଏପରି ହେଲେ ଭକ୍ତମାନେ ବେଶି ଠକାମିରେ ପଡ଼ିବାର ଆଶଙ୍କା ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ