Sunday, October 4, 2026
24.3 C
Odisha

    ସ୍ମାର୍ଟସିଟି ପ୍ରକଳ୍ପ: ଅବଧି ସରିଲାଣି, କାମ ସରୁନି

    ଆଗକୁ ପଢନ୍ତୁ

    ରାଉରକେଲା: ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାସଂସ୍ଥାର ମନମାନି ଯୋଗୁଁ ସରୁନି ସ୍ମାର୍ଟସିଟି ପ୍ରକଳ୍ପ। ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ପ୍ରକଳ୍ପର ସମାନସ୍ଥିତି। କୁହାଗଲା ୨୦୨୨ ସୁଦ୍ଧା ସମସ୍ତ ପ୍ରକଳ୍ପ ସରିବ। ଇତିମଧ୍ୟରେ ଦୁଇ ବର୍ଷ ବିତିଗଲାଣି, କାମଗୁଡ଼ିକ ସେମିତି କଚ୍ଛପ ଗତିରେ ଚାଲୁଛି। ଛେଣ୍ଡ କଲୋନି ରିମ୍‌ସ କଲେଜ ପାର୍ଶ୍ବସ୍ଥିତ ୭.୪୯ ଏକର ପରିମିତି ଜାଗାରେ ନିର୍ମାଣାଧୀନ ସାଇନ୍ସ ପାର୍କ ଓ ପ୍ଲାନେଟୋରିୟମ୍‌ ବର୍ଷ ବର୍ଷ ଧରି ଚାଲିଛି। କେବେ ସରିବ, କାହାରି ପାଖରେ ଉତ୍ତର ନାହିଁ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ଏହାର ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ୨ ବର୍ଷ ପରେ ୨୦ ଏପ୍ରିଲ ୨୦୨୧ରେ କାମ ଆରମ୍ଭ ହେଲା। ତତ୍କାଳୀନ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ୨୮ ଜୁଲାଇ ୨୦୨୨ ସୁଦ୍ଧା କାମ ସରିବ ବୋଲି କହିଥିଲେ।
    ସ୍ମାର୍ଟସିଟି ଓ ରାଜ୍ୟପାଣ୍ଠିରୁ ଖର୍ଚ୍ଚ ହେଉଛି ୨୦ କୋଟିରୁ ଅଧିକ। ଏବେ ବି ୩୦%ରୁ ଅଧିକ କାମ ବାକି ରହିଛି। ହେଲେ ଠିକାସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଯେଉଁସଂସ୍ଥା ସାଇନ୍ସ ପାର୍କ କାମ କରୁଛି, ସେହି ଠିକାସଂସ୍ଥା ରାସ୍ତାର ସୌନ୍ଦର୍ଯ୍ୟୀକରଣ ପାଇଁ କୋଟି କୋଟି ଟଙ୍କାର ‘ପାମ୍‌ ଟ୍ରି’ ଲଗାଇଥିଲା। ଏବେ ସହରରେ କୌଣସି ସ୍ଥାନରେ ଗୋଟିଏ ବି ‘ପାମ୍‌ ଟ୍ରି’ ଦେଖିବାକୁ ମିଳୁନି। ପାନପୋଷ ସରକାରୀ କଲେଜ ପରିସରରେ ୧୧୬.୭୬ କୋଟି ଟଙ୍କା ବ୍ୟୟରେ ପ୍ରାଶାସନିକ ବିଲ୍‌ଡିଂ, ଟ୍ରାଇବାଲ୍‌ ମ୍ୟୁଜିୟମ୍‌, କମାଣ୍ଡ ସେଣ୍ଟର ଓ ସମ୍ମିଳନୀ କକ୍ଷ କାମ ଚାଲିଛି। ଠିକାସଂସ୍ଥାର ନିମ୍ନମାନର କାମ ଯୋଗୁଁ ନିକଟରେ ପ୍ରାଶାସନିକ ବିଲ୍‌ଡିଂର ଛାତ ଭୁଶୁଡ଼ି ପଡ଼ିଥିଲା। ବିଭାଗୀୟ ଅଧିକାରୀଙ୍କ ତାଗିଦ ପରେ କାମ ଚାଲିଛି ସତ, କିନ୍ତୁ ଯେମିତି ହେବା କଥା; ତା’ ହେଉନାହିଁ।
    ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ହକି ପ୍ରତିଯୋଗିତା ପୂର୍ବରୁ ୧୧୦ କୋଟି ଟଙ୍କା ବ୍ୟୟରେ ୬୭୫ ସିସି କ୍ୟାମେରା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ବର୍ଷରୁ ଅଧିକ ସମୟ ହେଲା କାମ ସରିଲାଣି, ହେଲେ ଆଜି ଯାଏ କାର୍ଯ୍ୟକ୍ଷମ ହେଉନି। କୁହାଯାଉଛି କମାଣ୍ଡ ସେଣ୍ଟର ନିର୍ମାଣ ସରିବା ପରେ ସିସି କ୍ୟାମେରା ଚାଲିବ। ବେଦବ୍ୟାସ ଟୁରିଜିମ୍‌ ହବ୍‌ କାମରେ ୧୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏବେ ସୁଦ୍ଧା କାମ ସରିନି। ଯେତିକି କାମ ହୋଇଛି, ତା’ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରୁନି। ହକି ପୂର୍ବରୁ ଯେଉଁ କେତୋଟି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି, ଏଥିରୁ କିଛି ଲୋକଙ୍କ କାମରେ ଆସୁନି। ଅଧିକାଂଶ ପ୍ରକଳ୍ପରେ ଦୁର୍ନୀତିର ଗନ୍ଧ ବାରିଛନ୍ତି କଂଗ୍ରେସ ଓ ବିଜେପି। ପ୍ରତିବାଦରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ହେଲେ କୌଣସି ଗୋଟିଏ ପ୍ରକଳ୍ପର ତଦନ୍ତ ନ ହେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ୨୪ଟି ପାର୍କିଂସ୍ଥଳର ବିକାଶ ପାଇଁ ୧୨ କୋଟି ୨୭ ଲକ୍ଷର ପ୍ରସ୍ତାବ ରହିଥିଲା। ଏଥିରୁ କିଛି ସ୍ଥାନରେ ପାର୍କିଂସ୍ଥଳ ନିର୍ମାଣ ହୋଇଛି। ଅଧିକାଂଶ ପାର୍କିଂସ୍ଥଳ କାମରେ ଆସୁନି। ଓରାମପଡା ବିଏସ୍‌ଏନ୍‌ଏଲ୍‌ ସମ୍ମୁଖ ପାର୍କିଂସ୍ଥଳ ଏବେ ଫୁଡ୍‌ କୋର୍ଟ ପାଲଟିଯାଇଛି। ଏମିତି ଚାଲିଥିବା ଅନେକ ପ୍ରକଳ୍ପରେ ସେହି ସମାନ ସମସ୍ୟା ଉପୁଜିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ