Wednesday, September 16, 2026
24.5 C
Odisha

    ଗ୍ରାମବାସୀଙ୍କ ଆକ୍ରମଣରେ ତିନି ପୁଲିସ କର୍ମଚାରୀ, ୩ ଅଭିଯୁକ୍ତ ଆହତ

    ଆଗକୁ ପଢନ୍ତୁ

    ବିନିକା: ସବୁର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନ ସିଙ୍ଘିଯୁବା-ଖଇରମାଲ ରାସ୍ତାରେ ମଙ୍ଗଳବାର ରାତିରେ ଏକ ଲୁଟ୍‌ ଉଦ୍ୟମକୁ କେନ୍ଦ୍ର କରି ବୁଧବାର ତୁମୁଳକାଣ୍ଡ ହୋଇଛି। ଗ୍ରାମବାସୀଙ୍କ ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀ ଓ ଅନ୍ୟ ୩ ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି। ଆହତମାନେ ‌ହେଲେ ଏସ୍‌ଆଇ ସୁଜାତା ବୁଡେକ୍‌, ଏଏସ୍‌ଆଇ ତ୍ରିନାଥ ସାହୁ ଓ କନେଷ୍ଟବଳ ଗୋପୀନାଥ ସାହୁ। ସେହିପରି ଦୁଇ ଜଣ ନାବାଳକଙ୍କ ସମେତ ଅଭିଯୁକ୍ତ ଚନ୍ଦ୍ରକାନ୍ତ ମହାନନ୍ଦ (୧୮) ମଧ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ ମଙ୍ଗଳବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଞ୍ଚଳର ଚନ୍ଦ୍ରକାନ୍ତ ମହାନନ୍ଦ ଓ ଅନ୍ୟ ୨ ଜଣ ନାବାଳକ ବିନିକା ଥାନା ଅଧୀନ ସିଙ୍ଘିଯୁବା-ଖଇରମାଲ ରାସ୍ତାରେ ଚାଷଜମିକୁ ପାଣିର ବ୍ୟବସ୍ଥା କରିବାକୁ ଯାଇଥିବା ଜଣେ ଚାଷୀଙ୍କ ଠାରୁ ମୋବାଇଲ ଲୁଟ୍‌ ପାଇଁ ଉଦ୍ୟମ କରୁଥିଲେ। ଏହି ସମୟରେ ସଂପୃକ୍ତ ଚାଷୀଜଣକ ବଡ଼ପାଟିରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଆଖପା‌ଖରେ ଥିବା ଅନ୍ୟ ଚାଷୀମାନେ ଦୌଡ଼ି ଆସିଥିଲେ। ଫଳରେ ଅଭିଯୁକ୍ତମାନେ ସେଠାରୁ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ ଏବଂ ସିଙ୍ଘିଯୁବା-ପାତି ଗାଁ ରାସ୍ତାରେ ଥିବା ଆନନ୍ଦନଗର କ୍ଲବ ଘରକୁ ପଶି ଯାଇଥିଲେ। ଏହି ସମୟରେ ପଛରୁ‌ ସେମାନଙ୍କୁ ଅନୁସରଣ କରୁଥିବା ଲୋକମାନେ କ୍ଲବଘରେ ତାଲା ବନ୍ଦ କରି ଦେଇ ପୁଲିସକୁ ସୂଚନା ଦେଇଥିଲେ।
    ଖବର ପାଇ ପୁଲିସ ଆଜି ସକାଳୁ ଘଟଣାସ୍ଥଳକୁ ପହଞ୍ଚି ଥିଲା। ଘଟଣାସ୍ଥଳର ସ୍ଥିତି ଦେଖି ରାମପୁର ପୁଲିସକୁ ଡାକିଥିଲା। କିନ୍ତୁ ସ୍ଥାନୀୟ ଲୋକେ ରାମପୁର ପୁଲିସ ଆସିବାକୁ ବିରୋଧ କରିଥିଲେ। ସ୍ଥିତି ଉତ୍ତେଜନା ଥିବାରୁ ଏକ ପ୍ଲାଟୁନ ପୁଲିସ ପହଞ୍ଚି ଥିଲେ। ଫଳରେ ଗ୍ରାମବାସୀ ଅଧିକ ଉତ୍ତେଜିତ ହୋଇଯାଇଥିଲେ। ତିନି ଅଭିଯୁକ୍ତଙ୍କୁ ବନ୍ଦ ଘରୁ ବାହାର କରିବା ‌ବେଳେ ଗ୍ରାମବାସୀ ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ଅଭିଯୁକ୍ତଙ୍କ ସମେତ ଏସ୍‌ଆଇ ସୁଜାତା ବୁଡେକ୍‌, ଏଏସ୍‌ଆଇ ତ୍ରିନାଥ ସାହୁ ଓ କନେଷ୍ଟବଳ ଗୋପୀନାଥ ସାହୁ ଆହତ ହୋଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କର ଆକ୍ରମଣରେ ପୁଲିସର ଗାଡ଼ି ମଧ୍ୟ ଭାଙ୍ଗିଛି।
    ଶେଷରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗ୍ରାମବାସୀଙ୍କ ପାଖରୁ ନିଜ ହେପାଜତକୁ ଆଣିଛି। ପ୍ରାଥମିକ ଚିକିତ୍ସା କରାଇବା ପରେ ବିନିକା ଥାନାରେ ରଖି ପଚରାଉଚରା କରୁଛି। ଆକ୍ରମଣ ଅଭିଯୋଗରେ ପୁଲିସ ଗ୍ରାମବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ପାପି ଓ କଦଳୀପାଲି ଗ୍ରାମର ୧୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଏକ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ